ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ମ୍ୟୁଜିୟମରେ ଥିବା ଭାରତର ତିନି ପ୍ରାଚୀନ ଐତିହ୍ୟ କଳାକୃତିକୁ ଫେରାଇ ଦେବ ଅଷ୍ଟ୍ରେଲିଆ। ଏନେଇ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜ ଗୁରୁବାର ଘୋଷଣା କରିଛନ୍ତି। ଏହି କଳାକୃତି ମଧ୍ୟରେ ରହିଛି ଦେବୀ ଭଦ୍ରକାଳୀଙ୍କ ପ୍ରତିମୂର୍ତ୍ତି, ନନ୍ଦୀଙ୍କ ପଥର ମୂର୍ତ୍ତି ଏବଂ ଷଡ଼ାନନ କାର୍ତ୍ତିକେୟଙ୍କ ପଥର ମୂର୍ତ୍ତି ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତିନି ଦିନିଆ ଅଷ୍ଟ୍ରେଲିଆ ଗସ୍ତରେ ପହଞ୍ଚିବାର ଗୋଟିଏ ଦିନ ପରେ ଏହି ଘୋଷଣା କରିଛନ୍ତି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ।

ବୁଧବାର ପ୍ରଧାନମନ୍ତ୍ରୀ ଅଷ୍ଟ୍ରେଲିଆରେ ପହଞ୍ଚିବା ପରେ ସେଠାକାର ଭାରତୀୟ ସମ୍ପ୍ରଦାୟ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରି ମୋଦୀଙ୍କୁ ଭବ୍ୟ ସ୍ୱାଗତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଭାରତ-ଅଷ୍ଟ୍ରେଲିଆର ସାଧାରଣ ସାଂସ୍କୃତିକ ଐତିହ୍ୟ ଏବଂ ଦ୍ୱିପାକ୍ଷିକ ସମ୍ପର୍କକୁ ପ୍ରଦର୍ଶିତ କରାଯାଇଥିଲା।

ଗଣମାଧ୍ୟମକୁ ସମ୍ବୋଧନ କରି ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଜ ଭାରତର ଐତିହ୍ୟକୁ ଫେରାଇବା କଥା ଘୋଷଣା କରିବା ସହିତ ଆଉ ଏକ ସୂଚନା ମଧ୍ୟ ଦେଇଥିଲେ। ସେ କହିଥିଲେ ଯେ, ଭାରତ ମଧ୍ୟ ଚେନ୍ନାଇ ସରକାରୀ ସଂଗ୍ରହାଳୟରେ ସଂରକ୍ଷିତ ରଖିଥିବା ଅଷ୍ଟ୍ରେଲିଆର ଫର୍ଷ୍ଟ ନେସନ୍ସ (ଆଦିବାସୀ) ସମ୍ପ୍ରଦାୟର ଜଣେ ପୂର୍ବପୁରୁଷଙ୍କ ଅବଶେଷକୁ ଫେରାଇବ ଦେବ।

Also Read- ରାମ ମନ୍ଦିର ଦାନ ଚୋରି ମାମଲା, ଚାକିରିରେ ଯୋଗଦାନର ୨୭ ଦିନରେ ଅଭିଯୁକ୍ତ ଆରମ୍ଭ କରିଥିଲା ଚୋରି

ଆଲବାନିଜ କହିଥିଲେ, “ଚେନ୍ନାଇ ସରକାରୀ ସଂଗ୍ରହାଳୟରେ ଥିବା ଅଷ୍ଟ୍ରେଲିଆର ଫର୍ଷ୍ଟ ନେସନ୍ସ ସମ୍ପ୍ରଦାୟର ଜଣେ ପୂର୍ବପୁରୁଷଙ୍କ ଅବଶେଷକୁ ଫେରାଇବା ପ୍ରକ୍ରିୟାରେ ହୋଇଥିବା ଅଗ୍ରଗତିକୁ ମୁଁ ସ୍ୱାଗତ କରୁଛି। ଭାରତ ସ୍ୱେଚ୍ଛାକୃତ ଏବଂ ନିଃସର୍ତ୍ତ ଭାବରେ ଏହି ଅବଶେଷକୁ ତାଙ୍କ ପାରମ୍ପରିକ ସଂରକ୍ଷକମାନଙ୍କ ନିକଟକୁ ଫେରାଇବ।”

