ଭୁବନେଶ୍ବର ୧୮।୫: ବାଲିଅନ୍ତା ସୌମ୍ୟ ରଞ୍ଜନ ସ୍ୱାଇଁ ହତ୍ୟା ଘଟଣାର ସମସ୍ତ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚ ଦ୍ୱାରା ଚିହ୍ନଟ କରାଯାଇଥିବା କ୍ରାଇମବ୍ରାଞ୍ଚ ଡିଜି କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ଟିମ୍ ଆମର ପୂରା ଆକ୍ଟିଭ୍ ଅଛି । କାହାରିକୁ ଛଡା ଯିବନି, ସମସ୍ତଙ୍କୁ ଗିରଫ କରାଯିବ । କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି, ନିଶ୍ଚିତ ସୌମ୍ୟଙ୍କ ମା’ ନ୍ୟାୟ ପାଇବେ । କ୍ରାଇମବ୍ରାଞ୍ଚ SPଙ୍କ ନତୃତ୍ୱରେ ଏବଂ DIG ଙ୍କ ତତ୍ୱାବଧାନରେ ମାମଲାକୁ ଅନୁଧ୍ୟାନ କରାଯାଉଛି ବୋଲି କ୍ରାଇମବ୍ରାଞ୍ଚ ଡିଜି କହିଛନ୍ତି ।

ଜିଆରପି କନଷ୍ଟେବଳ ସୌମ୍ୟ ରଞ୍ଜନ ସ୍ବାଇଁ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରଖିଥିବା ବେଳେ ଅନେକ ଗୁଡ଼ିଏ ପ୍ରଶ୍ନ ଏବେବି ଅସମାହିତ ହୋଇ ରହିଛି । ସୌମ୍ୟଙ୍କର ମୃତ୍ୟୁ କେଉଁଠାରେ ହୋଇଥିଲା ସେନେଇ ପ୍ରଶ୍ନ ଉଠୁଥିବା ବେଳେ ଜଣାପଡିଥିଲା ଯେ ସୌମ୍ୟ ହସ୍ପିଟାଲ ପହଞ୍ଚିବା ବେଳକୁ ତାଙ୍କର ପଲ୍ସ୍, ବିପି ନଥିଲା । ପ୍ରଥମେ ନଜର ପକାଇବା ସେହି ପ୍ରଶ୍ନରେ ସୌମ୍ୟଙ୍କ ମୃତ୍ୟୁ କେଉଁଠି ହୋଇଥିଲା । ଭିଡ଼ ଆକ୍ରମଣ ସ୍ଥଳରେ ନା ପୋଲିସ ଆଣିବା ବେଳେ ନା ହସ୍ପିଟାଲରେ ପହଞ୍ଚିବା ପରେ । ସେଦିନ ସୌମ୍ୟଙ୍କୁ ଅକଥନୀୟ ମାଡ଼ ମରାଯିବା ଏବଂ ପରେ ତାଙ୍କୁ ପୋଲିସ ଉଦ୍ଧାର କରି ଆଣିବା ପରେ କ’ଣ ଘଟିଥିଲା । ସୌମ୍ୟଙ୍କୁ ସିଧା କ୍ୟାପିଟାଲ ହସ୍ପିଟାଲ ଅଣାଯାଇନଥିଲା ବରଂ ତାଙ୍କୁ ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ ତେବେ ସେତେବେଳକୁ ସୌମ୍ୟଙ୍କ ଶରୀର ତ ସ୍ଥାଣୁ ହୋଇଯାଇଥିଲା ତା ସହିତ ପଲ୍ସ ଓ ବିପି ମଧ୍ୟ ନନରେକର୍ଡେବ୍ଲ ଥିଲା । ଯାହା ସୂଚାଉଛି ସୌମ୍ୟଙ୍କର ସ୍ଥିତି ଏତେ ସଙ୍ଗୀନ ଥିଲା ଯେ ବିପି କିମ୍ବା ପଲ୍ସ ହିଁ ନଥିଲା। ପରିବାର ଲୋକେ ନଥିଲେ ଏବଂ ପୋଲିସ ଉପସ୍ଥିତିରେ ଡାକ୍ତର ରେଫର କରିଥିଲେ ।

Also Read:- ସୌମ୍ୟ ରଞ୍ଜନ ହତ୍ୟାକାଣ୍ଡକୁ ପୂରିଲା ୧୦ ଦିନ ; କ୍ରାଇମବ୍ରାଞ୍ଚ ତଦନ୍ତରେ ଅସନ୍ତୁଷ୍ଟ ପରିବାର, ସିବିଆଇ ତଦନ୍ତ ଦାବି

