ନୂଆଦିଲ୍ଲୀ: ରଣ କ୍ଷେତ୍ର ପାଲଟିଲା ସଂସଦ ଭବନ। ବକ୍ସିଂ ରିଙ୍ଗରେ ଯେମିତି ପ୍ରତିଯୋଗୀମାନେ ପରସ୍ପର ଉପରେ ମୁଥ ବର୍ଷାନ୍ତି, ଠିକ୍ ସେହିଭଳି ସଂସଦରେ ମୁଥ ମରାମରି ହେଲେ ସାଂସଦ। ଯିଏ ଯାହାକୁ ପାରିଲା ଗୋଇଠା, ବିଧା, ଚାପୁଡ଼ା କଶି ଦେଇଗଲା। ନିଜକୁ ବକ୍ସର ଭାବି ଅନ୍ୟ ସାଂସଦ ଉପରେ ମୁଥ ପରେ ମୁଥ ଥୋଇ ଦେଇଗଲେ ସାଂସଦ। ସ୍ଥିତି ଏମିତି ହେଲା, ଶେଷରେ ଆମ୍ବୁଲାନ୍ସ ଆସି ହାଜର।

ଆର୍ମେନିଆ ସଂସଦ ଭିତରେ ଗୁରୁବାର ଏଭଳି ଲଙ୍କାକାଣ୍ଡ ଦେଖିବାକୁ ମିଳିଛି। ସାଂସଦମାନେ ପରସ୍ପରକୁ ମୁଥ ମରାମରି ହୋଇଛନ୍ତି। ସଂସଦରେ ଆଲୋଚନା ବେଳେ ଉଭୟ ବିରୋଧୀ ଓ ଶାସକ ପକ୍ଷ ସାଂସଦ ପରସ୍ପରକୁ ବାଡ଼େଇବାରୁ ଟେଲିଭିଜନରେ ପ୍ରସାରିତ ହେଉଥିବା ଏହି ଅଧିବେଶନ ଏକ ଉଗ୍ର ସଂଘର୍ଷର ରୂପ ନେଇଥିଲା।

ଦେଶର ଅଡିଟ୍ ଚାମ୍ବରରେ ଜଣେ ସଦସ୍ୟଙ୍କ ନିଯୁକ୍ତି ନେଇ ଆଲୋଚନା ଚାଲିଥିବା ବେଳେ ଏହି ବିବାଦ ଉପୁଜିଥିଲା। ଶାସକ 'ସିଭିଲ୍ କଣ୍ଟ୍ରାକ୍ଟ' ଦଳର ସାଂସଦ ତାରୋନ୍ ଚାଖୋୟାନ ବିରୋଧୀ ଦଳ ନେତା ନାରେକ୍ କାରାପେତ୍ୟାନଙ୍କ ଜଣେ ସମ୍ପର୍କୀୟଙ୍କ ସହ ଜଡ଼ିତ ନିର୍ବାଚନ ପୂର୍ବର ଏକ ବିବାଦୀୟ ମନ୍ତବ୍ୟକୁ ନେଇ ଟିପ୍ପଣୀ କରିଥିଲେ। ଯାହାକୁ ନେଇ ପ୍ରଥମେ ଭର୍ତ୍ସନା ଓ ପରେ ସ୍ଥିତି ହାତାହାତି ହୋଇଥିଲା।

ଆର୍ମେନିଆନ ଗଣମାଧ୍ୟମ ଆର୍ମେନପ୍ରେସ ରିପୋର୍ଟ ଅନୁସାରେ ଏହି ବିବାଦ ନିର୍ବାଚନ ପୂର୍ବ ରାଲିରେ ଦିଆଯାଇଥିବା ମନ୍ତବ୍ୟ ସହ ଜଡ଼ିତ। ସେତେବେଳେ ବର୍ତ୍ତମାନର ବିରୋଧୀ ଦଳର ନେତା କାରାପେତ୍ୟାନଙ୍କ ଭାଇ ଏକ ମନ୍ତବ୍ୟ ଦେଇଥିଲେ। ଯଦି ତାଙ୍କ ଦଳ ସରକାରଙ୍କୁ ଆସେ, ତେବେ ମହିଳାଙ୍କ ପାଇଁ ଏକ ଅଲଗା ମନ୍ତ୍ରଣାଲୟ ଖୋଲାଯିବ ବୋଲି ସେ କହିଥିଲେ।

Also record- ୪୧ ହଜାର ଆମେରିକୀୟ ଅଫିସରଙ୍କ ଡାଟା ଲିକ୍, ସିକ୍ରେଟ୍ ଏଜେଣ୍ଟଙ୍କ ତଥ୍ୟ ନେଇଗଲେ ହ୍ୟାକର୍ !

