ଭୁବନେଶ୍ବର ୧୬।୫: ବାଲିଅନ୍ତା ସୌମ୍ୟ ରଞ୍ଜନ ହତ୍ୟା ଘଟଣାକୁ ପୂରିଲା ୧୦ ଦିନ । ହେଲେ ଏବେବି ହତ୍ୟାକାଣ୍ଡ ଘଟଣାରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାରେ କ୍ରାଇମବ୍ରାଞ୍ଚ ବିଫଳ । ହତ୍ୟାକାଣ୍ଡ ଘଟଣାରେ ପ୍ରାୟ ୪୦ରୁ ଅଧିକ ଅଭିଯୁକ୍ତ ସମ୍ପୃକ୍ତ ଥିବା ସୌମ୍ୟଙ୍କ ପରିବାର ଅଭିଯୋଗ କରିଛନ୍ତି । ତଦନ୍ତରେ ଶିଥିଳତା, ୧୦ ଦିନରେ ଗିରଫ ହୋଇଛନ୍ତି ମାତ୍ର ୧୩ ଜଣ । ଏହି ମାମଲାକୁ ସିବିଆଇ ଦ୍ବାରା ତଦନ୍ତ କରିବାକୁ ଅନୁରୋଧ କରିଛନ୍ତି ସୌମ୍ୟଙ୍କ ପରିବାର ଲୋକେ ।

ମା’ ଠାରୁ ଆରମ୍ଭ କରି ଆଈ ପର୍ଯ୍ୟନ୍ତ ସମସ୍ତଙ୍କ ଆଖିରୁ ସୁଖୁନାହି ଲୁହ । ସମସ୍ତେ ବାହୁନି ବାହୁନି ସୌମ୍ୟଙ୍କୁ ମନେ ପକାଇ କାନ୍ଦୁଛନ୍ତି । ସେପଟେ ସୌମ୍ୟଙ୍କ ହତ୍ୟା ଘଟଣାକୁ ପୂରିଲା ୧୦ ଦିନ । ସୌମ୍ୟଙ୍କ ହତ୍ୟା ମାମଲାର ତଦନ୍ତ ପ୍ରଥମେ ବାଲିଅନ୍ତା ପୋଲିସ ଓ ପରେ କ୍ରାଇମବ୍ରାଞ୍ଚ କରୁଛି । ଏହାରି ଭିତରେ ୧୩ ଜଣଙ୍କୁ ସୌମ୍ୟ ହତ୍ୟା ମାମଲାରେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ହେଲେ ଏବେବି ୩୦ରୁ ଅଧିକ ବ୍ୟକ୍ତି ଖୋଲା ଆକାଶ ତଳେ ବୁଲୁଥିବା ଅଭିଯୋଗ କରିଛନ୍ତି ସୌମ୍ୟଙ୍କ ପରିବାର । ରାଜ୍ୟ ସରକାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଘୋଷଣା କରିବା ପରେ ସୌମ୍ୟଙ୍କ ପରିବାର ଭାବିଥିଲେ ଅନ୍ୟ ଅଭିଯୁକ୍ତ ମାନେ ନିଶ୍ଚିତ ଗିରଫ ହେବେ । ହେଲେ ତାହା କେବଳ ସ୍ବପ୍ନ ହୋଇ ରହିଗଲା । ଏହି ମାମଲାର ସିବିଆଇ ତଦନ୍ତ କରିବାକୁ ସୌମ୍ୟଙ୍କ ବାପା ଓ ମାମୁଁ ଦାବି କରିଛନ୍ତି ।

Also Read:- ନିର୍ମାଣଧୀନ ଲଜ୍ କାମ ବେଳେ ଅଘଟଣ, କାନ୍ଥ ପଡି ଶ୍ରମିକଙ୍କ ମୃତ୍ୟୁ

ଆଜିର ଦଶାହ କାର୍ଯ୍ୟରେ ସୌମ୍ୟଙ୍କର କିଛି ସାଙ୍ଗ ଓ ପରିବାର ଲୋକେ ସାମିଲ ହୋଇଛନ୍ତି । ତାଙ୍କ ଅସ୍ତିକୁ ସାଇତି ରଖାଯାଇଛି ଗୃହ ସମ୍ମୁଖରେ । କିଛି ସାଙ୍ଗ ସାଥି ଓ ଗାଁ ପିଲାଙ୍କୁ ନେଇ ଶୋକାକୂଳ ପରିବେଶ ଭିତରେ ଚାଲିଛି ଦଶାହ କାର୍ଯ୍ୟ । ଯେଉଁଠି ବୃଦ୍ଧ ବାପାର କର୍ମ ପୁଅ କରିବା କଥା ସେଠି ହୃଦୟର କୋହକୁ ଚାପି ପୁଅ ପାଇଁ କର୍ମ କରୁଛି ବାପା । ଏଭଳି ହୃଦୟ ବିଦାରକ ଦୃଶ୍ୟ ଅସହ୍ୟ ହୋଇ ପଡିଛି ସମସ୍ତଙ୍କ ପାଇଁ । ସେପଟେ କ୍ରାଇମବ୍ରାଞ୍ଚ ଡିଜି କହିଛନ୍ତି ତଦନ୍ତ ଚାଲିଛି । ଏବେବି ୧୦ରୁ ୧୫ ଜଣଙ୍କୁ କ୍ରାଇମବ୍ରାଞ୍ଚ ଅଟକ ରଖି ପଚରା ଉଚରା ଚଳାଇଛି । ଘଟଣାସ୍ଥଳରୁ ମିଳିଥିବା ଭିଡିଓ ଯାଞ୍ଚ କରି ଘଟଣାସ୍ଥଳରେ କେଉଁ କେଉଁମାନେ ଥିଲେ ତାର ତର୍ଜମା ଚାଲିଛି । ଖୁବ୍ଶୀଘ୍ର ସୌମ୍ୟ ହତ୍ୟାକାଣ୍ଡରେ ସାମିଲ ଥିବା ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି ଜେଲ୍ ପଠାଇବ ।