ଜୟପୁର: ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କୁ ପାରୋଲ୍ ପ୍ରଦାନ ସମ୍ବନ୍ଧରେ ରାଜସ୍ଥାନ ହାଇକୋର୍ଟ ଏକ ନିର୍ଦ୍ଦେଶ ଜାରି କରିଛନ୍ତି। କୋର୍ଟ ତାଙ୍କୁ ୨୦ ଦିନ ପାଇଁ ପାରୋଲ୍ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟ କହିଛନ୍ତି ଯେ, କେବଳ ଅନ୍ୟ ଏକ ରାଜ୍ୟରେ ଦୋଷୀ ସାବ୍ୟସ୍ତ ହୋଇଥିବା କାରଣରୁ ରାଜସ୍ଥାନ ହାଇକୋର୍ଟଙ୍କ ଦ୍ୱାରା ପ୍ରଦତ୍ତ ପାରୋଲକୁ ଅଟକାଇ ରଖାଯାଇପାରିବ ନାହିଁ। ରାଜସ୍ଥାନ ହାଇକୋର୍ଟ ଆଶାରାମଙ୍କ ପାରୋଲ୍ ସମ୍ବନ୍ଧରେ ରାଜ୍ୟ ସରକାରଙ୍କଠାରୁ ଜବାବ ଲୋଡ଼ିଛନ୍ତି। ୩ ଅଗଷ୍ଟ ୨୦୨୬ରେ ଜାରି କରାଯାଇଥିବା ୨୦ ଦିନିଆ ପାରୋଲ୍ ଆଦେଶ କାହିଁକି ଏପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯାଇନାହିଁ, ସେ ନେଇ ହାଇକୋର୍ଟ ପ୍ରଶ୍ନ ଉଠାଇଛନ୍ତି। ଆଶାରାମଙ୍କୁ ପାଲୋର ପ୍ରଦାନ କରି ଉକ୍ତ ଆଦେଶକୁ କାର୍ଯ୍ୟକାରୀ କରିବାକୁ ଏବଂ ଏ ସମ୍ବନ୍ଧୀୟ ରିପୋର୍ଟ ଦାଖଲ କରିବାକୁ କୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ଥାଉ କି , ଆଶାରାମଙ୍କୁ ଅଗଷ୍ଟ ୩, ୨୦୨୬ରେ ରାଜସ୍ଥାନ ହାଇକୋର୍ଟ ୨୦ ଦିନର ପ୍ରଥମ ପାରୋଲ ମଞ୍ଜୁର କରିଥିଲେ। ତେବେ ଆଦେଶ ସତ୍ତ୍ୱେ ତାଙ୍କୁ ଜେଲରୁ ମୁକ୍ତ କରାଯାଇନଥିବା ଅଭିଯୋଗ କରି ତାଙ୍କ ପକ୍ଷରୁ ହାଇକୋର୍ଟରେ ଆବେଦନ କରାଯାଇଥିଲା। ଜଷ୍ଟିସ୍ ନୂପୁର ଭାଟୀ ଓ ଜଷ୍ଟିସ୍ ସଞ୍ଜୀତ ପୁରୋହିତଙ୍କ ଖଣ୍ଡପୀଠ ଏହି ଆବେଦନର ଶୁଣାଣି କରିଥିଲେ। କୋର୍ଟ ସରକାରଙ୍କୁ ପୂର୍ବ ଆଦେଶର ପାଳନ କରିବା ସହ ଆଶାରାମଙ୍କୁ ପାରୋଲ ପ୍ରଦାନ କରିବାକୁ କହିଛନ୍ତି। ଶୁଣାଣି ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଅତିରିକ୍ତ ଆଡଭୋକେଟ୍ ଜେନେରାଲ ବି.ଏଲ୍. ଭାଟୀ ଯୁକ୍ତି ଦେଇଥିଲେ ଯେ,ଆଶାରାମଙ୍କୁ ଗୁଜରାଟର ଗାନ୍ଧୀନଗର ଅଦାଲତ ମଧ୍ୟ ଏକ ଅଲଗା ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହାସହ ଗୁଜରାଟ ହାଇକୋର୍ଟ ତାଙ୍କ ଜରୁରୀକାଳୀନ ପାରୋଲ ଆବେଦନକୁ ଖାରଜ କରିଥିବା କଥା ମଧ୍ୟ ସରକାର ଉଠାଇଥିଲେ।