ଯାହାକୁ ନେଇ ଶାସକ ଦଳର ନେତା ଚାଖୋୟାନ କାରାପେତ୍ୟାନଙ୍କୁ କଟାକ୍ଷ କରିଥିଲେ। ଏବଂ କହିଥଲେ ମହିଳାଙ୍କୁ ସନ୍ତୁଷ୍ଟ କରିବା ପାଇଁ ଆପଣଙ୍କ ଭାଇ ଏକ ସ୍ୱନ୍ତ୍ର ମହିଳା କମିଶନ ଖୋଲିବା ପାଇଁ କହିଥିବା କଥା ଉପରେ ଏପର୍ଯ୍ୟନ୍ତ କ୍ଷମା ମାଗି ନାହାନ୍ତି। ପ୍ରଥମେ କାରାପେତ୍ୟାନ ନିଜ ସିଟ୍ରେ ବସି ଏହାର ଜବାବ ଦେଇଥିଲେ। ପରେ ବାଚସ୍ପତିଙ୍କ ପୋଡ଼ିୟମ ନିକଟକୁ ଯିବା ବେଳେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା। ଚାହୁଁଚାହୁଁ ପୂରା ସଂସଦ ଭିତର ରଣକ୍ଷେତ୍ର ପାଲଟି ଯାଇଥିଲା। ଏମିତିକ ଉପବାଚସ୍ପତି ଉପବାଚସ୍ପତି ଭାହାଗ୍ନ ଆଲେକ୍ସାନିଆନ୍ ମଧ୍ୟ ବିରୋଧୀ ଦଳର ସାଂସଦଙ୍କ ଉପରକୁ ଚେୟାର ଫିଙ୍ଗୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ମାରପିଟରେ ଭାସା ଅଭାସା ଉଡ଼ିଥିଲା। ସାଂସଦଙ୍କ ମଧ୍ୟରେ ମାରପିଟ ହେବା ପରେ ଉପସ୍ଥିତ ସୁରକ୍ଷା କର୍ମୀମାନେ କଳି ରୋକିବାକୁ ବହୁତ କୁସ୍ତି କସରତ କରିଥିଲେ।

ବିରୋଧୀ ଦଳର ନେତାଙ୍କ ଦୋଷ ଦେଲେ ବାଚସ୍ପତି

ସଂସଦ ବାଚସ୍ପତି ରୁବେନ ରୁବିନ୍ୟାନ ଘଟଣାରେ ବିରୋଧୀ ଦଳର ନେତା କାରପେତ୍ୟାନଙ୍କୁ ଦୋଷୀ ବୋଲି କହିଛନ୍ତି। ଭିଡିଓ ଫୁଟେଜ୍ରେ ଚାଖୋୟାନ ସେମିତି କୌଣସି ଆପତ୍ତିଜନକ ମନ୍ତବ୍ୟ ଦେଇ ନଥିବା ଦେଖାଯାଉଛି। ହେଲେ କାରପେତ୍ୟାନ ନିଜକୁ ନିୟନ୍ତ୍ରଣ କରି ନପାରି ମାରିପିଟ କରିଥିଲେ ବୋଲି ବାଚସ୍ପତି କହିଛନ୍ତି।

ଆସିଲା ଅମ୍ବୁଲାନ୍ସ

ୟୁକ୍ରେନ ନ୍ୟୁଜ ଏଜେନ୍ସି ୟୁଏନଏନର ରିପୋର୍ଟ ଅନୁସାରେ ଏହି ମାର୍ପିଟ୍ରେ 'ଷ୍ଟ୍ରଙ୍ଗ ଆର୍ମେନିଆ' ଦଳର ସାଂସଦ ଆନ୍ଦ୍ରାନିକ ଗେଭୋର୍ଗ୍ୟାନଙ୍କ ନାକରୁ ରକ୍ତ ବାହାରୁଥିଲା, ସେପଟେ ବିରୋଧୀ ଦଳର ସାଂସଦ ରୁବେନ ମଖିତାର୍ୟାନଙ୍କ ସାର୍ଟିପ୍ୟାଣ୍ଟ ଚିରିଯାଇଥିଲା। ଆହତ ସାଂସଦଙ୍କୁ ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଡାକି ଡାକ୍ତରଖାନା ନେବାକୁ ପଡ଼ିଥିଲା।