India China border tension 2026: ଭାରତ ଓ ଚୀନ ମଧ୍ୟରେ ପୁଣି ଥରେ ଅସନ୍ତୋଷ ବଢ଼ିଛି। ଚୀନ ସେନା ସହ ମୁହଁମୁହିଁ ସ୍ଥିତି ନେଇ ଆଇଟିବିପି ଡିଜିଙ୍କ ବୟାନ ଆସିବା ପରେ ଏନେଇ ଭାରତ ସରକାର ପ୍ରତିକ୍ରିୟା ଦେଇଛନ୍ତି। ଚୀନ ସେନା ପୂର୍ବ ନିର୍ଦ୍ଧାରିତ ପାଟ୍ରୋଲିଂ ପଏଣ୍ଟରୁ ବିଚ୍ୟୁତି ହେଲେ ବାସ୍ତବ ନିୟନ୍ତ୍ରଣ ରେଖା (ଏଲଏସି) ନିକଟରେ ପରିସ୍ଥିତି ବିଗିଡ଼ିପାରେ ବୋଲି ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି। ତେବେ ଭାରତ-ଚୀନ୍ ସମ୍ପର୍କରେ ସାମଗ୍ରିକ ବିକାଶ ପାଇଁ ସୀମାନ୍ତ ଅଞ୍ଚଳରେ ଶାନ୍ତି ଏବଂ ସ୍ଥିରତା ଜରୁରୀ ବୋଲି ଭାରତ ଗୁରୁତ୍ୱାରୋପ କରିଛି।

ସାପ୍ତାହିକ ମିଡିଆ ବିବୃତ୍ତିରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପ୍ରବକ୍ତା ରଣଧୀର ଜୟସ୍ୱାଲ କହିଛନ୍ତି “ଆମେ ପୂର୍ବରୁ କହି ସାରିଛୁ ଯେ ଯେବେ ଯେବେ ଚୀନ ସେନା ନିର୍ଦ୍ଧାରିତ ପାଟ୍ରୋଲିଂ ପଏଣ୍ଟରୁ ବାହାରି ପାଟ୍ରିଲଂ କରିଛି ସେବେ ସେବେ ଭାରତ-ଚୀନ ସୀମାରେ ସ୍ଥିତି ବିଗିଡ଼ିଛି। ତେବେ ଉଭୟ ପକ୍ଷ ପ୍ରକୃତ ନିୟନ୍ତ୍ରଣ ରେଖାରେ ଥିବା ସମସ୍ୟାର ସମାଧାନ ଏବଂ ଭୁଲ ବୁଝାମଣା ଏଡାଇବା ପାଇଁ ବର୍ତ୍ତମାନର କୂଟନୈତିକ ଏବଂ ସାମରିକ ତନ୍ତ୍ର ବ୍ୟବହାର ଜାରି ରଖିବେ।" ଏନେଇ ଦୁଇ ଦେଶ ପୂର୍ବରୁ ରାଜି ହୋଇଥିବା ଜୟସ୍ୱାଲ କହିଛନ୍ତି।

Also Read- ଗମ୍ଭୀର ଅଭିଯୋଗ ଅଭିଯୁକ୍ତଙ୍କୁ ଅନିର୍ଦ୍ଦିଷ୍ଟ କାଳ କଷ୍ଟୁଡିରେ ରଖିବାର ଆଧାର ହୋଇପାରିବ ନାହିଁ: ପୂର୍ବତନ ମନ୍ତ୍ରୀଙ୍କୁ ଜାମି ଦେଲେ ସୁପ୍ରିମକୋର୍ଟ

