ଭୁବନେଶ୍ବର ୧୨।୧୧: ଲୋୟର ପିଏମଜିରେ ମଞ୍ଚ ବାନ୍ଧି ଖୋଲା ବିତର୍କ ପାଇଁ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ଆହ୍ବାନ ଦେଲେ ବିଜେଡି ବିଧାୟକ ଅରୁଣ ସାହୁ । ବିଜେପି ୨୫ ବର୍ଷର ଇତିହାସ କଥା କହୁଛି, ହେଲେ ବର୍ତ୍ତମାନ ରାଜ୍ୟବାସୀ ତାଙ୍କୁ କ୍ଷମା ଦେବେନି ବୋଲି ଅରୁଣ ସାହୁ କହିଛନ୍ତି ।

ଅରୁଣ ସାହୁ କହିଛନ୍ତି, ଏ ସରକାରକୁ ଇତିହାସ କେବେ କ୍ଷମା ଦେବ ନାହିଁ । ବର୍ତ୍ତମାନ ରାଜ୍ୟବାସୀ ବିଜେପି ସରକାରଙ୍କୁ କ୍ଷମା ଦେବେ ନାହିଁ । ସେ କ’ଣ ଇତିହାସ କଥା କହିବେ । ଶବ୍ଦର ଚାତୁରିରେ ଇତିହାସ ଲେଖାଯାଏ ନାହିଁ । ବାସ୍ତବ କଥାକୁ ନେଇ ଇତିହାସ ଲେଖାଯାଏ । ୨୫ ବର୍ଷ ଭିତରେ ଗଞ୍ଜାମ ଏଭଳି ଅବସ୍ଥା କେବେ ଦେଖି ନଥିଲା । ଏ ସରକାରର ଅଢେଇ ବର୍ଷ ସରକାରରେ ଦେଖିଲା । ଏହା ହେଉଛି ବାସ୍ତବତା । ମୁଁ ରାଜସ୍ବ ମନ୍ତ୍ରୀଙ୍କୁ ଆହ୍ୱାନ ରଖୁଛି, ଲୋୟର ପିଏମଜିରେ ମଞ୍ଚ ବାନ୍ଧନ୍ତୁ । ତାଙ୍କର ସଭିଏଁ ବସନ୍ତୁ । ମୁଁ ଗୋଟିଏ ପଟେ ବସିବି । ଆଲୋଚନା କରନ୍ତୁ । ବିଧାନସଭା ଚଳାଇ ଦେଉ ନାହାନ୍ତି । ସେଠାରେ କ’ଣ ଆଲୋଚନା ହେବ । ଆମ ବେଳେ ଫାଇଲିନ, ହୁଡହୁଡ, ତିତିଲି ହୋଇଥିଲା । ତାକୁ ମୁକାବିଲା କରାଗଲା । ହେଲେ ‘ଅର୍ଣ୍ଣବ’ ଆନ୍ଧ୍ରରେ ମାଡ଼ ହେଲା । ଏମାନେ ମାଲକାନଗିରି ଜଗିଛନ୍ତି । ଏଣେ ଗଞ୍ଜାମ ଭାସିଗଲା ବୋଲି ଅରୁଣ ସାହୁ କହିଛନ୍ତି ।

