ଭୁବନେଶ୍ୱର, ୦୨/୦୯: ତିତିଲି ବାତ୍ୟା ପ୍ରକୋପରେ ପ୍ରଥମ ଥର ପାଇଁ ଭୟାନକ ଭୂସ୍ଖଳନ ସାମ୍ନା କଲା ଓଡ଼ିଶା। ଗଜପତି ଜିଲ୍ଲାରେ ମାଟି ଅତଡ଼ା ସହ କାଦୁଅ ଏମିତି ଧସିଲା, ୪୯ ଜୀବନ ଚାଲିଗଲା। ଜିଲ୍ଲାର ରାୟଗଡ଼ ବ୍ଳକ ଗଙ୍ଗାବାଡ଼ ପଞ୍ଚାୟତ ଅନ୍ତର୍ଗତ ବାରଘର ଗାଁରେ ହିଁ ୧୩ ଜଣଙ୍କ ମୃତ୍ୟୁ ହୋଇଥିଲା।

ସେପ୍ଟେମ୍ବର ୧୬, ୨୦୨୫ । କନ୍ଧମାଳ ଜିଲ୍ଲା କଳିଙ୍ଗାଘାଟିରେ ବଡ଼ ଧରଣର ଭୂସ୍ଖଳନ । ଏତେ ବଡ଼ ପଥର ଆଗରୁ କେବେ ଧସିନଥିଲା । ଦୀର୍ଘ ମାସ ଧରି ରାସ୍ତା ବନ୍ଦ ରହିଲା । ଏବେ ବି ଫାଳେ ରାସ୍ତାରେ ଦି' ପଟୁ ଗାଡ଼ିମୋଟର ଯା' ଆସ କରୁଛି। ୨୦୨୨ରେ ଦାରିଙ୍ଗିବାଡ଼ି ବ୍ଳକ ହାତୀମୁଣ୍ଡା ପଞ୍ଚାୟତର କୁମ୍ଭାରି ପଦରେ ଭୂସ୍ଖଳନ ଯୋଗୁ ୯୬ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା । ଗତ ଅଗଷ୍ଟ ୯ ତାରିଖରେ ବି ସେଇ ଅଞ୍ଚଳରେ ମାଟି ଧସିବାରୁ ୪ଟି ପରିବାରକୁ ସ୍ଥାନାନ୍ତର କରିବାକୁ ପଡ଼ିଥିଲା।

ଏସବୁ ଘଟଣା ସୂଚାଇ ଦେଉଛି, ବନ୍ୟା, ବାତ୍ୟା ପ୍ରବଣ ଓଡ଼ିଶା ବି ଭୂସ୍ଖଳନ ବିପଦରୁ ମୁକ୍ତ ନୁହେଁ । ନେପାଳରେ ଯେଉଁଭଳି ଭୟାନକ ସ୍ଥିତି ଦେଖିବାକୁ ମିଳିଲା, ତା'ପରଠାରୁ ପ୍ରକୃତିର କରାଳ ରୂପକୁ ନେଇ ଡର ବଢ଼ିଛି। ବିଶେଷଜ୍ଞଙ୍କ ମତରେ, ଭୌଗଳିକ ସ୍ଥିତି କାରଣରୁ ଦକ୍ଷିଣ ଓଡ଼ିଶାକୁ ଭୂସ୍ଖଳନ ବିପଦ ବେଶି। ଦିନକୁ ଦିନ ପ୍ରକୃତି ଦେଖାଉଛି କରାଳ ରୂପ। ଅଚାନକ ବାଦଲ ଫଟା ବର୍ଷା କେତେବେଳେ କିଛି ବି କରିପାରେ। ଏମିତିରେ ପାହାଡ଼ ଧସିବା, ମାଟି ଅତଡ଼ା ଖସିବା ଭୟ ବଢ଼ୁଛି । ତିତଲି ବାତ୍ୟା ସମୟରେ ଗଜପତିରେ ଯାହା ଘଟିଥିଲା, ତା'ଠାରୁ ଯେ ବଡ଼ ବିପରି ଆସିବନି, କିଏ କହିବ । ବେଳକୁ ବେଳ ପାହାଡ଼ ଯେଉଁଭଳି ଲଣ୍ଡା ହେଉଛି, ଏ ବିପଦ ବଢ଼ିବାରେ ଲାଗିଛି।

Also Read :- ଏମଏମଡିଆର ସଂଶୋଧନ ଆଇନ: ସରକାରଙ୍କୁ ସୁଜାତାଙ୍କ ଟାର୍ଗେଟ୍, କହିଲେ...

