ନୂଆଦିଲ୍ଲୀ: ଆପଲ୍ ଫ୍ୟାନଙ୍କ ପାଇଁ ଖୁସି ଖବର। ଆସନ୍ତା ସେପ୍ଟେମ୍ବର ୯ରେ ଆପଲ ଏହାର ପରବର୍ତ୍ତୀ ବଡ଼ ଆଇଫନ ଇଭେଣ୍ଟ ଆୟୋଜନ କରିବ। ‘ସରପ୍ରାଇଜ ଆଣ୍ଡ ସାଇନ ନାଁରେ ହେବାକୁ ଥିବା ଏହି ଇଭେଣ୍ଟ ରାତି ୧୦:୩୦ଟାରେ (IST) ଆରମ୍ଭ ହେବ। ତେବେ ଆପଲ ଏପର୍ଯ୍ୟନ୍ତ ନୂଆ ଆଇଫୋନର ନାଁ, ଦାମ କିମ୍ବା ସ୍ପେସିଫିକେସନ୍ ଆନୁଷ୍ଠାନିକ ଭାବେ ଘୋଷଣା କରି ନଥିବା ବେଳେ ବିଭିନ୍ନ ମିଡିଆରେ କିନ୍ତୁ ଏନେଇ ଖବର ପ୍ରକାଶ ପାଇଛି।

ମିଡିଆ ରିପୋର୍ଟ ଅନୁସାରେ ଏହି ଇଭେଣ୍ଟରେ iPhone 18 Pro ଓ iPhone 18 Pro Max ମୁଖ୍ୟ ଆକର୍ଷଣ ହୋଇପାରେ। ରିପୋର୍ଟ ଅନୁସାରେ, ବେସିକ୍ iPhone 18ର ଲଞ୍ଚ ୨୦୨୭କୁ ଘୁଞ୍ଚିପାରେ। ଆପଲର ନୂଆ ସିଇଓଜନ ଟର୍ଣ୍ଣନସଙ୍କ ନେତୃତ୍ୱରେ ଏହା କମ୍ପାନୀର ପ୍ରଥମ ବଡ଼ ଲଞ୍ଚ ଇଭେଣ୍ଟ ହେବ।

କେତେ ହୋଇପାରେ ଦାମ?

ଭାରତରେ iPhone 18 Proର ପ୍ରାରମ୍ଭିକ ମୂଲ୍ୟ ପ୍ରାୟ ₹୧.୩୪ ଲକ୍ଷ ହୋଇପାରେ। ସେହିପରି Pro Maxର ଦାମ ₹୧.୫୫ ଲକ୍ଷରୁ ₹୧.୭୦ ଲକ୍ଷ ମଧ୍ୟରେ ରହିପାରେ ବୋଲି ଆକଳନ ରହିଛି। ତେବେ ଏଗୁଡ଼ିକ କେବଳ ରିପୋର୍ଟ ଓ ଲିକ୍ ଉପରେ ଆଧାରିତ ଅନୁମାନ। କମ୍ପାନୀ ପକ୍ଷରୁ କିନ୍ତୁ ଏନେଇ କୌଣସି ସୂଚନା ଦିଆ ଯାଇ ନାହିଁ।

ଡିସପ୍ଲେ ଓ କ୍ୟାମେରାରେ ବଡ଼ ଅପଗ୍ରେଡ୍

iPhone 18 Proରେ ୬.୩ ଇଞ୍ଚ, ଏବଂ Pro Maxରେ ୬.୯ ଇଞ୍ଚ ଓଲେଡ୍ ୧୨୦ହଟ୍ସ ଡିସପ୍ଲେ ରହିପାରେ। ଡାଇନାମିକ ଆଇସଲ୍ୟାଣ୍ଡ ଛୋଟ ହେବା ସହ ଅଣ୍ଡର ଡିସପ୍ଲେ ଫେସ୍ ଆଇଡି ଆସିବା ନେଇ ମଧ୍ୟ ଚର୍ଚ୍ଚା ରହିଛି।

Also Read- ଭାରତରେ POCO X8 ଓ X8 Power ଲଞ୍ଚ: ସବୁଠାରୁ ବଡ଼ ବ୍ୟାଟେରୀ, ଫାଷ୍ଟ ଚାର୍ଜିଂ, ଦାମ ବି ଖୁବ୍ କମ୍

କ୍ୟାମେରାରେ ତିନୋଟି ୪୮ ମେଗାପିକ୍ସେଲ ରିୟର କ୍ୟାମେରା ଏବଂ ୨୪ ମେଗାପିକ୍ସେଲ ଫ୍ରଣ୍ଟ କ୍ୟାମେରା ମିଳିପାରେ। ମୁଖ୍ୟ କ୍ୟାମେରାରେ ଭ୍ୟାରିଏବଲ ଅପର୍ଚର ଟେକ୍ନୋଲୋଜି ଆସିପାରେ, ଯାହା ଭିନ୍ନ ଭିନ୍ନ ଆଲୋକ ପରିସ୍ଥିତିରେ ଫଟୋଗ୍ରାଫିକୁ ଆହୁରି ଉନ୍ନତ କରିପାରେ।

A20 Pro ଚିପ୍ ଓ 12GB RAM!

iPhone 18 Pro ସିରିଜରେ A20 Pro ଚିପ୍, ୨ଏନଏମ ପ୍ରୋସେସ୍, ୧୨ ଜିବି ପର୍ଯ୍ୟନ୍ତ ରାମ ଏବଂ ସି୨ ମୋଡେମ ମିଳିପାରେ। କିଛି ରିପୋର୍ଟରେ ଗ୍ରାଫିକ୍ସ ପରଫର୍ମାନ୍ସ ପ୍ରାୟ ୧୮% ବଢ଼ିବା ନେଇ ମଧ୍ୟ ଦାବି କରାଯାଇଛି।

ପ୍ରଥମ Foldable iPhone ଉପରେ ନଜର

ସବୁଠାରୁ ବଡ଼ ଆକର୍ଷଣ ହୋଇପାରେ ଆପଲର ପ୍ରଥମ ଫୋଲ୍ଡେବଲ ଆଇଫୋନ। ରିପୋର୍ଟରେ ଏହାକୁ ‘iPhone Fold’ କିମ୍ବା ‘iPhone Ultra’ ବୋଲି କୁହାଯାଉଛି। ଏଥିରେ ପ୍ରାୟ ୭.୮ ଇଞ୍ଚ ଫୋଲ୍ଡେବଲ୍ ଡିସପ୍ଲେ, ୫.୫ ଇଞ୍ଚ କଭର୍ ସ୍କ୍ରିନ୍ ଏବଂ ଖୋଲିଲେ ପ୍ରାୟ ୪.୫ ମିମି ମୋଟେଇ ରହିପାରେ।

ଫୋଲ୍ଡେବଲ୍ ଆଇଫୋନର ଦାମ ୨ ହଜାର ଡଲାରରୁ ୨୫୦୦ ଡଲାର ମଧ୍ୟରେ ରହିପାରେ ବୋଲି ରିପୋର୍ଟ ରହିଛି, ଯାହାର ଭାରତ ମୂଲ୍ୟ ₹୧.୫ ଲକ୍ଷରୁ ଅଧିକ ହୋଇପାରେ। ଏହା ସହ ଆପଲର ଇଭେଣ୍ଟରେ ନୂଆ ୱାଚ୍ ଓ ଏୟାରପଡ୍ସ ମଧ୍ୟ ଘୋଷଣା କରିପାରେ।