ନୂଆଦିଲ୍ଲୀ: ଠକେଇର ତରିକା ଦିନକୁ ଦିନ ବଦଳିବାରେ ଲାଗିଛି । କେତେବେଳେ ସୁନ୍ଦରୀ ଜାଲରେ ପଡ଼ି ଯୁବକମାନେ ଠକାମୀର ଶିକାର ହେଉଛନ୍ତି ତ କେତେବେଳେ, ଯୁବତୀମାନେ ଫସିଯାଉଛନ୍ତି । ନୂଆଦିଲ୍ଲୀରେ ଜଣେ ଯୁବକ ନିଜକୁ ବଡ଼ ବ୍ୟବସାୟୀର ପରିଚୟ ଦେଇ ପ୍ରାୟ ୨୦ ଜଣ ମହିଳା ପୁଲିସ କନେଷ୍ଟବଳଙ୍କୁ ଫସାଇଥିଲା  । ଇନଷ୍ଟାଗ୍ରାମରେ  ତାର ବିଳାସପୂର୍ଣ୍ଣ ଜୀବନଶୈଳୀ ଦେଖି ବିମୋହିତ ହୋଇଯାଇଥିଲେ ୨୦ ମହିଳା କନେଷ୍ଟବଳ । ସେମାନେ ସମସ୍ତେ ଗୋଟିଏ ବ୍ୟାଚ୍‌ର ଥିଲେ । ଯବୁକଜଣକ ସେମାନଙ୍କୁ ବିବାହର ପ୍ରଲୋଭନ ଦେଖାଇ ପ୍ରାୟ ୨୪ ଲକ୍ଷ ଟଙ୍କା ମଧ୍ୟ ଲୁଟିଥିଲା । 

ଜଣେ ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ପୁଲିସ ୨୩ ବର୍ଷୀୟ ଅଭିଯୁକ୍ତ ବିକ୍ରାନ୍ତ ତୋମାରକୁ ଗିରଫ କରିଛି ।  ବିକ୍ରାନ୍ତ ଇନଷ୍ଟାଗ୍ରାମ ମାଧ୍ୟମରେ ମହିଳା କନେଷ୍ଟବଳମାନଙ୍କ ସହ ସମ୍ପର୍କ ସ୍ଥାପନ କରୁଥିଲା। ନିଜକୁ ଜଣେ ବଡ଼ ବ୍ୟବସାୟୀ ଭାବରେ ଦେଖାଇବା ପାଇଁ ସେ ପ୍ରତିଦିନ ପ୍ରାୟ ୮ ଘଣ୍ଟା ପାଇଁ ଦାମୀ କାର୍ ଭଡ଼ାରେ ଆଣୁଥିଲା । ମହିଳାମାନଙ୍କୁ ସେହି କାରରେ ବୁଲାଇବାକୁ ନେଉଥିଲା।

ସେ ପ୍ରଥମେ ପ୍ରେମ ଏବଂ ବିବାହର ମିଛ ପ୍ରତିଶ୍ରୁତି ଦେଇ ସମ୍ପର୍କ ଗଢ଼ୁଥିଲା । ପରବର୍ତ୍ତୀ ସମୟରେ ବ୍ୟବସାୟରେ ବଡ଼ ଧରଣର ଲାଭ ମିଳିବାର ପ୍ରଲୋଭନ ଦେଖାଇ କିମ୍ବା ବିଭିନ୍ନ ବାହାନା କରି ସେମାନଙ୍କଠାରୁ ଟଙ୍କା ନେଉଥିଲା। ତଦନ୍ତରୁ ଜଣାପଡ଼ିଛି ଯେ, ଅଭିଯୁକ୍ତ ଜଣେ ମହିଳା କନେଷ୍ଟବଳଙ୍କ ସହ ଲିଭ୍-ଇନରେ ରହୁଥିଲା। ସେହି କନେଷ୍ଟବଳଙ୍କ ବ୍ୟାଚମେଟମାନଙ୍କ ବିଷୟରେ ତଥ୍ୟ ସଂଗ୍ରହ କରୁଥିଲା । ପରବର୍ତ୍ତୀ ସମୟରେ ସେ ଅନ୍ୟ ମହିଳା ପୁଲିସ କନେଷ୍ଟବଳଙ୍କୁ ନିଜ ଜାଲରେ ଫସାଉଥିଲା।

