ନୂଆଦିଲ୍ଲୀ: ମେମୋରୀ ଚିପ୍ର ଦର ବୃଦ୍ଧିର ପ୍ରଭାବ ଏବେ ସିଧାସଳଖ ମୋବାଇଲ୍ ଫୋନ୍ ବଜାର ଉପରେ ପଡ଼ିଛି। ବିଶ୍ୱର ଅନ୍ୟ ଦେଶ ତୁଳନାରେ ଭାରତରେ ମୋବାଇଲ୍ ଫୋନ୍ର ଖୁଚୁରା ଦରରେ ସବୁଠାରୁ ଅଧିକ ବୃଦ୍ଧି ଦେଖାଯାଇଛି। କାଉଣ୍ଟରପାର୍ଟ ରିସର୍ଚ୍ଚର ବିଶ୍ୱସ୍ତରୀୟ ଅଧ୍ୟୟନ ଅନୁସାରେ, ୨୦୨୬ରେ ଏପର୍ଯ୍ୟନ୍ତ ଭାରତରେ ମୋବାଇଲ୍ ଫୋନ୍ର ହାରାହାରି ଦର ଗତବର୍ଷ ତୁଳନାରେ ୨୧ ପ୍ରତିଶତ ବଢ଼ିଛି। ଏହି ସମୟ ମଧ୍ୟରେ ବିଶ୍ୱସ୍ତରରେ ମୋବାଇଲ୍ ଫୋନ୍ର ଖୁଚୁରା ଦରରେ ହାରାହାରି ୧୫ ପ୍ରତିଶତ ବୃଦ୍ଧି ହୋଇଛି। ଅର୍ଥାତ୍ ବିଶ୍ୱ ହାର ତୁଳନାରେ ଭାରତରେ ମୋବାଇଲ୍ ଦର ବୃଦ୍ଧି ପ୍ରାୟ ୬ ପ୍ରତିଶତ ଅଧିକ ରହିଛି।

କାହିଁକି ଭାରତରେ ଅଧିକ ବଢ଼ିଲା ମୋବାଇଲ୍ ଦର?

ଭାରତୀୟ ବଜାରର ଗଠନ ଏହି ଦରବୃଦ୍ଧିର ଏକ ବଡ଼ କାରଣ। ଦେଶର ସ୍ମାର୍ଟଫୋନ୍ ବଜାରର ପ୍ରାୟ ୫୧ ପ୍ରତିଶତ ଅଂଶ ୨୦ ହଜାର ଟଙ୍କାରୁ କମ୍ ମୂଲ୍ୟର ଲୋ ଏବଂ ମିଡ୍-ରେଞ୍ଜ୍ ଫୋନ୍ ଦଖଲ କରିଛି। ମେମୋରୀ ଚିପ୍ର ମୂଲ୍ୟ ବଢ଼ିବା ପରେ କମ ବଜେଟ୍ ଫୋନ୍ର ଦାମରେ ଏହାର ପ୍ରଭାବ ଅଧିକ ଦେଖାଯାଉଛି। ଏହାର କାରଣ ହେଉଛି ମହଙ୍ଗା ପ୍ରିମିୟମ୍ ଫୋନ୍ ତୁଳନାରେ ଶସ୍ତା ଫୋନ୍ରେ ନିର୍ମାତାମାନଙ୍କ ଲାଭ ମାର୍ଜିନ୍ କମ୍ ଥାଏ। ତେଣୁ ଉତ୍ପାଦନ ଖର୍ଚ୍ଚ ବଢ଼ିଲେ କମ୍ପାନୀଗୁଡ଼ିକ ପାଇଁ ସେହି ଅତିରିକ୍ତ ଖର୍ଚ୍ଚ ନିଜେ ବହନ କରିବା କଷ୍ଟକର ହୋଇଥାଏ।

ଅନ୍ୟପଟେ ୩୦ ହଜାର ଟଙ୍କାରୁ ଅଧିକ ମୂଲ୍ୟର ପ୍ରିମିୟମ୍ ଫୋନ୍‌ରେ କମ୍ପାନୀଗୁଡ଼ିକ ଅଧିକ ମାର୍ଜିନ୍ ପାଉଥିବାରୁ ବଢ଼ିଥିବା ଖର୍ଚ୍ଚର କିଛି ଅଂଶ ନିଜେ ବହନ କରିପାରନ୍ତି। ଫଳରେ ଏହି ବର୍ଗର ଫୋନ୍ରେ ଦରବୃଦ୍ଧିର ପ୍ରଭାବ ତୁଳନାତ୍ମକ ଭାବେ କମ୍ ରହିଛି।

Also Read- ପ୍ରିମିୟମ ମୁହାଁ ଚୀନ ବ୍ରାଣ୍ଡ୍, ବଜେଟ ସେଗ୍ମେଣ୍ଟର ମାର୍କେଟ୍କୁ କବ୍ଜା କରିବାକୁ ବାହାରିଲେ ଭାରତୀୟ ସ୍ମାର୍ଟଫୋନ କମ୍ପାନୀ

