ଲକ୍ଷ୍ନୌ: ଅଯୋଧ୍ୟା ରାମ ମନ୍ଦିର ଦାନ ଚୋରି ମାମଲା ଯାଞ୍ଚରେ ନିତି ନୂଆନୂଆ କଥା ସାମ୍ନାକୁ ଆସୁଛି। ଏହି କ୍ରମରେ ସ୍ପେଶାଲ ଇନଭେଷ୍ଟିଗେସନ ଟିମ୍ (ଏସଆଇଟି) ଯାଞ୍ଚରେ ଟିନୁ ଯାଦବର ପୁତୁରା ମନିଷ ଯାଦବ ସମ୍ପର୍କରେ ଆଶ୍ଚର୍ଯ୍ୟଜନକ ତଥ୍ୟ ଜଣାପଡିଛି। ମନିଷ ଯାଦବ ୧୫ ଏପ୍ରିଲ ୨୦୨୬ରେ ମନ୍ଦିର ଦାନଗଣନା କକ୍ଷରେ ନିଯୁକ୍ତ ହୋଇଥିଲା। ତେବେ ମାତ୍ର ଚାକିରି କରିବାର ୨୭ ଦିନ ମଧ୍ୟରେ ମନ୍ଦିର ଦାନଚୋରି କାଣ୍ଡର ମୁଖ୍ୟ ଅଭିଯୁକ୍ତ ଅନୁକଳ୍ପ ଗୋଷ୍ଠୀରେ ସାମିଲ ହୋଇଯାଇଥିଲା ଓ ଦାନ ହଡ଼ପ ଆରମ୍ଭ କରିଦେଇଥିଲା। ୧୧ ମେ ୨୦୨୬ ପରେ କେତେକ ସିସିଟିଭି ଫୁଟେଜରେ ମନିଷ ଯାଦବକୁ ଦାନ ରାଶି ଚୋରି କରୁଥିବାର ଦେଖା ଯାଇଛି।

ଏହା ଅତିରିକ୍ତ ଏସଆଇଟି ଯାଞ୍ଚରେ ଏହା ଜଣାପଡିଛି ଯେ ଏହି ଅବଧିରେ ଦାନ ଗଣିବା ପାଇଁ କର୍ମଚାରୀ ନିଯୁକ୍ତିରେ ଟ୍ରଷ୍ଟ ଓ ବ୍ୟାଙ୍କ ମଧ୍ୟରେ ୬ ଫେବୃଆରୀ ୨୦୨୫ରେ ହୋଇଥିବା ପାରଦର୍ଶିତା ଗାଇଡଲାଇନର ଉଲ୍ଲଂଘନ ହୋଇଛି। ମନ୍ଦିରଦାନ ଚୋରି ପ୍ରକରଣରେ ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ ଓ ସଦସ୍ୟ ଡା. ଅନିଲ କୁମାର ମିଶ୍ର ଇସ୍ତଫାଦେଇଛନ୍ତି। ଏଥିରେ ଏସଆଇଟି ଚମ୍ପତ ରାୟଙ୍କୁ କ୍ଲିନ୍ ଚିଟ୍ ଦେଇଛି। ହେଲେ ଏସଆଇଟି ପ୍ରାରମ୍ଭିକ ଯାଞ୍ଚରେ ମନ୍ଦିରର ଦାନ ପ୍ରବନ୍ଧନରେ ଅନେକ ଗୁରୁତ୍ୱପୂର୍ଣ୍ଣ ଅନିୟମିତତା ସାମ୍ନାକୁ ଆସିଛି। ଯାଞ୍ଚରେ ଟ୍ରଷ୍ଟିମାନେ ଓ ସେମାନଙ୍କ କର୍ମଚାରୀଙ୍କ ବିରୋଧରେ ନିଜ ଲୋକଙ୍କୁ ନିଯୁକ୍ତି ଦେଇଥିବାର ଅଭିଯୋଗ ପୁଷ୍ଟି ହୋଇଛି।

ରିପୋର୍ଟ ଅନୁସାରେ ୮ ଜଣ ଅଭିଯୁକ୍ତଙ୍କ ମଧ୍ୟରେ ଅନ୍ୟତମ ମନିଷ ଯାଦବଙ୍କୁ ତାଙ୍କ କାକା ରାମଶଙ୍କର ଯାଦବ ଓରଫ ଟିନ୍ନୁଙ୍କ ମାଧ୍ୟମରେ କଣ୍ଟ୍ରାକଚୁଆଲ ନିଯୁକ୍ତି ମିଳିଥିଲା। ଏଥି ପାଇଁ ଟିନ୍ନୁ ବ୍ୟାଙ୍କ କର୍ମଚାରୀ ରତ୍ନେଶ ଚତୁର୍ବେଦୀଙ୍କୁ ମନିଷଙ୍କ ଆବେଦନପତ୍ର ଦେଇଥିଲେ। ଏଣୁ ମନିଷକୁ ମନ୍ଦିରର ଅଡିଟ କକ୍ଷରେ କାମ କରିବାକୁ ଅନୁମତି ମିଳିଯାଇଥିଲା। ସେହିପରି ଯାଞ୍ଚରୁ ଜଣା ପଡିଛି ଯେ ଅଡିଟ ରୁମ୍ ପ୍ରଭାରୀ ତଥା ପୂର୍ବତନ ବ୍ୟାଙ୍କ କର୍ମଚାରୀ ସୁଭାଷ ଶ୍ରୀବାସ୍ତବଙ୍କୁ ଟ୍ରଷ୍ଟ ସଦସ୍ୟ ଡ. ଅନିଲ କୁମାର ମିଶ୍ର ନିଯୁକ୍ତ କରିଥିଲେ। ତେବେ ଅନୁକଳ୍ପ ମିଶ୍ର, ଲବକୁଶ, ଅବିନାଶ ଓ ରମାଶଙ୍କର ମିଶ୍ରଙ୍କ ସହିତ ଅନ୍ୟ ଅଭିଯୁକ୍ତଙ୍କ ଆୟର ମୁଖ୍ୟ ସ୍ରୋତ ଏ ପର୍ଯ୍ୟନ୍ତ ଜଣାପଡି ନାହିଁ।

ଏହା ଛଡା ରିପୋର୍ଟରୁ ଜଣା ପଡିଛି ଯେ ଅନୁକଳ୍ପର କିଛି ସ୍ଥାନୀୟ ପ୍ରଭାବଶାଳୀ ଲୋକଙ୍କ ସହ ସମ୍ପର୍କ ରହିଛି। ଏପରି ଶୁଣା ଯାଉଛି ଯେ ଟ୍ରଷ୍ଟରେ ଅନୁକଳ୍ପର ନିଯୁକ୍ତି ଏହି ନେତାମାନଙ୍କ ମଧ୍ୟରୁ କୌଣସି ଜଣକର ସମର୍ଥନ ଯୋଗୁ ସୁନିଶ୍ଚିତ କରାଯାଇଥିଲା।