ନୂଆଦିଲ୍ଲୀ: ଲଦାଖ ସୀମାକୁ ନେଇ ପୁଣିଥରେ ଚୀନ ଓ ଭାରତ ମୁହାଁମୁହିଁ ହୋଇଛନ୍ତି। ଭାରତ ଲଦାଖର ୨୮ଟି ସ୍ଥାନର ନାମକରଣ କରିବା ପରେ ଚୀନ ଏହାକୁ ବିରୋଧ କରିଛି। ଏହିସବୁ ସ୍ଥାନ ଆମର ବୋଲି ବେଜିଂ ଦାବି କରିଛି। ମଙ୍ଗଳବାର ଚୀନ ବୈଦେଶିକ ମନ୍ତ୍ରଣାଳୟ ପ୍ରବକ୍ତା ମାଓ ନିଙ୍ଗ କହିଛନ୍ତି ଭାରତ ନାଁ ପରିବର୍ତ୍ତନ କରିଦେଲେ ଜମି ଉପରେ ମାଲିକାନା ଅଧିକାର ବଦଳିବ ନାହିଁ।

ଅକ୍ଟୋବର ୨ ତାରିଖରେ ଭାରତ ସରକାର ଏହି ସ୍ଥାନଗୁଡ଼ିକର ନାମକରଣ କରିଥିଲା। ଏଥିରେ ଗୋଗ୍ରା ଓ ହଟ୍ ସ୍ପ୍ରିଙ୍ଗ୍ ଭଳି ସ୍ଥାନ ରହିଥିଲା। ଯେଉଁଠାରେ ୨୦୨୦ରେ ଭାରତ ଓ ଚୀନ ସେନା ମୁହାଁମୁହିଁ ହୋଇଥିଲେ।

ଚୀନ କହିଲା-ଲଦାଖକୁ ଭାରତର କେନ୍ଦ୍ରଶାଳିତ ବୋଲି ଆମେ ମାନୁନା

ମଙ୍ଗଳବାର ଚୀନ ବୈଦେଶିକ ମନ୍ତ୍ରଣାଳୟ ପ୍ରବକ୍ତା ମାଓ ନିଙ୍ଗ ଲଦାଖକୁ ନେଇ କଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ ଚୀନ ଲଦାଖକୁ ଭାରତର କେନ୍ଦ୍ରଶାସିତ ଅଞ୍ଚଳ ବୋଲି ମାନେ ନାହିଁ। ତେଣୁ ଭାରତର ଏଭଳି ନାମକରଣ ସମ୍ପୂର୍ଣ୍ଣ ବେଆଇନ। ସୀମାର ପଶ୍ଚିମ ଭାଗରେ ଥିବା ଏହି ସ୍ଥାନ ସମ୍ପୂର୍ଣ୍ଣ ଆମର। ଭାରତ ନାମକରଣ କରିଦେଲେ ଜାଗା ଉପରେ ଚୀନର ଦାବି ଦଳିବ ନାହିଁ ବୋଲି ମାଓ ନିଙ୍ଗ କହିଛନ୍ତି।

ଚୀନକୁ କଡ଼ା ପ୍ରତିକ୍ରିୟା ଦେଲା ଭାରତ

ଚୀନ ଆପତ୍ତି ଉଠାଇବା ପରେ ଭାରତ ବି ଏହାର ଦୃଢ଼ ଜବାବ ରଖିଛି। ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ମଧ୍ୟ ତୁରନ୍ତ ଏଥିରେ ପ୍ରତିକ୍ରିୟା ଦେଇ କହିଛି ଲଦାଖ ଭାରତର ଅଂଶ। ଚୀନ ଅସ୍ୱୀକାର କଲେ ସତ ବଦଳିଯିବ ନାହିଁ।

ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପ୍ରବକ୍ତା ରଣଧୀର ଜୈୟସ୍ୱାଲ କହିଛନ୍ତି ଯେ ଏହି ସ୍ଥାନଗୁଡ଼ିକର ନାଁ ସର୍ଭେ ଅଫ୍ ଇଣ୍ଡିଆର ସରକାରୀ ନକ୍ସାରେ ସାମିଲ କରାଯାଇଛି। ଏହି କାମ ଲଦାଖ ପ୍ରଶାସନ ଓ ସ୍ଥାନୀୟ ଲୋକଙ୍କ ଠାରୁ ପରାମର୍ଶ ନେଇ କରାଯାଇଛି। ସ୍ଥାନଗୁଡ଼ିକର ସଠିକ ଚିହ୍ନଟ କରିବା ଓ ଲୋକଙ୍କୁ ଏ ବିଷୟରେ ସୂଚନା ଦେବା ଏହାର ଉଦ୍ଦେଶ୍ୟ ବୋଲି ରଣଧୀର ଜୈୟସ୍ୱାଲ କହିଛନ୍ତି।

କାହିଁକି ନା ପରିବର୍ତ୍ତନ କଲା ଭାରତ ?

