ବଲାଙ୍ଗୀର ୦୩।୦୯ : ନୋ ଫୋନ, ନୋ କଲ । କେବଳ ୱାଟସ୍ଆପ୍ରେ ମେସେଜ୍ । ପରେ ଭଳିକି ଭଳି ଯୁବତୀଙ୍କ ଆସୁଥିଲା ଫଟୋ । ଫଟୋ ଦେଖି ଛିଣ୍ଡୁଥିଲା ଦାମ୍ । ଏହାପରେ ସ୍ଥାନ, ସମୟ ଠିକ ହେଉଥିଲା । ଶେଷରେ ଅନଲାଇନରେ ଟଙ୍କା ବି ଯାଉଥିଲା । ଅସଲ କଥାଟି ହେଲା, ହାତଗଣତି କେତେଜଣ ଜିଲ୍ଲା ତଥା ରାଜ୍ୟବାହାରୁ ଯୁବତୀ ଆଣି ଜଣାଉଥିଲେ । ଏହାବାଦ ରାକେଟରେ ଥିବା ବ୍ରୋକର ବା ଦଲାଲମାନେ ବିଭିନ୍ନ ଗୋଷ୍ଠୀଙ୍କ ପାଖକୁ ଫଟୋ ପଠାଇ ଗ୍ରାହକ ଖୋଜୁଥିଲେ । ସେଥିପାଇଁ ତାଙ୍କୁ ସମସ୍ତଙ୍କୁ ଗ୍ରାହକ ପିଛା କମିଶନ ମିଳୁଥିଲା । ଏଭଳି ଭାବରେ ପ୍ରତିଦିନ ବଲାଙ୍ଗିର ସହରରେ ଲକ୍ଷଲକ୍ଷ ଟଙ୍କାର ଦେହ କାରବାର ଚାଲିଛି । ବର୍ତ୍ତମାନ ସହରରେ ସେକ୍ସ ରାକେଟ ଜଣେ କି ଦି’ଜଣ ନୁହେଁ ବରଂ ଏକ ସିଣ୍ଡିକେଟ ଜରିଆରେ ଚାଲିଛି । ଯେଉଁଥିରେ ଦଲାଲଠୁ ଆରମ୍ଭ କରି ଯୁବତୀ ଚାଲାଣକାରୀ, ସୁରକ୍ଷାଦାତା ଏବଂ ହୋଟେଲଗୁଡ଼ିକ ମଧ୍ୟ ସଂପୃକ୍ତି ରହିଛି ।

