ନୂଆଦିଲ୍ଲୀ: ନୂଆ ଆଇଫୋନ୍ ସିରିଜ୍ ଲଞ୍ଚ ହେବା ପରେ ସାଧାରଣତଃ ପୁରୁଣା ମଡେଲ୍ଗୁଡ଼ିକର ଦାମ କମିଯାଏ। ଫଳରେ ଅଧିକାଂଶ ଗ୍ରାହକ ନୂଆ ବଦଳରେ ପୁରୁଣା କିଣିବାକୁ ଅଧିକ ପସନ୍ଦ କରନ୍ତି। ହେଲେ ଏଥର କାହାଣୀ ପୂରା ଓଲଟି ଯାଇଛି। ଆପଲ୍ ନୂଆ ଆଇଫୋନ୍ ମଡେଲ୍ ଲଞ୍ଚ କରିବା ପରେ ଭାରତ ସମେତ ବିଶ୍ୱର ଅନେକ ଦେଶରେ ନିଜର କିଛି ପୁରୁଣା ଆଇଫୋନ୍ ମଡେଲର ଦାମ ବଢ଼ାଇଛି।

୧୦୦୦ କି ୨ ହଜାର ନୁହେଁ, ଏକାଥରେ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ଦର ବଢ଼ାଇ ଦେଇଛି କମ୍ପାନୀ। ତେଣୁ ଏବେ ସାଧାରଣ ଲୋକଙ୍କ ପାଇଁ ଆଇଫୋନ କିଣିବା କଷ୍ଟକର ହୋଇପାରେ। ଦର ବୃଦ୍ଧି ହୋଇଥିବା ପୁରୁଣା ମଡେଲ୍‌ରେ iPhone 17, iPhone 17e ଏବଂ iPhone 16 ଭଳି ମଡେଲ୍ ସାମିଲ ରହିଛି। ଆପଲର ‘ସର୍‌ପ୍ରାଇଜ୍ ଆଣ୍ଡ ଶାଇନ୍’ ଇଭେଣ୍ଟ ପରେ କମ୍ପାନୀ ଏହି ମୂଲ୍ୟ ସଂଶୋଧନ କରିଛି।

ଏପଟେ ଆପଲର ନୂଆ ଫୋନ ଲଞ୍ଚିଂ ଇଭେଣ୍ଟରେ iPhone 18 Pro, iPhone 18 Pro Max ଏବଂ କମ୍ପାନୀର ପ୍ରଥମ ଫୋଲ୍ଡେବଲ୍ ଫୋନ୍ ‘iPhone Duo’ ଲଞ୍ଚ ହୋଇଛି। ନୂଆ ମଡେଲ୍ଗୁଡ଼ିକର ଦାମ ୧.୫ ଲକ୍ଷ ଟଙ୍କାରୁ ଅଧିକ ରହିଛି।

ବର୍ତ୍ତମାନର ଭାରତୀୟ ମାର୍କେଟ୍ ଯେଉଁ ସ୍ଥିତିରେ ରହିଛି ଲାଗୁଛି ଆପଲର ନୂଆ ମଡେଲ୍ ସେତେଟା ଭଲ ବିଜନେଶ କରି ନପାରେ। କାରଣ ଏତେ ଦାମ ଦେଇ ଆଇଫୋନ କିଣିବା ହୁଏତ ନିମ୍ନ ଆୟାକରୀ ଭାରତୀୟଙ୍କ ଦ୍ୱାରା ସମ୍ଭବ ହୋଇ ନପାରେ। ଏବେ ଆସନ୍ତୁ ଜାଣିବା କେଉଁ ପୁରୁଣା ମଡେଲର ଦାମ କେତେ ବଢ଼ିଛି ?

iPhone 17ର ଦାମ ୨୨ ହଜାର ପର୍ଯ୍ୟନ୍ତ ବଢ଼ିଲା

iPhone 17ର ୨୫୬GB ଭାରିଆଣ୍ଟର ଦାମ ପୂର୍ବରୁ ୮୨,୯୦୦ ଟଙ୍କା ଥିଲା। ଏବେ ଏହା ବଢ଼ି ୯୯,୯୦୦ ଟଙ୍କା ହୋଇଛି। ଅର୍ଥାତ୍ ଏହି ମଡେଲ୍ର ଦାମରେ ସିଧାସଳଖ ୧୭,୦୦୦ ଟଙ୍କା ବୃଦ୍ଧି ହୋଇଛି। ସେହିପରି iPhone 17ର ୫୧୨GB ଭାରିଆଣ୍ଟର ଦାମ ୧,୦୨,୯୦୦ ଟଙ୍କାରୁ ବଢ଼ି ୧,୨୪,୯୦୦ ଟଙ୍କା ହୋଇଛି। ଏହି ଭାରିଆଣ୍ଟରେ ୨୨,୦୦୦ ଟଙ୍କାର ବୃଦ୍ଧି ହୋଇଛି।