ବାତ୍ୟା, ବନ୍ୟା ଆଦି ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ଓଡ଼ିଶା ବିଶ୍ୱସ୍ତରୀୟ ମଡେଲ୍ ଛିଡ଼ା କରିପାରିଛି। କିନ୍ତୁ, ଭୂସ୍ଖଳନଜନିତ କ୍ଷୟକ୍ଷତିରୁ ବର୍ଷିବା ନେଇ ଏଯାଏ କିଛି ଯୋଜନା ହୋଇନି। ତାମିଲନାଡୁ କୋଏମ୍ବାଟୁରସ୍ଥିତ ଅମ୍ରିତା ବିଶ୍ବ ବିଦ୍ୟାପୀଠ ସହ ମିଶି ଭୂସ୍ଖଳନ ପ୍ରବଣ ଅଞ୍ଚଳ ଚିହ୍ନଟ ଓ ଗବେଷଣା କେବଳ କଥାରେ ଅଟକିଛି। ଏପରିକି ଆଗୁଆ ସତର୍କ ସୂଚନା ଜାରି ପାଇଁ ସେନସରଭିତ୍ତିକ ୱାର୍ଣ୍ଣିଂ ସିଷ୍ଟମ ବି ଏଯାଏ ଲାଗିପାରିଲାନି। ସଚେତନତା ବି ଶୂନ। ନେପାଳରେ ଆସିଥିବା ବିପର୍ଯ୍ୟୟ ସମୟରେ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷ (ଓସଡମା)ର ଏକ ଟିମ୍ ସିକିମ ଗସ୍ତ କରି ଗାଙ୍ଗଟକରେ ବୈଷୟିକ ଜ୍ଞାନ ନେଉଥିଲ । ସିକିମ ମଡେଲ୍ ଅନୁଧ୍ୟାନ କରି ଏହି ଟିମ୍ ଫେରିଛନ୍ତି। କିନ୍ତୁ, ଓଡ଼ିଶାରେ କ'ଣ କରାଯିବ, ସେଥିନେଇ କିଛି ଠୋସ୍ ଏଜେଣ୍ଡା ନାହିଁ । କର୍ତ୍ତୃପକ୍ଷ କହୁଛତି, ବ୍ୟାପକ ଗଛକଟା ହେଉଥିବା ପାହାଡ଼ରେ ନୂଆ ଜଙ୍ଗଲ ସୃଷ୍ଟି କରିବାକୁ ପଡ଼ିବ। ଭୂସ୍ଖଳନ ପ୍ରବଣ ଅଞ୍ଚଳ ଚିହ୍ନଟ ହେବ। ବ୍ୟାପକ ଜନସଚେତନତା କରାଯିବ।

ବିଶେଷଜ୍ଞ କହନ୍ତି, ଭୂସ୍ଖଳନ ପ୍ରବଣ ତାଲିକାରେ ଗଜପତି, ମାଲକାନଗିରି, କୋରାପୁଟ, କନ୍ଧମାଳ, ରାୟଗଡ଼ା, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲା ରହିଛି। ଏହାବାଦ୍ ନୟାଗଡ଼, ଅନୁଗୁଳ, ବଲାଙ୍ଗୀର, ଢେଙ୍କାନାଳ, ବୌଦ୍ଧରେ ବି ମାଟି ଅତଡ଼ା ଧସିବା ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ।