ବାଳକାଟି ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚିଥିଲା ଆମ୍ବୁଲାନ୍ସ । ଡାକ୍ତର ରେଫର କରିଦେଇଥିବାରୁ ତୁରନ୍ତ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ଅଣାଯାଇଥିଲା । ୧୦୮ ଆମ୍ବୁଲାନ୍ସରେ ପୋଲିସ ସହିତ ଜଣେ ମେଡ଼ିକାଲ କର୍ମଚାରୀ ମଧ୍ୟ ଯାଇଥିଲେ । ସେମାନେ ମଧ୍ୟ ସେହି କଥା କହିଛନ୍ତି ସୌମ୍ୟଙ୍କ ଶରୀରର ସ୍ଥାଣୁ ହୋଇଯାଇଥିଲା।

ଏବେ ଦ୍ବିତୀୟ ପ୍ରଶ୍ନ ଉପରେ ନଜର ପକାଇବା । ସୌମ୍ୟଙ୍କ ମୃତ୍ୟୁର ପ୍ରକୃତ କାରଣ କ’ଣ । ପୋଷ୍ଟମର୍ଟମ ରିପୋର୍ଟ, ପୋଲିସର ହସ୍ତଗତ ହୋଇଛି । ସୌମ୍ୟଙ୍କ ମୃତ୍ୟୁ ଇଣ୍ଟରନାଲ ଇଞ୍ଜୁରୀ ପାଇଁ ହୋଇଥିବା ଏଥିରେ ଦର୍ଶାଯାଇଛି । କ୍ରାଇମବ୍ରାଞ୍ଚ ଡିଆଇଜି ବାତୁଳା ଗଙ୍ଗାଧର ସୂଚନା ଦେଇଥିଲେ ।

ଏହି ଘଟଣାରେ ଗିରଫ ସଂଖ୍ୟା ୧୪ରେ ପହଞ୍ଚିଛି । ମୁଖ୍ୟ ଅଭିଯୁକ୍ତ ଚିନୁ ଓରଫ ରଞ୍ଜିତ୍ ପାତ୍ରକୁ ମଧ୍ୟ ଗିରଫ କରିଛି କ୍ରାଇମବ୍ରାଞ୍ଚ । ରଞ୍ଜିତ ପାତ୍ର ନାଁରେ ରହିଛି ସାଂଘାତିକ ଅଭିଯୋଗ । ସେ ସେଦିନ ଭିଡ଼ରେ ଥିଲା, ସୌମ୍ୟଙ୍କୁ ଆକ୍ରମଣ କରିଥିଲା । ଏକ ବାଉଁଶ ଠେଙ୍ଗାରେ ସୌମ୍ୟଙ୍କ ମୁଣ୍ଡକୁ ମାଡ଼ ମାରିଥିଲା । ଯେଉଁଥିରେ ସେ କୁଆଡ଼େ ପଡ଼ିଯାଇଥିଲେ ।

Also Read:- ପ୍ରଧାନମନ୍ତ୍ରୀଙ୍କ ଅପିଲ୍‌ର ପ୍ରଭାବ, ସାଇକେଲ୍‌ରେ ହାଇକୋର୍ଟ ଗଲେ ୩ ବିଚାରପତି

କିଛି ପ୍ରଶ୍ନର ଉତ୍ତର ସାମ୍ନାକୁ ଆସିଥିବା ବେଳେ ଏଥିସହିତ ଆଉ କିଛି ପ୍ରଶ୍ନ ମଧ୍ୟ ଅସମାହିତ ହୋଇ ଏବେ ବି ରହିଛି ।

୧- ସୌମ୍ୟଙ୍କୁ ସେଦିନ ଫିଡ୍ସ ମାରିଥିଲା ବୋଲି ଯାହା କୁହାଯାଉଛି ସେନେଇ କିଛି ସ୍ପଷ୍ଟତା ଆସୁଛି କି ?

୨- ମାଡ଼ ବେଳେ ମିଳିଥିବା ଭିଜୁଆଲରୁ ଦେଖାଯାଉଛି ସୌମ୍ୟ ବାରମ୍ବାର ନନ୍ଦୀ ଶବ୍ଦ କହୁଛନ୍ତି, ସେ ନନ୍ଦୀ କିଏ ?

୩- ଯେଉଁ ଦୁଷ୍କର୍ମ ଅଭିଯୋଗ ଆସିଥିଲା ସେଥିରେ କେତେ ସତ୍ୟତା ଥିଲା ?

ଏହି ଘଟଣା ସାରା ରାଜ୍ୟକୁ ଦୋହଲାଇ ଦେଇଥିବା ବେଳେ କ୍ରାଇମବ୍ରାଞ୍ଚର ତଦନ୍ତ ଏଥିରୁ ପରଦା ହଟାଇବାରେ ଲାଗିଛି ।