ଆନନ୍ଦ : ଦେଶର ପ୍ରମୁଖ ଡାୟରୀ ବ୍ରାଣ୍ଡ ‘ଅମୁଲ’ ୨୦୨୫-୨୬ ଆର୍ଥିକ ବର୍ଷରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ନୂଆ ଲକ୍ଷ୍ୟ ହାସଲ କରିଛି। କମ୍ପାନୀର ମୋଟ ବ୍ରାଣ୍ଡ ଟର୍ଣ୍ଣଓଭର ୧୧% ବୃଦ୍ଧି ସହ ୧ ଲକ୍ଷ କୋଟି ଟଙ୍କା ପାର କରିଯାଇଛି। ଭାରତୀୟ ଡାୟେରୀ ସେକ୍ଟର ଲାଗି ଏହାକୁ ଏବେ ଏକ ବଡ଼ ଉପଲବ୍ଧି ମନେ କରାଯାଉଛି। ଅମୂଲ ବ୍ରାଣ୍ଡର ମାର୍କେଟିଂ କରୁଥିବା ସଂସ୍ଥା ଗୁଜରାଟ କୋ-ଅପରେଟିଭ ମିଲ୍କ ମାର୍କେଟିଂ ଫେଡେରେସନ ଲିମିଟେଡ (ଜିସିଏମଏମଏଫ) ଅନୁସାରେ ଗତ ଆର୍ଥିକ ବର୍ଷରେ ଅମୂଲର ଟର୍ଣ୍ଣଓଭର ୯୦,୦୦୦ କୋଟି ଟଙ୍କା ଥିଲା।

ବିବିଧ ପ୍ରଡକ୍ଟ ଓ ମଜଭୁତ ନେଟୱାର୍କ
ଅମୂଲର ଏହି ସଫଳତା ପଛରେ ଏହାର ବ୍ୟାପକ ପ୍ରଡକ୍ଟ ପୋର୍ଟଫୋଲିଓ ଏବଂ ମଜଭୁତ ସପ୍ଲାଇ ଚେନ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି। ଅମୂଲର ପାଖାପାଖି ୧ ହଜାର ୨୦୦ରୁ ଅଧିକ ଡାୟେରୀ ପ୍ରଡକ୍ଟ ରହିଛି, ଯାହା ଦେଶରେ ଥିବା ମଜଭୁତ ଡିଷ୍ଟ୍ରିବ୍ୟୁସନ ନେଟୱାର୍କ ମାଧ୍ୟମରେ ଗ୍ରାହକଙ୍କ ପାଖକୁ ପହଞ୍ଚୁଛି। ଏହାଛଡା ପରିବର୍ତ୍ତିତ ଉପଭୋକ୍ତା ଆବଶ୍ୟକତା ଅନୁସାରେ ନୂଆ ପ୍ରଡକ୍ଟ ଲଞ୍ଚ କରିବାର ରଣନୀତି ମଧ୍ୟ ଅମୂଲ ସଫଳତାର ଅନ୍ୟ ଏକ କାରଣ ବୋଲି କୁହାଯାଇଛି।

ଚାଷୀଙ୍କ ପରିଶ୍ରମ ଓ ଭରସାର ଫଳ
ଜିସିଏମଏମଏଫ ଚେୟାରମ୍ୟାନ ଅଶୋକଭାଇ ଚୌଧୁରୀ ଅମୂଲର ଏହି ଉପଲବ୍ଧିକୁ ଲକ୍ଷଲକ୍ଷ ଗ୍ରାହକଙ୍କ ବିଶ୍ୱାସ ଓ ୩୬ ଲକ୍ଷରୁ ଅଧିକ ଦୁଗ୍ଧ ଚାଷୀଙ୍କ କଠିନ ପରିଶ୍ରମର ପରିଣାମ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଏହା ସମବାୟ ମଡେଲର ତାକତକୁ ଦର୍ଶାଉଛି। ସେହିପରି ଭାଇସ ଚେୟାରମ୍ୟାନ ଏହାକୁ ଅମୂଲ ମଡେଲର ବଡ଼ ସଫଳତା ବୋଲି କହିଛନ୍ତି, ଯାହା ଆର୍ଥିକ ଭାଗିଦାରୀର ଏକ ମଜଭୁତ ଉଦାହରଣ।

ବୈଶ୍ୱିକ ବଜାରକୁ ବଢାଉଛି
ପାଦ
ଜିସିଏମଏମଫ ମ୍ୟାନେଜିଂ ଡାଇରେକ୍ଟର ଜୟନ ମେହେଟ୍ଟାଙ୍କ ଅନୁସାରେ କମ୍ପାନୀ ଏବେ ଅନ୍ତର୍ଜାତୀୟ ବଜାରରେ ମଧ୍ୟ ଦ୍ରୁତ ପ୍ରସାରିତ ହେଉଛି। କମ୍ପାନୀର ଏହି ପଦକ୍ଷେପ ଯୋଗୁ ଟେକ୍ନୋଲଜି ଓ ବୈଶ୍ୱିକ ବ୍ୟବସାୟର ଲାଭକୁ ସିଧା ଦୁଗ୍ଧ ଚାଷୀଙ୍କ ନିକଟରେ ପହଞ୍ଚାଇବାକୁ ବିଶେଷ ଗୁରୁତ୍ୱ ଦିଆଯାଉଛି। ଜିସିଏମଏମଏଫ ଆଜି ବିଶ୍ୱର ସବୁଠୁ ବଡ଼ ଚାଷୀ ମାଲିକାନାଧିନ ସମବାୟ ସଂସ୍ଥାରେ ପରିଣତ ହୋଇଛି। ସଂସ୍ଥା ଦୈନିକ ପାଖାପାଖି ୩.୧ କୋଟି ଲିଟର ଦୁଗ୍ଧ ସଂଗ୍ରହ କରୁଛି ଓ ପ୍ରତି ବର୍ଷ ଦୁଗ୍ଧ, ଲହୁଣୀ, ପନିର, ଘିଅ ଓ ଆଇସ୍କ୍ରିମ ଭଳି ଶହଶହ ଉତ୍ପାଦ ବିକ୍ରି କରୁଛି। ଅମୂଲର ଏହି ସଫଳତା ନା କେବଳ କମ୍ପାନୀର ସଫଳତା ବଖାଣୁଛି ବରଂ ଭାରତୀୟ ଡାୟେରୀ ସେକ୍ଟର ଓ ସମବାୟ ମଡେଲର ତାକତର ମଧ୍ୟ ପ୍ରମାଣ ଦେଉଛି।