ଗତକାଲି ଦିନତମାମ ସହରର ବିଭିନ୍ନ ହୋଟେଲରେ ଏସପି ଅଭିଳାଷ ଜୀଙ୍କ ଚଢ଼ଉ ପରେ ଏଭଳି କିଛି ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି । କେବଳ ସୂଚନା ନୁହେଁ, ସହରର ଟାଉନ ଥାନା ଏବଂ ଲକ୍ଷ୍ମୀଯୋର ଥାନା ଅଞ୍ଚଳର ବିଭିନ୍ନ ଘର ଏବଂ ହୋଟେଲରୁ ୯ଜଣ ଦେହଜୀବୀଙ୍କୁ ଉଦ୍ଧାର କରାଯାଇଛି । ଏଥିସହ ଦୁଇ ମହିଳା ଦଲାଲ ସହ ୬ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଏଥିରେ କେଉଁଠି ସ୍ୱାମୀ-ସ୍ତ୍ରୀ ତ ଆଉ କେଉଁଠି ପୁରୁଣା ଦଲାଲ ବେପାର ଚଲାଇଥିବା ଜଣାପଡ଼ିଥିବା ଏସପି ଅଭିଳାଷ ଜୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଗତକାଲି ଗଞ୍ଜେଇ ମାମଲାରେ ତଦନ୍ତ କରୁଥିବା ସମୟରେ ପୁଲିସ ଏହି ସେକ୍ସ ରାକେଟ ସମ୍ପର୍କରେ ଜାଣିବାକୁ ପାଇଥିଲା । ତେଣୁ ଗତକାଲି ଦିନତମାମ ଏସପି ସହରର ବିଭିନ୍ନ ହୋଟେଲ ଏବଂ ଗେଷ୍ଟ ହାଉସରେ ଯାଞ୍ଚ କରିଥିଲେ । ତା’ରି ଭିତରେ ଟାଉନ ଥାନା ଅନ୍ତର୍ଗତ ରେଲୱେ ଷ୍ଟେସନ ଅଞ୍ଚଳର ଏକ ହୋଟେଲରୁ ଯାଞ୍ଚ କରିବାରୁ ରୁମ ନମ୍ବର ୧୦୩ ଏବଂ ୧୦୬ରେ ଅସଂଯତ ଅବସ୍ଥାରେ କେତେକ ଯୁବକଯୁବତୀଙ୍କୁ ପାଇଥିଲା । ସେଠାରେ ପଚରାଉଚୁରା କରିବାରୁ ହୋଟେଲ ରୁମରେ ଦେହ ବେପାର ଚାଲିଥିବା ସ୍ପଷ୍ଟ ହୋଇଥିଲା । ଏହାପରେ ପୁଲିସ ବେଆଇନ କାର୍ଯ୍ୟ ଅଭିଯୋଗରେ ମୁଖ୍ୟ ଦଲାଲ ସୋନପୁର ଜିଲ୍ଲା ବିନିକା ଥାନା ଅଞ୍ଚଳର ଗୀତାଞ୍ଜଳି ବାଗ, ବଲାଙ୍ଗିର ସହରର ସହନବାଜ ଅବଦୁଲ୍ଲା, ସୁରେଶ ସାହୁ, ଜଗମୋହନ ବେରିଆ, ତୁଷୁରା ଥାନା ଅଞ୍ଚଳର ନବଘନ ସୁନା, ଦେଓଗାଁ ଥାନା ଅଞ୍ଚଳର ସୁଦର୍ଶନ ବେହେରା ରହିଛନ୍ତି । ସେହିପରି ଲକ୍ଷ୍ମୀଯୋର ଥାନା ଅଞ୍ଚଳର ଆଲୋକ ନଗର ନିକଟରେ ଏକ ଭଡ଼ାଘରୁ ମଧ୍ୟ ସେକ୍ସ ରାକେଟ ଠାବ କରାଯାଇଛି ।

Also Read:-ଓଡ଼ିଶାରେ ଆସିବ ଭୂସ୍ଖଳନ, ୧୨ ଜିଲ୍ଲାରେ ହେବ ଭୟଙ୍କର କ୍ଷତି ! ନେପାଳ ବନ୍ୟା ପରେ ମଡେଲ୍ ବଢାଇଲା ଡର

