ନୂଆଦିଲ୍ଲୀ: ଆସାମାର ଗୌହାଟୀରେ ଏକ ଜନଗହଳିପୂର୍ଣ୍ଣ ସ୍ଥାନରେ ଗୁଳିକାଣ୍ଡ । ସୋମବାର ରାତିରେ ଘଟିଥିବା ଏହି ଗୁଳିକାଣ୍ଡରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି ।  ସହରର ବୋରୋ ସର୍ଭିସ ଅଞ୍ଚଳରେ ଏହି ଗୁଳିକାଣ୍ଡ ଘଟିଛି । ତେବେ ଏହା ପଛରେ କାହାର ହାତ ଅଛି ଏବଂ ଏହାର କାରଣ କଣ ସେନେଇ ସୂଚନା​‌ ମିଳିପାରି ନାହିଁ । 

ପ୍ରାଥମିକ ସୂଚନା ଅନୁଯାୟୀ,ଗୌହାଟୀର ହୋଟେଲ ବିଳାସ୍ ଇନ୍ ପାର୍ଶ୍ୱରେ ଥିବା ଏକ ଗହଣା ଶୋରୁମ ନିକଟସ୍ଥ ଗଳିରେ ଏହି ଅପ୍ରତ୍ୟାଶିତ ଗୁଳିମାଡ଼ ହୋଇଥିଲା। ଗୁଳିକାଣ୍ଡରେ ୩ ଜଣ ପୁରୁଷ ଏବଂ ୨ ଜଣ ମହିଳାଙ୍କ ସମେତ ୫ ଜଣ ଗୁଳିବିଦ୍ଧ ହୋଇଥିବା ଖବର ମିଳିଥିଲା । ସେମାନଙ୍କ ମଧ୍ୟରୁ ୪ ଜଣଙ୍କର ମୃତ୍ୟୁ ଘଟିଛି। ତେବେ ଆହୁରି ଅନେକ ଆହତ ହୋଇଥିବା ନେଇ ପରେ ସୂଚନା ମିଳିଛି ।

ଆହତ ହୋଇଥିବା କିଛି ବ୍ୟକ୍ତି ସମ୍ପୃକ୍ତ ହୋଟେଲର କର୍ମଚାରୀ ବୋଲି ଜଣାପଡ଼ିଛି। ଘଟଣା ସମ୍ପର୍କରେ ଖବର ପାଇବା କ୍ଷଣି ପୁଲିସଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ସମ୍ପୂର୍ଣ୍ଣ ଅଞ୍ଚଳକୁ ସିଲ୍ କରିଦେଇଛନ୍ତି। ଗୁଳିକାଣ୍ଡରେ ପ୍ରାଣ ହରାଇଥିବା ମୃତକମାନଙ୍କ ପରିଚୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।