ମହଙ୍ଗା ହେଲା iPhone 17e ଓ iPhone 16

ଆପଲ୍ର ତୁଳନାମୂଳକ ଶସ୍ତା ମଡେଲ୍ ଭାବେ ପରିଚିତ iPhone 17eର ଦାମ ମଧ୍ୟ ବଢ଼ିଛି। ୨୫୬GB ଭାରିଆଣ୍ଟର ଦାମ ୬୪,୯୦୦ ଟଙ୍କାରୁ ବଢ଼ି ୭୯,୯୦୦ ଟଙ୍କା ହୋଇଛି। ଅର୍ଥାତ୍ ଏଥିରେ ଏବେ ଗ୍ରାହକଙ୍କୁ ୧୫,୦୦୦ ଟଙ୍କା ଅଧିକ ଦେବାକୁ ପଡ଼ିବ। ସେହିପରି ଏହାର ୫୧୨GB ଭାରିଆଣ୍ଟର ଦାମ ମଧ୍ୟ ୮୪,୯୦୦ ଟଙ୍କାରୁ ବଢ଼ି ୧,୦୪,୯୦୦ ଟଙ୍କା ହୋଇଛି। ଅନ୍ୟପଟେ iPhone 16ର ୧୨୮GB ବେସ୍ ମଡେଲ୍ର ଦାମ ୬୯,୯୦୦ ଟଙ୍କାରୁ ବଢ଼ି ୮୯,୯୦୦ ଟଙ୍କା ହୋଇଛି। ଅର୍ଥାତ୍ ଆପଲ ଏହି ମଡେଲ୍ର ଦାମରେ ୨୦,୦୦୦ ଟଙ୍କା ବୃଦ୍ଧି କରିଛି।

Also Read- ଚୀନ, ଆମେରିକା ଓ ୟୁରୋପ ରାଷ୍ଟ୍ରଙ୍କ ତୁଳନାରେ ଭାରତରେ ଅଧିକ ମହଙ୍ଗା ସ୍ମାର୍ଟଫୋନ: ବିଶ୍ୱ ହାର ତୁଳନାରେ ୬% ଅଧିକ

କାହିଁକି ବଢ଼ିଲା ଆଇଫୋନର ଦାମ?

ସ୍ମାର୍ଟଫୋନରେ ବ୍ୟବହୃତ ମେମୋରୀ ଚିପ୍ ଏବଂ ଅନ୍ୟ ଗୁରୁତ୍ୱପୂର୍ଣ୍ଣ କମ୍ପୋନେଣ୍ଟ୍ର ମୂଲ୍ୟ ବୃଦ୍ଧିକୁ ଏହି ଦାମ ବଢ଼ିବାର ମୁଖ୍ୟ କାରଣ ବୋଲି କୁହାଯାଉଛି। AI ଇନ୍ଫ୍ରାଷ୍ଟ୍ରକ୍ଚର ଓ ଡାଟା ସେଣ୍ଟରର ଚାହିଦା ଦ୍ରୁତ ବଢ଼ିବାରୁ ସେମିକଣ୍ଡକ୍ଟର ଏବଂ ମେମୋରୀ କମ୍ପୋନେଣ୍ଟ୍ର ଚାହିଦା ବଢ଼ିଛି। ଏହାର ପ୍ରଭାବରେ ଯୋଗାଣ ଓ ଉତ୍ପାଦନ ଖର୍ଚ୍ଚ ଉପରେ ଚାପ ସୃଷ୍ଟି ହୋଇଛି।

ଆପଲ୍ର ତତ୍କାଳୀନ CEO ଟିମ୍ କୁକ୍ ଜୁନ୍ ମାସରେ ‘ଦ ୱାଲ୍ ଷ୍ଟ୍ରିଟ୍ ଜର୍ନାଲ୍’କୁ ଦେଇଥିବା ସାକ୍ଷାତକାରରେ କହିଥିଲେ ଯେ, ବଢ଼ୁଥିବା ଖର୍ଚ୍ଚର ଚାପକୁ ଗ୍ରାହକଙ୍କ ଉପରେ ନପକାଇବା ପାଇଁ କମ୍ପାନୀ ଚେଷ୍ଟା କରୁଥିଲା। କିନ୍ତୁ ଖର୍ଚ୍ଚ ବଢ଼ିବାର ପ୍ରଭାବକୁ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଏଡ଼ାଇବା କଷ୍ଟକର ହୋଇପଡ଼ିଛି।

ଆପଲ୍ ପୂର୍ବରୁ ମଧ୍ୟ ଅନେକ ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ କମ୍ପାନୀ ମେମୋରୀ ଚିପ୍ ଓ ଅନ୍ୟ କମ୍ପୋନେଣ୍ଟ୍ର ଦାମ ବଢ଼ିବା କାରଣରୁ ନିଜ ଫୋନ୍ର ମୂଲ୍ୟ ବଢ଼ାଇସାରିଛନ୍ତି। ଏବେ ଆପଲ୍ର ଏହି ମୂଲ୍ୟ ବୃଦ୍ଧି ସ୍ମାର୍ଟଫୋନ୍ ବଜାରରେ ବଢ଼ୁଥିବା କମ୍ପୋନେଣ୍ଟ୍ ଖର୍ଚ୍ଚର ପ୍ରଭାବକୁ ଆହୁରି ସ୍ପଷ୍ଟ କରିଛି।