ଗତକାଲି ପୁଲିସ ଯାଞ୍ଚ ସମୟରେ ପୁଲିସ ଅସଂଯତ ଅବସ୍ଥାରେ ୩ ଯୁବକ ଏବଂ ୩ ଯୁବତୀଙ୍କୁ ପାଇଥିଲା । ଏହାପରେ ପୁଲିସ ଆଶିଷ କୁମ୍ଭାର, ଶ୍ରୀକାନ୍ତ ସୁନା, ଅମୂଲ୍ୟ ମଲ୍ଲିକ ଏବଂ ସ୍ୱର୍ଣ୍ଣଲତା ମଲ୍ଲିକଙ୍କ ସହ ଦୁଇଯୁବତୀଙ୍କୁ ଅଟକ ରଖିଥିଲା । ଏହି ମାମଲାରେ ସ୍ୱାମୀ ସ୍ତ୍ରୀ ଅମୂଲ୍ୟ ମଲ୍ଲିକ ଏବଂ ସ୍ୱର୍ଣ୍ଣଲତା ଭଡ଼ାଘରେ ମୟୂରଭଞ୍ଜ ଏବଂ କଲିକତାରୁ ଯୁବତୀ ଆଣି ଏଭଳି ବେପାର ଚଳାଇଥିବାରୁ ସେମାନେ ହିଁ କିଙ୍ଗପିନ ଥିବା ପୁଲିସ କହିଛି । ତେବେ ଉଭୟ ମାମଲାରେ ପୁଲିସ ୯ଯୁବତୀଙ୍କୁ ଉଦ୍ଧାର କରିଥିବାବେଳେ ୭ଜଣଙ୍କୁ ଗିରଫ କରିଛି । ଯେଉଁଥିରୁ ପ୍ରଥମ ମାମଲାରେ ଗୀତା ବାଗ ଏବଂ ଦ୍ୱିତୀୟ ମାମଲାରେ ଅମୂଲ୍ୟ ମଲ୍ଲିକ ଏବଂ ସ୍ୱର୍ଣ୍ଣଲତା ମୁଖ୍ୟ କାର୍ପଟଦାର ଅଟନ୍ତି ।

ରେଲୱେ ଷ୍ଟେସନ ଅଞ୍ଚଳରୁ ପୁଲିସ ଗୀତା ବାଗ ନାମକ ଜଣେ ମଧ୍ୟସ୍ଥିକୁ ଗିରଫ କରିଛି । ଯିଏ ଦୀର୍ଘଦିନ ଧରି ଏହି ବେପାର ଚଳାଇଆସୁଥିବା ସୂଚନା ରହିଛି । ତା’ବିରୁଦ୍ଧରେ ଦୀର୍ଘଦିନରୁ ଏକ ପୋକ୍ସୋ ମାମଲା ଥିଲା । ହେଲେ ପୁଲିସ ତାକୁ ଖୋଜିପାରୁନଥିଲା ଏବଂ ସେ ଫେରାର ଥିଲା ବୋଲି ପୁଲିସ କହିଛି । ଅଥଚ ସେ ଖୋଲାଖୋଲି ସହର ଭିତରେ ସେହି ଦେହ ବେପାର ହିଁ ଚଳାଇଆସୁଥିଲା । ଗତକାଲି ନିଜେ ଏସପିଙ୍କ ଉଦ୍ୟମରେ ସେ ଧରାପଡ଼ିବା ପରେ ଗିରଫ ହୋଇଛି ।

ପୁଲିସ ସୂଚନା ଅନୁସାରେ, ଗୀତା ଜଣେ ନାବାଳିକାଙ୍କୁ ଆଣି ବେପାରରେ ଲଗାଇଥିଲା । ଯାହାପରେ ସେ ଗର୍ଭବତୀ ହୋଇଯାଇଥିଲା ଏବଂ ଆଶା ଅଙ୍ଗନବାଡ଼ିଙ୍କ ଯାଞ୍ଚ ପରେ ସେ ବରଗଡ଼ ଜିଲ୍ଲାର ବୋଲି ଜଣାପଡ଼ିଥିଲା । ଏହାପରେ ସେଠାରେ ନାବାଳିକାଙ୍କଜଣକ ଜିରୋ-ଏଫଆଇଆର କରିଥିଲେ । ଯେହେତୁ ଘଟଣାସ୍ଥଳ ବଲାଙ୍ଗିର ଟାଉନଥାନା ଅଞ୍ଚଳ ଥିଲା, ତେଣୁ ସେହି ମାମଲା ଏଠାକୁ ସ୍ଥାନାନ୍ତର ହୋଇଥିଲା । ଟାଉନ ପୁଲିସ ନାବାଳିକାଙ୍କ ବୟାନ ରେକର୍ଡ କରି ଗୀତାକୁ ଖୋଜୁଥିଲା ।

Watch Video:-