ଚୀନ୍, ଆମେରିକା ଓ ୟୁରୋପରେ କମ୍ ଦରବୃଦ୍ଧି

ଯେଉଁ ବଜାରରେ ପ୍ରିମିୟମ୍ ଫୋନ୍ର ଅଂଶ ଅଧିକ ଏବଂ ମୋବାଇଲ୍ ଅପରେଟରମାନେ ଫୋନ୍ ସହିତ ବିଭିନ୍ନ ପ୍ୟାକେଜ୍ ବଣ୍ଡଲ୍ କରି ବିକ୍ରି କରନ୍ତି, ସେଠାରେ ମୋବାଇଲ୍ ଦର ବୃଦ୍ଧି ତୁଳନାମୂଳକ ଭାବେ କମ୍ ରହିଛି। ଚୀନ୍ରେ ମୋବାଇଲ୍ ଫୋନ୍ର ଦର ପ୍ରାୟ ୧୦ ପ୍ରତିଶତ ବଢ଼ିଥିବା ବେଳେ ୟୁରୋପରେ ମାତ୍ର ୭ ପ୍ରତିଶତ ଏବଂ ଆମେରିକାରେ ୫ ପ୍ରତିଶତ ବୃଦ୍ଧି ହୋଇଛି। ଅନ୍ୟପକ୍ଷରେ ଏସିଆ-ପାସିଫିକ୍ ବଜାରରେ ଦର ୧୯ ପ୍ରତିଶତ, ମଧ୍ୟପ୍ରାଚ୍ୟ ଓ ଆଫ୍ରିକାରେ ୧୮ ପ୍ରତିଶତ ଏବଂ ଲାଟିନ୍ ଆମେରିକାରେ ୧୬ ପ୍ରତିଶତ ମୃଲ୍ୟ ବୃଦ୍ଧି ହୋଇଛି।

ମୋବାଇଲ୍ ଦର ବଢ଼ିବାରୁ ଗ୍ରାହକଙ୍କ ଉପରେ ପ୍ରଭାବ

ମୋବାଇଲ୍ ଫୋନ୍ର ଦର ବଢ଼ିବା ଯୋଗୁ ଭାରତୀୟ ଗ୍ରାହକମାନେ ମଧ୍ୟ ନିଜର କ୍ରୟ ନିଷ୍ପତ୍ତି ବଦଳାଇବା ଆରମ୍ଭ କରିଛନ୍ତି। କାଉଣ୍ଟର ପଏଣ୍ଟ ରିସର୍ଚ୍ଚର ରିସର୍ଚ୍ଚ ଆନାଲିଷ୍ଟ ଶୁଭମ ସିଂହଙ୍କ କହିବା ଅନୁସାରେ, ଅଧିକ ଦାମ ଯୋଗୁ ଅନେକ ଗ୍ରାହକ ନୂଆ ଫୋନ୍ କିଣିବା କିମ୍ବା ପୁରୁଣା ଫୋନ୍ ଅପଗ୍ରେଡ୍ କରିବାରେ ବିଳମ୍ବ କରୁଛନ୍ତି। କେବଳ ସେତିକି ନୁହେଁ, ଗ୍ରାହକମାନେ ଅଧିକ ଷ୍ଟୋରେଜ୍ ଥିବା ମଡେଲ୍ ବଦଳରେ କମ୍ ଷ୍ଟୋରେଜ୍ର ଫୋନ୍ ବାଛୁଛନ୍ତି। କିଛି ଗ୍ରାହକ ମଧ୍ୟ ଦାମ କମ୍ ଥିବାରୁ ୫ଜି ଫୋନ୍ ବଦଳରେ ୪ଜି ଫୋନ୍ କିଣିବାକୁ ପସନ୍ଦ କରୁଛନ୍ତି।

୨୦୨୬ରେ ୧୪-୧୬% କମିପାରେ ବିକ୍ରି

ମୋବାଇଲ୍ ଦର ବୃଦ୍ଧିର ସିଧାସଳଖ ପ୍ରଭାବ ଏବେ ସ୍ମାର୍ଟଫୋନ୍ ବିକ୍ରି ଉପରେ ପଡ଼ିବା ଆଶଙ୍କା ରହିଛି। ବିଶ୍ଳେଷକମାନଙ୍କ ଆକଳନ ଅନୁସାରେ, ୨୦୨୬ରେ ଭାରତର ସ୍ମାର୍ଟଫୋନ୍ ବିକ୍ରି ୧୪ରୁ ୧୬ ପ୍ରତିଶତ ପର୍ଯ୍ୟନ୍ତ କମିପାରେ।

ଅର୍ଥାତ୍ ମେମୋରୀ ଚିପ୍ର ଦାମ ବୃଦ୍ଧି କେବଳ ମୋବାଇଲ୍ ଫୋନର ଦାମ ବଢ଼ାଇ ନାହିଁ, ଏହା ଗ୍ରାହକଙ୍କ କିଣିବାର କ୍ଷମତାକୁ ଓ ଆଚରଣକୁ ମଧ୍ୟ ବଦଳାଇ ଦେଇଛି। ଆଗାମୀ ଦିନରେ ମେମୋରୀ ମୂଲ୍ୟ କେତେ ସ୍ଥିର ହେଉଛି ଏବଂ ସ୍ମାର୍ଟଫୋନ୍ କମ୍ପାନୀଗୁଡ଼ିକ କିପରି ଦର ନିୟନ୍ତ୍ରଣ କରୁଛନ୍ତି, ତାହା ଭାରତୀୟ ସ୍ମାର୍ଟଫୋନ୍ ବଜାର ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ହେବ।