ସେ କହିଛନ୍ତି ଯେ ଏଲଏସିରେ ନିର୍ଦ୍ଦିଷ୍ଟ ବିବାଦୀୟ ଅଞ୍ଚଳର ସମାଧାନ ଓ ବୁଝାମଣା ପାଇଁ ଆଲୋଚନା ମାଧ୍ୟମରେ ଭଲ ଉପାୟ ବାହାର କରିବାକୁ ରାଜି ହୋଇଛନ୍ତି। ତେଣୁ ଦ୍ୱିପାକ୍ଷିକ ସମ୍ପର୍କରେ ସାମଗ୍ରିକ ବିକାଶ ପାଇଁ ସୀମାନ୍ତ ଅଞ୍ଚଳରେ ଶାନ୍ତି ଏବଂ ସ୍ଥିରତା ବଜାୟ ରଖିବା ଅତ୍ୟନ୍ତ ଜରୁରୀ। ଏହା ଉପରେ ଭାରତ ଗୁରୁତ୍ୱାରୋପ କରେ ବୋଲି ଜୟସ୍ୱାଲ କହିଛନ୍ତି।

ଆଇଟିବିପି ଡିଜିଙ୍କ ଚିନ୍ତାଜନକ ମନ୍ତବ୍ୟ

ଗତକାଲି(ଅକ୍ଟୋବର ୨୨) ରାଜସ୍ଥାନର ଅଲୱାର ଠାରେ ଆଇଟିବିପି ଡିଜି ଶତ୍ରୁଜିତ କପୁର ଚୀନ ସହ ଭାରତୀୟ ସେନାର ମୁହାଁମୁହିଁ ଜାରି ରହିଛି ବୋଲି କହିଥିଲେ। ଅରୁଣାଚଳ ପ୍ରଦେଶର ଏକାଧିକ ସ୍ଥାନରେ ଏଭଳି ସ୍ଥିତି ଲାଗି ରହିଛି। ମୁହାଁମୁହିଁ ସ୍ଥିତି ସମ୍ପର୍କରେ ଏହା ପ୍ରଥମ ସରକାରୀ ସ୍ୱୀକାରୋକ୍ତି ଥିଲା। ଏହି ସ୍ଥାନରେ ଗତ କିଛି ମାସ ମଧ୍ୟରେ ପରିସ୍ଥିତି ଅଧିକ ଉତ୍ତେଜନାପୂର୍ଣ୍ଣ ହୋଇଉଠିଛି। ଚୀନ ସେନା ଭାରତୀୟ ଯବାନଙ୍କୁ ତାକସିଙ୍ଗ ଅଞ୍ଚଳରେ ଏଲଏସି ନିକଟରେ ନିର୍ଦ୍ଧାରିତ ସ୍ଥାନରେ ପାଟ୍ରୋଲିଂ କରିବାକୁ ଦେଉ ନଥିବାରୁ ଗତ ଜୁଲାଇ ମାସ ଠାରୁ ଦୁଇ ଦେଶର ଯବାନଙ୍କ ମଧ୍ୟରେ ମୁହାମୁହିଁ ସ୍ଥିତି ଲାଗି ରହିଛି ବୋଲି ଶ୍ରୀ କପୁର କହିଥିଲେ। ITBP କର୍ମଚାରୀଙ୍କ ପାଇଁ ବାର୍ଷିକ ସମ୍ବର୍ଦ୍ଧନା ସମାରୋହକୁ ସମ୍ବୋଧନ କଲା ବେଳେ ସମସ୍ତଙ୍କୁ ଚମକାଇ ଦେଲା ଭଳି ବୟାନ ଦେଇଥିଲେ ITBP ଡିଜି।

ତେବେ ଏହାର ମୁକାବିଲା ପାଇଁ ଆଇଟିବିପି ନିଜର ସୀମା ୟୁନିଟ୍ରେ ଏକ ଡ୍ରୋନ ପ୍ଲାଟୁନ ଗଠନ କରିଛି। ଗଲୱାନ ଘାଟି ଭଳି ହିଂସକ ଲଢ଼େଇକୁ ଭଲ ଭାବରେ ସାମ୍ନା କରିବାକୁ ଏକ ନୂଆ ଷ୍ଟ୍ରାଇକ୍ କୋର୍ସ ପ୍ରସ୍ତୁତ କରିଛି ବୋଲି ସେ କହିଥିଲେ।