ଗଜପତି ଜିଲ୍ଲାର ୧୩୯ଟି ସ୍ଥାନ ଭୂସ୍ଖଳନ ଅଞ୍ଚଳ ଭାବେ ଚିହ୍ନଟ ହୋଇଛି। ଜିଲ୍ଲାର ଆର୍.ଉଦୟଗିରି, ବୁଡ଼ିଶୀଳ ଘାଟି, ମାଲବା ଘାଟି, ମଣ୍ଡଳସାହି ରାଶିବାଡ଼ ଘାଟି ତଳ ଅଞ୍ଚଳ ଅତ୍ୟନ୍ତ ସମ୍ବେଦନଶୀଳ। ସେହିପରି ୨୦୦୬ରେ ରାୟଗଡ଼ା ଜିଲ୍ଲାରେ ଭୂସ୍ଖଳନ ଘଟି ୬ଜଣଙ୍କର ମୃତ୍ୟୁ ହୋଇଥିଲା। ରାୟଗଡ଼ା ସହର ଭିତରେ ଥିବା ଖିନଖିନା, ଲଣ୍ଡା, ଜୟଗୁରୁ ପାହାଡ଼ରେ ମାଟି ଧସିଲେ ସହର ପାଇଁ ବଡ଼ ବିପଦ ଆଣିପାରେ। ନିୟମଗିରି ପାହାଡ଼କୁ ନେଇ ବିଷମ କଟକର କୁର୍ଲି, ମୁନିଗୁଡ଼ାର ଶିବପଦର, କଲ୍ୟାଣସିଂହପୁରର ପାରସାଲି ପଞ୍ଚାୟତକୁ ବି ବିପଦ ରହିଛି। କନ୍ଧମାଳ ଜିଲ୍ଲାର କଳିଙ୍ଗା ଘାଟି ତଳେ ଥିବା ରାସ୍ତା ଓ ଦାରିଙ୍ଗିବାଡ଼ିର କୁମ୍ଭାରିପଦର, ରାଇକିଆ ବ୍ଳକର ଢେପଗୁଡ଼ା ଅଞ୍ଚଳ ପାଇଁ ଭୂସ୍ଖଳନ ବିପଦ ସବୁବେଳେ ରହିଛି। ଲଗାଣ ବର୍ଷା ସମୟରେ ଏଠାରେ ଯାତାୟତ ସହ ଜନବସତି ଅଞ୍ଚଳ ପ୍ରତି ଭୟ ବଢ଼ିଛି। ଜି.ଉଦୟଗିରି ପାହାଡ଼ ପାଦଦେଶରେ ଥିବା ତୁମସୁଙ୍ଗିଆ ଗ୍ରାମରେ ବହୁ ବର୍ଷ ତଳେ ଭୂସ୍ଖଳନ ହୋଇଥିଲା।

୨୦୨୧ରେ କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଳକର ସୁଙ୍କୀରେ ପାହାଡ଼ରୁ ମାଟି ଖସିବାରୁ ୨୬ ନମ୍ବର ଏନଏଚ ଅବରୋଧ ହୋଇଥିଲା । ଜିଲ୍ଲାର ନନ୍ଦପୁର ବ୍ଳକ ମଧ୍ଯ ଭୂସ୍ଖଳନ ପ୍ରବଣ। ରାଇସିଙ୍ଗ, ଖେମୁଣ୍ଡୁଗୁଡ଼ା ପଞ୍ଚାୟତରେ ମାଟି ଓ ପଥର ଅତଡ଼ା ଖସି କେବେ ରାସ୍ତା ଅବରୋଧ ହୋଇଛି, କେଉଁଠି ଚାଷ ଜମି ନଷ୍ଟ କରିଛି। ମୟୂରଭଞ୍ଜ ଜିଲ୍ଲାରେ ଶିମିଳିପାଳ ପାହାଡ଼ ୨୭୫୦ ବର୍ଗ କିମିକୁ ବ୍ୟାପି ରହିଛି। ଶିମିଳିପାଳର ବଫର ଜୋନ୍ରେ ୫୮ଟି ଗାଁ ଥିବାବେଳେ ଚାରିପାଖରେ ଥିବା ବଡ଼ସାହି, ଶ୍ୟାମାଖୁଣ୍ଟା, ବାଙ୍ଗିରିପୋଷି, ସାରସକଣା, ବିଶୋଇ, ଯଶିପୁର, ଠାକୁରମୁଣ୍ଡା, କପ୍ତିପଦା, ଉଦଳା, ଖୁଣ୍ଟି ବ୍ଳକର ଅନେକ ଗାଁକୁ ମାଟି ଅତଡ଼ା ଧସିବା ଭୟ ରହିଛି। ବାଙ୍ଗିରିପୋଷି ଘାଟି ୪୯ ନମ୍ବର ଜାତୀୟ ରାଜପଥ ପାଇଁ ବଡ଼ ବିପଦ ହୋଇଥିବାବେଳେ ବିଶୋଇ-ଯଶୀପୁର ମଧ୍ୟରେ ଥିବା ଗାଁଗୁଡ଼ିକ ପାଇଁ ଭୂସ୍ଖଳନ ଆଶଙ୍କା ରହିଛି।

