କେନ୍ଦ୍ରାପଡ଼ା ୧୨।୧୧: ହେରଫେର କରିଥିଲେ ସରକାରୀ ଅର୍ଥ । କୋଟି କୋଟି ଟଙ୍କା ଆତ୍ମସାତ୍ କରିଥିଲେ । ଧରାପଡ଼ିଯିବା ପରେ ହୋଇଯାଇଥିଲେ ଫେରାର । ମିଳୁନଥିଲା ହେଡ୍ କ୍ଲର୍କଙ୍କ ପତ୍ତା । ଭିଜିଲାନ୍ସ ତଦନ୍ତ କରି ଧରି ପକାଇଲା ସମ୍ପର୍କୀୟଙ୍କ ଘରୁ । ଏମିତି ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ୍‌ରେ ।

କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ହେଡ୍ କ୍ଲର୍କ ଶଶିକାନ୍ତ ରଣା । ୩ କୋଟିରୁ ଅଧିକ ଟଙ୍କା ହେରଫେର ଘଟଣାର ଅଭିଯୁକ୍ତ ହେଉଛନ୍ତି ଶଶିକାନ୍ତ । ଫେରାର ହେଡ୍ କ୍ଲର୍କଙ୍କୁ ଧରିଛି ଭିଜିଲାନ୍ସ । ଗୁରୁବାର ଅନୁଗୁଳ ସ୍ଥିତ ଜଣେ ସମ୍ପର୍କୀୟଙ୍କ ଘରୁ ଶଶିକାନ୍ତଙ୍କୁ ଉଠାଇ ଆଣିଛି ଭିଜିଲାନ୍ସ ଟିମ୍ l

ଡେରାବିଶ ଓ ରାଜକନିକା ବ୍ଲକ୍ର ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ପାଇଁ ଥିବା ପ୍ରାୟ ୩ କୋଟି ଟଙ୍କା ହେରଫେର କରିଥିବା ନେଇ ଶଶିକାନ୍ତଙ୍କ ନାମରେ ଅଭିଯୋଗ ହୋଇଥିଲା । ଅଭିଯୋଗ ହେବା ପରେ ଗତ ଅକ୍ଟୋବର ମାସ ୨୬ ତାରିଖରୁ ସେ ଫେରାର ହୋଇଯାଇଥିଲେ l ଏହି ଘଟଣାରେ ଶଶିକାନ୍ତଙ୍କ ନାମରେ ଡେରାବିଶ ବ୍ଲକ୍ BDOଙ୍କ ପକ୍ଷରୁ ସଦର ଥାନାରେ ଏତଲା ଦିଆଯାଇଥିଲା l

Also Read:-୧୦ ବର୍ଷର ଅପେକ୍ଷା ପରେ ବି ମିଳିଲାନି ରାସ୍ତା, ରାଜରାସ୍ତା ଅବରୋଧ କଲେ ଗ୍ରାମବାସୀ

ତେବେ ଘଟଣାର ତଦନ୍ତ ଜାରି ରଖିଥିଲା ଭିଜିଲାନ୍ସ ବିଭାଗ । କେନ୍ଦ୍ରାପଡ଼ା ଭିଜିଲାନ୍ସ ଡିଏସ୍ପି ଭାଗ୍ୟଲକ୍ଷ୍ମୀ ପୁହାଣଙ୍କ ନେତୃତ୍ବରେ ଗୁରୁବାର ଚଢାଉ କରାଯାଇଥିଲା । ଅନୁଗୁଳ ସ୍ଥିତ ସମ୍ପର୍କୀୟଙ୍କ ଘରୁ ଶଶିକାନ୍ତଙ୍କୁ କାବୁ କରିଛି ଭିଜିଲାନ୍ସ । ଏ ନେଇ ଅଧିକ ତଦନ୍ତ ଜାରି ରଖିଛି ଭିଜିଲାନ୍ସ ।