ଠକ ଜାଲରେ ପଡ଼ିଥିଲେ ୨୦ କନେଷ୍ଟବଳ
ପ୍ରାୟ ୨୦ ଜଣ ମହିଳା କନେଷ୍ଟବଳ ଏହି ଠକେଇର ଶିକାର ହୋଇଛନ୍ତି। ତେବେ ଲୋକଲଜ୍ଜା କିମ୍ବା ଅନ୍ୟ କାରଣରୁ ଅନେକ ମହିଳା କନେଷ୍ଟବଳ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବରେ ଅଭିଯୋଗ ଦାଖଲ କରିନାହାନ୍ତି। ସେପଟେ ମିଳିଥିବା ସୂଚନା ଅନୁସାରେ, ଅଭିଯୁକ୍ତ ବିରୋଧରେ ପୂର୍ବରୁ ୫ଟି ଏଫ୍‌ଆଇଆର୍ ରୁଜୁ ହୋଇସାରିଛି। ସେ ପୂର୍ବରୁ ଜାମିନରେ ବାହାରକୁ ଆସିଥିଲା ଏବଂ ଏହିପରି ଠକେଇ କରୁଥିଲା ।

ସୋସିଆଲ ମିଡିଆରେ ପ୍ରତିକ୍ରିୟା
ଏହି ଘଟଣା‘gharkekalesh’ ଆକାଉଣ୍ଟରେ ପୋଷ୍ଟ ହେବା ପରେ ଭାଇରାଲ ହୋଇଥିଲା। ଲୋକମାନେ ଅଭିଯୁକ୍ତ ଯୁବକକୁ ବଲିଉଡ୍ ଫିଲ୍ମ 'Ladies vs Ricky Bahl' ର ରଣବୀର ସିଂହଙ୍କ ଚରିତ୍ର ସହ ତୁଳନା କରୁଛନ୍ତି। ସୋସିଆଲ ମିଡିଆ ୟୁଜର ଭିନ୍ନ ଭିନ୍ନ ମନ୍ତବ୍ୟ ଦେଇଛନ୍ତି । ଜଣେ ୟୁଜର ଲେଖିଛନ୍ତି, ‘ସମସ୍ତେ ଟଙ୍କା ଚାହୁଁଥିଲେ, କିନ୍ତୁ ସେ ପୂରା ଖେଳ ବଦଳାଇଦେଲା।’ ଅନ୍ୟ ଜଣେ ଲେଖିଛନ୍ତି, ‘ମହିଳାମାନଙ୍କ ପ୍ରାଧାନ୍ୟ ଥିବା କ୍ଷେତ୍ରରେ ବି ସେ ନିଜର ଦବ୍‌ଦବା ଦେଖାଇଲା।’ ତେବେ ବିକ୍ରାନ୍ତ ତୋମାରର ବୟସ ମାତ୍ର ୨୩ ବର୍ଷ ଏବଂ ସେ ମିଛ ପ୍ରେମରେ ଫସାଇଥିଲା ୨୦ ଜଣ ମହିଳା ପୁଲିସ କର୍ମଚାରୀଙ୍କୁ । ପୁଲିସ ବିଭାଗରେ ଚାକିରି କରି ମଧ୍ୟ ମହିଳାମାନେ କିଭଳି, ଜଣେ ଠକର ସ୍ବଭାବକୁ ଜାଣିପାରିଲେନି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।