ଲଗାଣ ବର୍ଷାରେ କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଓ ଜୁଡ଼ିଆଘାଟିରେ ସବୁବେଳେ ମାଟି ଅତଡ଼ା ଧସି ରାସ୍ତା ଅବରୋଧ ହୋଇଥାଏ । ବାଂଶପାଳ ଯୋଡ଼ା ବ୍ଳକର ଜଳହରି, କାଳିମାଟି, ଗୁଆଲି ଆଦି ଗାଁ ପାହାଡ଼ ତଳେ ରହିଛି। ବର୍ଷା ସମୟରେ ବାରମ୍ବାର ମାଟି ଅତଡ଼ା ଧସିବା ନଜିର ରହିଛି। ନିକଟରେ ଯୋଡ଼ାର ବାରବାଙ୍କରେ ପାହାଡ଼ ଧସି ରାସ୍ତା ଅବରୋଧ ହୋଇଥିଲା।

ଅନୁଗୁଳ ଜିଲ୍ଲା ପାଲଲହଡ଼ା ମାଲ୍ୟଗିରି ପର୍ବତ ପାଦଦେଶରେ ବିଭିନ୍ନ ପଞ୍ଚାୟତ ରହିଥିବାରୁ ମାଟି ଅତଡ଼ା ଧସିବା ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ। ଢେଙ୍କାନାଳ ଜିଲ୍ଲାକୁ ପାହାଡ଼ ଘେରି ରହିଛି। ଯେଉଁଭଳି ମୋରମ ଉତ୍ତୋଳନ ପାଇଁ ପାହାଡ଼ ଓ ଗଛ କଟାଯାଉଛି, ବଡ଼ବଡ଼ ପର୍ବତ ପତଳା ହେବାରେ ଲାଗିଛି। କେତେବେଳେ ବି ଭୟାନକ ଭାବେ ଧସି ହୋଇଯିବା ଆଶଙ୍କା ରହିଛି।

ବଲାଙ୍ଗୀରର ଗନ୍ଧମାର୍ଦ୍ଦନ ପାହାଡ଼ ତଳେ ଖପ୍ରାଖୋଲ ବ୍ଳକର ବିଭିନ୍ନ ଗାଁ ସହ ହରିଶଙ୍କର ମନ୍ଦିର ବି ରହିଛି। ବଡ଼ ଧରଣର ମାଟି ଅତଡ଼ା ଖସିଲେ କିଛି ବ୍ୟାପକ କ୍ଷୟକ୍ଷତି ହୋଇପାରେ। ବରଗଡ଼ର କେତେକ ଅଞ୍ଚଳ ବି ବିପଦପୂର୍ଣ୍ଣ ଭାବେ ପାହାଡ଼ ତଳେ ରହିଛି । ନୟାଗଡ଼ ସହର ଜଜାଙ୍ଗି ପାହାଡ, ବଳରାମ ପାହାଡ଼ ଓ ରୁକ୍ଷୀ ପାହାଡ଼ ତଳେ ରହିଛି। ଶହଶହ ପରିବାର ପାହାଡ଼ କାଟି ଉପରେ ସ୍ଥାୟୀ ଘର କରି ରହିଲେଣି। ଦଶପଲ୍ଲା, ଭାପୁର, ରଣପୁରର ଅନେକ ଗାଁ ବି ପାହାଡ଼ ତଳେ ରହିଛି। ଏସବୁ ଅଞ୍ଚଳକୁ ବି ମାଟି ଅତଡ଼ା ଧସିବା ଆଶଙ୍କା ଅଛି । ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଳକର ତଳଗାଁ ପଞ୍ଚାୟତ, ବୌଦ୍ଧ ବ୍ଳକର ଟିକରପଡ଼ା ପଞ୍ଚାୟତ ଏବଂ ଆମ୍ବଝରୀ ପଞ୍ଚାୟତର ବିଭିନ୍ନ ଗାଁ ପାହାଡ଼ ଉପରେ ରହିଛି।