୨୦୨୩ରେ ଚୀନ ଅରୁଣାଚଳ ପ୍ରଦେଶର କିଛି ଅଞ୍ଚଳର ନାଁ ପରିବର୍ତ୍ତନ କରିଥିଲା। କାରଣ ଚୀନ ଅରୁଣାଚଳ ପ୍ରଦେଶକୁ ନିଜର ବୋଲି ଦାବି କରେ। ଏବଂ ସେ ଏହି ଅଞ୍ଚଳକୁ ଜାଙ୍ଗନାନ ବୋଲି କହେ। ଏହାର ଜବାବ ଦେଇ ଭାରତ ଲଦାଖର ନାଁ ପରିବର୍ତ୍ତନ କରିଛି। ଅକ୍ଟୋବର ୨ ତାରିଖରେ କେନ୍ଦ୍ର ଗୃହମନ୍ତ୍ରଣାଳୟ ଲଦାଖର ୨୮ଟି ସ୍ଥାନର ନାଁ ବଦଳାଇଥିଲା। ସ୍ଥାନୀୟ ପ୍ରଶାସନ ଓ ଲୋକଙ୍କ ଠାରୁ ପରାମର୍ଶ ନିଆଯାଇ ଏହା କରାଯାଇଥିଲା ବୋଲି ଭାରତ କହିଛି।

ଗୋଗରରା ଓ ହଟ ସ୍ପ୍ରିଙ୍ଗ ପୂର୍ବ ଲଦାଖର ସମ୍ବେଦନଶୀଳ ଅଞ୍ଚଳ

ଭାରତ ଯେଉଁ ଜାଗାଗୁଡ଼ିକର ନାଁ ପରିବର୍ତ୍ତନ କରିଛି, ସେଥିରେ ଗୋଗରା ଓ ହଟ ସ୍ପ୍ରିଙ୍ଗ୍ ବି ରହିଛି। ଏହା ପୂର୍ବ ଲଦାଖର ଦୁଇଟି ସମ୍ବେଦନଶୀଳ ଅଞ୍ଚଳ। ଏହି ସ୍ଥାନ ଦୁଇଟିକୁ ନେଇ ଚୀନ ଓ ଭାରତ ମଧ୍ୟରେ ସବୁବେଳେ ଅଶନ୍ତୋଷ ରହିଛି। ମେ ମାସ ୫ ତାରିଖ ୨୦୨୦ରେ ପେଙ୍ଗଙ୍ଗ ହ୍ରଦ ନିକଟରେ ଦୁଇ ଦେଶର ସୈନ୍ୟ ମଧ୍ୟରେ ହିଂସକ ଲଢ଼େଇ ହୋଇଥିଲା। ଏଥିରେ ଉଭୟ ଦେଶର ସୈନ୍ୟ ନିହତ ହୋଇଥିଲେ। ପୁଣି ସେହି ବର୍ଷ ଜୁନ ମାସରେ ଗଲୱାନ ଘାଟିରେ ବି ଦୁଇ ଦେଶର ସେନା ହାତାହିତ ହୋଇଥିଲେ। ଏହାପରେ ଉତ୍ତେଜନା କମ କରିବା ଓ ସୈନ୍ୟ ପ୍ରତ୍ୟାହାର ପାଇଁ ଦେଶ ମଧ୍ୟରେ ଏକାଧିକ ରାଉଣ୍ଡ ଆଲୋଚନା ହୋଇଥିଲା। ତା’ ପରେ ୨୦୨୨ରେ ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ ହୋଇଥଲା। ବର୍ତ୍ତମାନ ଭାରତୀୟ ସୈନ୍ୟ ଏହି ଦୁଇଟି ସ୍ଥାନରେ ପାଟ୍ରୋଲିଂ କରୁଛନ୍ତି।

୨୮ ସ୍ଥାନ ମଧ୍ୟରେ କେଉଁ କେଉଁ ନାଁ ସାମିଲ୍ ହୋଇଛି ?

ଭାରତ ଦ୍ୱାରା ନାମକରଣ କରାଯାଇଥିବା ୨୮ଟି ସ୍ଥାନ ମଧ୍ୟରେ ପର୍ବତ, ପାହାଡ଼, ହିମମଣ୍ଡଳ, ସ୍ଥଳଭାଗ, ଉପତ୍ୟକା ଏବଂ ଜଳାଶୟ ରହିଛି।

ପାହାଡ଼ି ଶିଖରି ଅଞ୍ଚଳ ମଧ୍ୟରେ ରହିଛି- ଆତିଶା ଗିରି, କନିଷ୍କ ପିକ, କରୁଣା ପୀର ପର୍ବତ, ମାର୍ତଣ୍ଡ ଗିରି, ଦ୍ରକ କାର୍ପୋ, ଜୋଲମୋରୀ, ରିନଚେନ ଜଙ୍ଗପୋ, ସାକ୍ୟାଶ୍ରୀ ଗିରି, ମାରପା, ଲୋତ୍ସାବରୀ, ମିଲାରେପା କଙ୍ଗରୀ, ଶିବ ରୀ, ଜୋରାୱର ପିକ ଓ ମହେଶ୍ୱରୀ ।

ଗିରିପଥ ଓ ଗ୍ଲେସିୟର- ଚାପଚିଙ୍ଗଲ ଗିରିପଥ, ଶାଚମିରିକ ପାସ୍, ପାର୍ପିକ୍ ଗ୍ଲେସିୟର ଏବଂ ସ୍କାମାରି ଗ୍ଲେସିୟର।ସ୍ଥଳଭାଗ ଅଞ୍ଚଳ- ବ୍ରାଙ୍ଗସା, କୁକସେଲ, ଦେହରା କମ୍ପାସ, ଗୋଗରା, କୁମାରାୟଣ ପଏଣ୍ଟ, ପଙ୍ଗାଲୁଙ୍ଗ ଓ ଶମାଲ ଲୁଙ୍ଗପା।ଘାଟି ଜଳ ସ୍ରୋତ ଅଞ୍ଚଳ- ଶ୍କୋର୍ଗା ଘାଟି, ଗୁରୁ ରିନପୋଛେ ହ୍ରଦ, ୟଙ୍ଗପା ନଦୀ ଓ ହଟ ସ୍ପ୍ରିଙ୍ଗ।