ନୂଆଦିଲ୍ଲୀ: ଭାରତୀୟ ଆଥଲେଟ୍ ଗୁଲବୀର ସିଂହ ୨୦୨୬ ଏସୀୟ କ୍ରୀଡ଼ାରେ ନିଜର ଦମଦାର ପ୍ରଦର୍ଶନ ଜାରି ରଖି ଆଉ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି । ଗୁଲବୀର ପୁରୁଷ ୫୦୦୦ ମିଟର ଦୌଡ଼ରେ ବ୍ରୋଞ୍ଜ ପଦକ ଜିତିଛନ୍ତି । ଏହା ଚଳିତ ଏସୀୟ କ୍ରୀଡ଼ାରେ ତାଙ୍କର ତୃତୀୟ ପଦକ । ପୁରୁଷ ୧୦,୦୦୦ ମିଟର ଏବଂ ୧,୫୦୦ ମିଟର ଦୌଡ଼ରେ ରୌପ୍ୟ ପଦକ ଜିତିବା ପରେ, ସେ ଏବେ ୫,୦୦୦ ମିଟର ଇଭେଣ୍ଟରେ ବ୍ରୋଞ୍ଜ ପଦକ ନିଜ ନାଁରେ କରିଛନ୍ତି ।

ଏହି ସଫଳତା ସହ ଗୁଲବୀର ଗୋଟିଏ ଏସୀୟ କ୍ରୀଡ଼ାରେ ତିନୋଟି ବ୍ୟକ୍ତିଗତ ପଦକ ଜିତିବାରେ ପ୍ରଥମ ଭାରତୀୟ ପୁରୁଷ ଆଥଲେଟ୍ ହେବାର ଗୌରବ ଅର୍ଜନ କରିଛନ୍ତି । ଗୁଲବୀର ପୁରୁଷ ୫୦୦୦ ମିଟର ଦୌଡ଼ ବର୍ଗରେ ସ୍ୱର୍ଣ୍ଣ ନେଇ ଆଶା ଥିଲା । ସେ ପୂର୍ବରୁ ଦୁଇଟି ଇଭେଣ୍ଟରେ ରୌପ୍ୟ ଜିତି ସାରିଥିଲେ । ଗୁଲବୀର ୫୦୦୦ ମିଟର ପ୍ରତିଯୋଗିତାର ଆରମ୍ଭରୁ ହିଁ ପଦକ ଦୌଡ଼ରେ ନିଜକୁ ସାମିଲ କରିଥିଲେ ଏବଂ ସେ ୧୩:୩୨:୭୫ ମିନିଟ ସମୟ ନେଇ ତୃତୀୟ ସ୍ଥାନରେ ଶେଷ କରିଥିଲେ ।

Also Read: ଐତିହାସିକ ଗୋଲ୍ଡ ଜିତିଲେ ନୀରୁ ଢାଣ୍ଡା, ଏସୀୟ କ୍ରୀଡ଼ାରେ ରେକର୍ଡ ଭାଙ୍ଗି ରଚିଲେ ଇତିହାସ

ପୂର୍ବରୁ ସମାନ ଏସୀୟ କ୍ରୀଡ଼ାରେ, ଗୁଲବୀର ପୁରୁଷ ୧୦୦୦୦ ମିଟର ଏବଂ ୧୫୦୦ ମିଟର ଦୌଡ଼ରେ ରୌପ୍ୟ ପଦକ ଜିତିଥିଲେ । ସୋମବାର, ଗୁଲବୀର ୧୫୦୦ ମିଟରରେ ତାଙ୍କର ସର୍ବୋତ୍ତମ ପ୍ରଦର୍ଶନ ଦେଇଥିଲେ ଏବଂ ୩:୩୬:୭୨ ମିନିଟ୍ ସମୟ ନେଇଥିଲେ । ଶେଷ ଲ୍ୟାପରେ ଗୁଲବୀର ଆଗୁଆ ଥିଲେ, କିନ୍ତୁ ଶେଷ କିଛି ସେକେଣ୍ଡରେ ସେ ପଛରେ ପଡ଼ି ଦ୍ୱିତୀୟ ସ୍ଥାନରେ ରହିଥିଲେ । ଗୁଲଭୀର ୦.୩୭ ସେକେଣ୍ଡ ସମୟ ପାଇଁ ପ୍ରଥମ ସ୍ଥାନରୁ ବଞ୍ଚିତ ହୋଇଥିଲେ ।