ବନ୍ୟା ସ୍ଥିତି ପରିଚାଳନା ନେଇ ପ୍ରଶ୍ନ ଉଠିବା ପରେ ପୂର୍ବ ସରକାରଙ୍କୁ ନିଶାନା କରିଥିଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ଗଞ୍ଜାମ ବନ୍ୟା ପାଇଁ ୨୪ ବର୍ଷର ବିଫଳତାକୁ ଦାୟୀ କରିଥିଲେ ରାଜସ୍ବ ମନ୍ତ୍ରୀ । କହିଥିଲେ, IMD ପକ୍ଷରୁ ଆକଳନ ଅନୁସାରେ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଇଥିଲା । ତେବେ ଆକଳନ ଠାରୁ ଅଧିକ ବର୍ଷା ହେବାରୁ ସ୍ଥିତି ବିଗିଡିଲା । ଗଞ୍ଜାମ ଇତିହାସରେ ଏମିତି ବର୍ଷା କେବେ ହୋଇ ନଥିଲା । ୨୮, ୨୯, ୩୦ରେ ପ୍ରବଳ ବର୍ଷା ହେବାରୁ ବନ୍ୟା ସ୍ଥିତି ସୃଷ୍ଟି ହୋଇଥିଲା । ଗଞ୍ଜାମରେ ୩ ଦିନରେ ୩୩୭.୬ ମିଲିମିଟର ବର୍ଷା ହୋଇଥିଲା । ଏହି ସମୟରେ ପାତ୍ରପୁରରେ ୮୦୮.୪ ମିମି ବର୍ଷା ରେକର୍ଡ ହୋଇଥିଲା । ଗୋଟିଏ ଦିନରେ ପାତ୍ରପୁରରେ ୫୪୬ ମିଲିମିଟର ବର୍ଷା ରେକର୍ଡ ହୋଇଥିଲା । ବନ୍ୟା ସ୍ଥିତିର ମୁକାବିଲା ପାଇଁ ୮ ମନ୍ତ୍ରୀଙ୍କୁ ଦାୟିତ୍ବ ଦିଆଯାଇଥିଲା । ଆଗାମୀ ଦିନରେ ବନ୍ୟା ସ୍ଥିତିର ମୁକାବିଲା ପାଇଁ ବିଭିନ୍ନ IIT ସହ ଆଲୋଚନା ହୋଇଥିଲା । ଆଗକୁ ପର୍ବତ ପାହାଡ଼ କନ୍ଧମାଳ ଗଜପତିରେ ଭୂସ୍ଖଳନ ନେଇ ଅନୁଧ୍ୟାନ କରାଯିବ ।

Also Read:- କୋଟି କୋଟି ଟଙ୍କା ଆତ୍ମସାତ୍ ଅଭିଯୋଗ, ସମ୍ପର୍କୀୟଙ୍କ ଘରୁ ଫେରାର ହେଡ୍ କ୍ଲର୍କଙ୍କୁ ଧରିଲା ଭିଜିଲାନ୍ସ

୨୪ ବର୍ଷର ସରକାର ନିଜ ବିଫଳତା ଲୁଚାଇବାକୁ ଆମକୁ ଦୋଷ ଦେଉଛନ୍ତି । ଫାଇଲନରୁ ଫନି ଫେଲ୍ ମାରିଥିଲେ ପୂର୍ବ ସରକାର । ୨୦୧୩ ଫାଇଲିନରେ ୪୫ ଜଣଙ୍କ ମୃତ୍ୟୁ ହୋଇଥିଲା । ୨୦୧୮ ତିତିଲି ସମୟରେ ୭୨ ଓ ଫନି ସମୟରେ ୬୫ ଜଣଙ୍କ ମୃତ୍ୟୁ ହୋଇଥିଲା । ଆମ ସରକାରରେ ଜିରୋ କାଜୁଆଲିଟିକୁ ଆମେ ପ୍ରାଥମିକତା ଦେଉଛୁ । ୨୪ ବର୍ଷ ଶାସନ ଭିତରେ ପୂର୍ବ ସରକାର ଦୃଷ୍ଟି ଦେଇ ନ ଥିଲେ । ଗତ ୨ ବର୍ଷ ୪ ମାସ ମଧ୍ୟରେ ମୋହନ ସରକାରଙ୍କ ସମୟରେ କିଭଳି ବିପର୍ଯ୍ୟୟ ପରିଚାଳନା ହୋଇଛି ତାହାକୁ ଲୋକ ଦେଖିଛନ୍ତି । କେବଳ ପ୍ରଶ୍ନ କରିବାର ନାହିଁ, ଉତ୍ତର ଦେବାର ଆବଶ୍ୟକତା ରହିଛି । ଆସନ୍ତା ୧୮ ତାରିଖରୁ ବିଧାନସଭା ଆରମ୍ଭ ହେବାକୁ ଯାଉଛି । ସମସ୍ତ ବିତର୍କ ପାଇଁ ଆମେ ରାଜି ଅଛୁ କହିଲେ ମନ୍ତ୍ରୀ ସୁରେଶ ପୂଜାରୀ । ବିରୋଧୀ ତଥ୍ୟ ଧରିକି ଆସନ୍ତୁ । ଆସନ୍ତା ବିଧାନ ସଭାରେ ଆମେ ସବୁ ତଥ୍ୟ ସହ ବିରୋଧୀଙ୍କୁ ସାମ୍ନା କରିବାକୁ ପୂରା ପ୍ରସ୍ତୁତ ବୋଲ ସୁରେଶ ପୂଜାରୀ କହିଥିଲେ ।