ସେ ଆହୁରି କହିଥିଲେ, “ବନ୍ଧୁତ୍ୱର ଭାବନାକୁ ସମ୍ମାନ ଦେଇ ଅଷ୍ଟ୍ରେଲିଆ ମଧ୍ୟ ଭାରତର ସାଂସ୍କୃତିକ ମହତ୍ତ୍ୱ ଥିବା କିଛି ଐତିହ୍ୟ ବସ୍ତୁକୁ ସ୍ୱେଚ୍ଛାକୃତ ଭାବରେ ଫେରାଇବ। ଏହି ବସ୍ତୁଗୁଡ଼ିକ ଏପର୍ଯ୍ୟନ୍ତ ନ୍ୟାସନାଲ୍ ଗ୍ୟାଲେରୀ ଅଫ୍ ଅଷ୍ଟ୍ରେଲିଆ ଏବଂ ଆର୍ଟ ଗ୍ୟାଲେରୀ ଅଫ୍ ନ୍ୟୁ ସାଉଥ ୱେଲ୍ସର ସଂଗ୍ରହରେ ରହିଥିଲା।”

ଏହି ପାରସ୍ପରିକ ଐତିହ୍ୟ ଫେରସ୍ତକୁ ଐତିହାସିକ ନ୍ୟାୟ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ବର୍ଣ୍ଣନା କରି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ କହିଛନ୍ତି “ଅଷ୍ଟ୍ରେଲିଆ ଓ ଭାରତ ଏକ ଗଭୀର ଐତିହାସିକ ସମ୍ପର୍କ ରହିଛି। ଆମେ ଉଭୟ ଦେଶ ମଧ୍ୟରେ ଜନ ସମ୍ପର୍କକୁ ଆହୁରି ସୁଦୃଢ଼ କରୁଛୁ। ଫର୍ଷ୍ଟ ନେସନ୍ସ ପୂର୍ବପୁରୁଷଙ୍କ ଅବଶେଷ ଫେରାଇବା ପଦକ୍ଷେପ ଔଚିତ୍ୟ ଓ ପୁନଃ ଏକାଠି ହେବାର ଭାବନାକୁ ପ୍ରୋତ୍ସାହନ ଦେବ। ଏହି ନିଷ୍ପତ୍ତି ପାଇଁ ମୁଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା କରୁଛି।”

ଭାରତକୁ ଫେରାଇ ଦିଆଯାଉଥିବା ୩ଟି ପ୍ରାଚୀନ ଐତିହ୍ୟବସ୍ତୁ

୧. ଦେବୀ ଭଦ୍ରକାଳୀଙ୍କ ପ୍ରତିମୂର୍ତ୍ତି ସହିତ ଧାତୁର ତ୍ରିଶୂଳଏକ ତ୍ରିଶୂଳ ଆକାରରେ ତିଆରି ଏହି ପ୍ରତିମୂର୍ତ୍ତୀରେ ଆଦ୍ୟରୁ ଦେବୀ ଭଦ୍ରକାଳୀଙ୍କ ପ୍ରତିମୂର୍ତ୍ତି ରହିଛି। ଶୈବ-ଶକ୍ତି ପରମ୍ପରାରେ ଏହା ସୁରକ୍ଷା, ଦିବ୍ୟ ଶକ୍ତି ଏବଂ ଅଶୁଭର ବିନାଶର ପ୍ରତୀକ। ଏହା ତାମିଲନାଡୁର କୋଲ୍ଲୁମାଙ୍ଗୁଡି ସ୍ଥିତ ଶ୍ରୀ କାଶୀ ବିଶ୍ୱନାଥସ୍ୱାମୀ ମନ୍ଦିରରୁ ଆସିଥିବା ବେଳେ ଏହାର ସମୟକାଳ ଖ୍ରୀଷ୍ଟାବ୍ଦ ୧୩ରୁ ୧୬ ଶତାବ୍ଦୀ ମଧ୍ୟରେ ବୋଲି ଜଣାପଡ଼ିଛି।