ତେବେ ରାଜସ୍ଥାନ ହାଇକୋର୍ଟ ଏହି ଯୁକ୍ତିକୁ ଗ୍ରହଣ କରିନଥିଲେ। କୋର୍ଟ କହିଥିଲେ ଯେ, ଆଶାରାମଙ୍କ ବିରୋଧରେ ଅନ୍ୟ ରାଜ୍ୟରେ ଦୋଷ ସାବ୍ୟସ୍ତ ହୋଇଥିଲେ ବି ରାଜସ୍ଥାନ ହାଇକୋର୍ଟ ପୂର୍ବରୁ ଦେଇଥିବା ପାରୋଲ ଆଦେଶକୁ ରୋକାଯାଇପାରିବ ନାହିଁ। ପୂର୍ବ ଆଦେଶକୁ ବାତିଲ କିମ୍ବା ସ୍ଥଗିତ ରଖିବା ପାଇଁ ସରକାର କୌଣସି ସ୍ପଷ୍ଟ ଆଇନଗତ ଆଧାର ଦେଖାଇପାରିନାହାନ୍ତି ବୋଲି ଖଣ୍ଡପୀଠ ମତ ଦେଇଛନ୍ତି। ହାଇକୋର୍ଟଙ୍କ ମୂଳ ଆଦେଶରେ ୫୦ ହଜାର ଟଙ୍କାର ବ୍ୟକ୍ତିଗତ ବଣ୍ଡ୍ ଏବଂ ୨୫ ହଜାର ଟଙ୍କାର ଦୁଇଟି ଜାମିନଦାରଙ୍କ ସର୍ତ୍ତ ମଧ୍ୟ ରହିଛି।

କେଉଁ ମାମଲାରେ ଜେଲରେ ଥିଲେ ଆଶାରାମ?

୨୦୧୮ ମସିହାରେ ଯୋଧପୁରର ସ୍ୱତନ୍ତ୍ର POCSO କୋର୍ଟ ଜଣେ ନାବାଳିକାଙ୍କ ସହ ଦୁଷ୍କର୍ମ ଓ ଯୌନ ଉତ୍ପୀଡ଼ନ ମାମଲାରେ ଆସାରାମଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଏହି ମାମଲାରେ ତାଙ୍କୁ ଆଜୀବନ କାରାଦଣ୍ଡ ମିଳିଥିଲା। ବର୍ତ୍ତମାନ ଆଶାରାମ ଯୋଧପୁର ଜେଲରେ ଅଛନ୍ତି। ଏହାସହ ୨୦୨୩ ମସିହାରେ ଗାନ୍ଧୀନଗରର ଏକ ଅଦାଲତ ଦୁଇ ଭଉଣୀଙ୍କ ସହ ଜଡିତ ଅଲଗା ଯୌନ ଅପରାଧ ମାମଲାରେ ମଧ୍ୟ ଆଶାରାମଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଥିଲେ। ଏହି ଦୋଷୀ ସାବ୍ୟସ୍ତ ହେବା ଆଧାରରେ ଆଶାରାମଙ୍କୁ ପାରୋଲରେ ମୁକ୍ତ କରିବାକୁ ରାଜ୍ୟ ସରକାର ଆପତ୍ତି ଜଣାଇଥିଲେ। ତେବେ ରାଜସ୍ଥାନ ହାଇକୋର୍ଟ କହିଛନ୍ତି, ଅନ୍ୟ ରାଜ୍ୟରେ ଥିବା ମାମଲାକୁ ଆଧାର କରି ପୂର୍ବରୁ ଦିଆଯାଇଥିବା ପାରୋଲ ଆଦେଶକୁ ରୋକାଯାଇପାରିବ ନାହିଁ। ଏହାପରେ କୋର୍ଟ ସରକାରଙ୍କୁ ଆଶାରାମଙ୍କୁ୨୦ ଦିନର ପାରୋଲରେ ମୁକ୍ତ କରିବା ସହ ଆଦେଶର ଅନୁପାଳନ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।