ନୂଆଦିଲ୍ଲୀ:  ଇରାନ ଉପରେ ପରମାଣୁ ଆକ୍ରମଣ କରିପାରେ ଆମେରିକା । ଏଥିପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଚାପ ପକାଉଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ । ଆମେରିକାର ପ୍ରସିଦ୍ଧ ରାଜନୈତିକ ସମୀକ୍ଷକ ଟକର କାର୍ଲସନଙ୍କ ଏଭଳି ଦାବି ପରେ ସାରା ବିଶ୍ବରେ ଆଲୋଡନ । କାର୍ଲସନ୍‌ଙ୍କ ଅନୁସାରେ, ମଧ୍ୟ ଇରାନରେ ଅବସ୍ଥିତ ‘ପିକ୍‌ଆକ୍ସ ମାଉଣ୍ଟେନ୍’ ନାମକ ସନ୍ଦିଗ୍ଧ ଆଣବିକ କେନ୍ଦ୍ରକୁ ଟାର୍ଗେଟ କରାଯାଇପାରେ । ସେହି ସ୍ଥାନରେ ଇରାନ ୟୁରାନିୟମ ସମୃଦ୍ଧିକରଣ ଆରମ୍ଭ କରିଥିବା ନେଇ ଇସ୍ରାଏଲ ଦାବି କରୁଛି।

ଏକ୍ସରେ ଏକ ଲମ୍ବା ପୋଷ୍ଟ କରି କାର୍ଲସନ୍ ଲେଖିଛନ୍ତି ଯେ, ‘ଟ୍ରମ୍ପ ପ୍ରଶାସନ ଏହିପରି ଏକ ବିପଜ୍ଜନକ ସାମରିକ ପଦକ୍ଷେପ କିଛି ଦିନ ମଧ୍ୟରେ ନେଇପାରେ। କୂଟନୈତିକ ଆଲୋଚନା ପରିବର୍ତ୍ତେ ତେହେରାନ୍ ବିରୋଧରେ ପୁଣି ସାମରିକ ଅଭିଯାନ ଆରମ୍ଭ କରିବାକୁ ଆମେରିକା ଉପରେ ଚାପ ପକାଉଛନ୍ତି ନେତାନ୍ୟାହୁ ।’ 

କାର୍ଲସନ୍ ଲେଖିଛନ୍ତି ଯେ, ଇରାନର ଏହି ଗୁପ୍ତ ଆଣବିକ କେନ୍ଦ୍ର ପ୍ରାୟ ୩୦୦ ଫୁଟ୍‌ର ଗ୍ରାନାଇଟ୍ ପାହାଡ଼ ତଳେ ନିର୍ମିତ । ଏହାକୁ ଆମେରିକାର କୌଣସି ପାରମ୍ପରିକ ଅସ୍ତ୍ର ଭେଦ କରିବାକୁ ଅସମର୍ଥ । ତେଣୁ ସେହି ସ୍ଥାନକୁ ଧ୍ବଂସ କରିବା ପାଇଁ କେବଳ ‘ପରମାଣୁ ଆକ୍ରମଣ’ ହିଁ ଏକମାତ୍ର ସାମରିକ ବିକଳ୍ପ।  ନେତାନ୍ୟାହୁ ଏହି ବିଷୟରେ ପ୍ରତିଦିନ ଟ୍ରମ୍ପଙ୍କ ସହ ଫୋନ୍‌ରେ କଥା ହେଉଛନ୍ତି।

ସେପଟେ ନେତାନ୍ୟାହୁଙ୍କ ଘରୋଇ ରାଜନୈତିକ ସଙ୍କଟ ମଧ୍ୟ ଏହି ନିଷ୍ପତ୍ତି ପଛର ଅନ୍ୟତମ କାରଣ ବୋଲି ସେ ଅଭିଯୋଗ କରିଛନ୍ତି। ନିକଟରେ ଶେଷ ହୋଇଥିବା ନିର୍ବାଚନ ଫଳାଫଳ ପରେ ନେତାନ୍ୟାହୁ କ୍ଷମତାରେ ରହିବା ପାଇଁ ସଂସଦରେ ୬୧ଟି ଆସନ ଆବଶ୍ୟକ । ଯଦି ଟ୍ରମ୍ପ ସିଧାସଳଖ ହସ୍ତକ୍ଷେପ ନକରନ୍ତି, ତେବେ ନେତାନ୍ୟାହୁ କ୍ଷମତା ହରାଇବା ସହ ଜେଲ୍ ଯିବାର ଆଶଙ୍କା ରହିଛି । ତେଣୁ ନିଜର ରାଜନୈତିକ ଭବିଷ୍ୟତ ପାଇଁ ସେ ଏହି ଯୁଦ୍ଧ ଚାହୁଁଛନ୍ତି ବୋଲି ଟକର କାର୍ଲସନ ଦାବି କରିଛନ୍ତି ।

କାର୍ଲସନ୍ ନିଜ ପୋଷ୍ଟରେ ଆମେରିକାର କେତେକ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ନାମ ପ୍ରକାଶ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ଯୁଦ୍ଧ ସଚିବ ପିଟ୍ ହେଗସେଥ୍ ଏବଂ ସେଣ୍ଟକମ୍ କମାଣ୍ଡର ଆଡମିରଲ୍ ବ୍ରାଡ୍ କୁପର ଶାନ୍ତି ଆଲୋଚନା ବିରୋଧରେ ଅଛନ୍ତି।  ଇରାନ ବିରୋଧରେ ବଡ଼ ଧରଣର ସାମରିକ କାର୍ଯ୍ୟାନୁଷ୍ଠାନକୁ ସେମାନେ ସମର୍ଥନ କରୁଛନ୍ତି।  ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଏବଂ ସିଆଇଏ ନିର୍ଦ୍ଦେଶକ ନେତାନ୍ୟାହୁଙ୍କ ନୀତିକୁ ଗ୍ରହଣ କରୁଛନ୍ତି। ଯଦି ଏହି ପରମାଣୁ ଆକ୍ରମଣ କରାଯାଏ, ତେବେ ଏହାର ପରିଣାମ ସମଗ୍ର ବିଶ୍ବ ଏବଂ ମଧ୍ୟପ୍ରାଚ୍ୟ ପାଇଁ ଭୟଙ୍କର ହେବ ବୋଲି ସେ ଚେତାବନୀ ଦେଇଛନ୍ତି। କାର୍ଲସନ ଦାବିରେ ଯଦି ସତ୍ୟତା ଥାଏ, ତେବେ ଇରାନ ଯୁଦ୍ଧ ଆଗକୁ ଭୟଙ୍କର ମୋଡ଼ ନେବାର ସମ୍ଭାବନା ବଢ଼ିଯାଇଛି ।