୨. ନନ୍ଦୀଙ୍କ ପଥର ମୂର୍ତ୍ତିଏହି ମୂର୍ତ୍ତିରେ ଭଗବାନ ଶିବଙ୍କ ପବିତ୍ର ବୃଷଭ ଓ ବାହନ ନନ୍ଦୀଙ୍କୁ ଦର୍ଶାଯାଇଛି। ସାଧାରଣତଃ ନନ୍ଦୀଙ୍କ ମୂର୍ତ୍ତି ମନ୍ଦିରର ଗର୍ଭଗୃହ ସମ୍ମୁଖରେ ସ୍ଥାପନ କରାଯାଇଥାଏ, ଯାହା ଭକ୍ତି, ଶକ୍ତି ଓ ଧର୍ମର ପ୍ରତୀକ। ଏହି ମୂର୍ତ୍ତି ମଧ୍ୟ କୋଲ୍ଲୁମାଙ୍ଗୁଡିର ଶ୍ରୀ କାଶୀ ବିଶ୍ୱନାଥସ୍ୱାମୀ ମନ୍ଦିରର ଏବଂ ଏହା ୧୩ରୁ ୧୬ ଶତାବ୍ଦୀ ମଧ୍ୟର ବୋଲି କୁହାଯାଇଛି।

୩. ଷଡ଼ାନନ କାର୍ତ୍ତିକେୟଙ୍କ ପଥର ମୂର୍ତ୍ତିଚୋଳ ଯୁଗର ଏହି ମୂର୍ତ୍ତିରେ ଭଗବାନ କାର୍ତ୍ତିକେୟ, ଯିଏ ମୁରୁଗନ କିମ୍ବା ଷଣ୍ମୁଖ ନାମରେ ମଧ୍ୟ ପରିଚିତ। ତାଙ୍କର ୬ ମସ୍ତକ ଥିବା ଦର୍ଶାଯାଇଛି। ଏହି ଷଡ଼ାନନ କାର୍ତ୍ତିକ ପ୍ରତିମୂର୍ତ୍ତି ଜ୍ଞାନ, ପରାକ୍ରମ ଏବଂ ଦିବ୍ୟ ସୁରକ୍ଷାର ପ୍ରତୀକ ବୋଲି କୁହାଯାଏ। ଏହି ମୂର୍ତ୍ତି ତାମିଲନାଡୁର ଥଞ୍ଜାଭୁର ଜିଲ୍ଲାର ମନମ୍ବାଡି ସ୍ଥିତ ନାଗନାଥସ୍ୱାମୀ ମନ୍ଦିରରୁ ଆସିଥିବା ବେଳେ ଏହି ମନ୍ଦିର ରାଜେନ୍ଦ୍ର ଚୋଳ ପ୍ରଥମଙ୍କ ଶାସନ କାଳରେ ଏକାଦଶ ଶତାବ୍ଦୀର ପ୍ରାରମ୍ଭରେ ନିର୍ମିତ ହୋଇଥିଲା।

ସୂଚନା ଥାଉକି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଣ୍ଡୋନେସିଆ ଗସ୍ତ ସାରି ଅଷ୍ଟ୍ରେଲିଆରେ ପହଞ୍ଚିଛନ୍ତି। ସେଠାରେ ପହଞ୍ଚିବା ପରେ ଗୁରୁବାର ପୂର୍ବାହ୍ନରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅଷ୍ଟ୍ରେଲିଆର ରାଜଧାନୀ କ୍ୟାନବେରାରେ ସ୍ୱାଗତ ସହ ‘ଗାର୍ଡ ଅଫ୍ ଅନର୍ ଦିଆଯାଇଥିଲା। ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଜ୍ ଆନୁଷ୍ଠାନିକ ସ୍ଥଳରେ ମୋଦୀଙ୍କୁ ସ୍ୱାଗତ କରିବା ପରେ ଉଭୟ ନେତା ପରସ୍ପରକୁ ଅଭିବାଦନ ଜଣାଇ ଆନୁଷ୍ଠାନିକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ମୋଦୀଙ୍କର ତିନି ଦିନିଆ ଅଷ୍ଟ୍ରେଲିଆ ଗସ୍ତ ସମୟରେ ଉଭୟ ଦେଶର ନେତାମାନେ ପ୍ରତିରକ୍ଷା ଓ ସୁରକ୍ଷା, ବାଣିଜ୍ୟ ଓ ପୁଞ୍ଜିନିବେଶ, ଶିକ୍ଷା, ଗତିଶୀଳତା (ମୋବିଲିଟି) ଏବଂ ଲୋକ-ଲୋକ ମଧ୍ୟରେ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ଦିଗରେ କାର୍ଯ୍ୟ କରିବାକୁ ଆଲୋଚନା ହେବ। ଅଷ୍ଟ୍ରେଲିଆ ଗସ୍ତ ଶେଷ କରିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କର ତିନି ଦେଶ ଗସ୍ତର ଶେଷ ପର୍ଯ୍ୟାୟରେ ନ୍ୟୁଜିଲାଣ୍ଡ ଗସ୍ତ କରିବେ।