ଅମରାବତୀ: ଆନ୍ଧ୍ରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ତଥା ଜନ ସେନା ପାର୍ଟି ସଭାପତି ପବନ କଲ୍ୟାଣ ଶୁକ୍ରବାର ତେଲଗୁଦେଶ ପାର୍ଟି (ଟିଡିପି) ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାୟଡୁଙ୍କୁ ଭେଟିଛନ୍ତି। ଏହି ଅବସରରେ ସେ ମଣ୍ଡଳ ପରିଷଦ ଆଞ୍ଚଳିକ ନିର୍ବାଚନମଣ୍ଡଳି (ଏମପିଟିସି) ଓ ଜିଲ୍ଲା ପରିଷଦ ଆଞ୍ଚଳିକ ନିର୍ବାଚନ ମଣ୍ଡଳି(ଜେଡପିଟିସି) ନିର୍ବାଚନରେ ଆସନ ବଣ୍ଟାକୁଣ୍ଟା ନେଇ ଆଲୋଚନା କରିଛନ୍ତି। କାରଣ ସେମାନେ ଏ ପର୍ଯ୍ୟନ୍ତ ଏମପିଟିସି ଓ ଜେଡପିଟିସି ଆସନ ବଣ୍ଟନକୁ ନେଇ ନିର୍ଦ୍ଧିଷ୍ଟ ନିଷ୍ପତ୍ତିରେ ପହଞ୍ଚି ପାରି ନାହାନ୍ତି।

ଶାସକ ମେଣ୍ଟ ମଧ୍ୟରେ ଏ ପର୍ଯ୍ୟନ୍ତ ଆସନ ନେଇ ବୁଝାମଣା ହୋଇ ପାରି ନାହିଁ। ଏଣୁ ଟିଡିପି, ଜନ ସେନା ଓ ବିଜେପି ପ୍ରାର୍ଥୀମାନେ ସେହି ସବୁ ସ୍ଥାନରେ ପ୍ରାର୍ଥୀପତ୍ର ଦାଖଲ କରୁଛନ୍ତି ଯେଉଁଠି ସେମାନଙ୍କ ବିଜୟ ସୁନିଶ୍ଚିତ ଭାବୁଛନ୍ତି। କୁହାଯାଉଛି ଚନ୍ଦ୍ରବାବୁ ଓ ପବନ କଲ୍ୟାଣ ଯେପରି ଆପସି ସହମତିରେ ପହଞ୍ଚି ପାରିବେ ସେ ନେଇ ଆଲୋଚନା କରିଛନ୍ତି। ଏହା ପୂର୍ବରୁ ପବନ କଲ୍ୟାଣ ଗୁରୁବାର ମଧ୍ୟ ଚନ୍ଦ୍ରବାବୁଙ୍କୁ ଭେଟିଥିଲେ। ଏହି ସାକ୍ଷାତ ଆଲୋଚନାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଉପୁଜିଥିବା ପରିସ୍ଥିତି ଉପରେ ଆଲୋଚନା କରିଥିଲେ।

ସୁପ୍ରିମକୋର୍ଟ ତାଙ୍କ ଆଦେଶରେ ରାଜ୍ୟ ନିର୍ବାଚନ ଆୟୋଗ (ଏସଇସି)ଙ୍କୁ ନଗର ନିଗମ ଓ ପାଳିକା ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ସମ୍ପ୍ରସାରଣ କରିବାକୁ କହିଥିଲେ। ଏହି ନିର୍ଦ୍ଦେଶ ସେହି ସ୍ଥାନମାନଙ୍କ ଲାଗି ଥିଲା ଯେଉଁଠି ଆଇନଶୃଙ୍ଖଳା କାରଣରୁ ବିରୋଧୀ ୱାଇଏସଆର କଂଗ୍ରେସ ଓ ଅନ୍ୟ ଦଳର ପ୍ରାର୍ଥୀ ସେମାନଙ୍କ ପ୍ରାର୍ଥୀପତ୍ର ଦାଖଲ କରି ପାରିନଥିଲେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଏସଇସି ୨୮ ଅକ୍ଟୋବରରେ ହେବାକୁ ଥିବା ନଗରନିଗମ ଓ ପାଳିକା ନିର୍ବାଚନକୁ ଘୁଞ୍ଚାଇ ୧ ନଭେମ୍ବର କରିଦେଇଛନ୍ତି। ଏହା ସହ ନଗରନିଗମ ଓ ପାଳିକା ନିର୍ବାଚନରେ ପ୍ରାର୍ଥୀପତ୍ର ଦାଖଲ ସମୟ ସୀମା ମଧ୍ୟ ବଢାଇ ଦିଆଯାଇଛି।

ଏନଡିଏ ସହଯୋଗୀ ଦଳ ପୂର୍ବରୁ ନଗର ନିଗମ ଓ ନଗରପାଳିକା ଲାଗି ୧୦୦ ଟି ଆସନ ବଣ୍ଟାକୁଣ୍ଟା ବୁଝାମଣା କରିସାରିଛନ୍ତି। ଏଥି ମଧ୍ୟରେ ଏମପିଟିସି ଓ ଜେଡପିଟିସି ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଶୁକ୍ରବାର ସନ୍ଧ୍ୟାରେ ଶେଷ ହୋଇଛି। ନଭେମ୍ବର ୩ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଏମପିଟିସି ଓ ଜେଡପିଟିସି ନିର୍ବାଚନରେ ୨.୮୧କୋଟି ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ରାଜ୍ୟରେ ମୋଟ ୬୬୩ ଏମପିଟିସି ଓ ୬୫୯ ଜେଡପିଟିସି ଆସନ ଲାଗି ଭୋଟ ଗ୍ରହଣ ହେବ।