Gold Silver Rate Today: ଲଗାତର ପଞ୍ଚମ ଦିନ ବି ଖସିଲା ସୁନା ଓ ରୁପା ଦର। ଗୁରୁବାର ୨୪ କ୍ୟାରେଟ ୧୦ ଗ୍ରାମ ସୁନାରେ ୯୦୦ ଟଙ୍କା ହ୍ରାସ ପାଇ ଦର ୧.୪୯,୯୦୦ ଟଙ୍କା ହୋଇଛି। ଏହା ପୂର୍ବରୁ ବୁଧବାର ସୁନା ଦର ୧ ଲକ୍ଷ ୫୦ ହଜାର ୮୦୦ ଟଙ୍କା ଥିଲା। ସେହିଭଳି ରୁପା ଦର କିଲୋ ପିଛା ୬ ହଜାର ଟଙ୍କା ଶସ୍ତା ହୋଇ କେଜି ୨ ଲକ୍ଷ ୧୫ ହଜାର ଟଙ୍କାକୁ ଖସି ଆସିଛି। ବୁଧବାର ଏହାର ଦର କିଲୋଗ୍ରାମ ପିଛା ୨ ଲକ୍ଷ ୨୧ ହଜାର ଟଙ୍କା ଥିଲା।

ଆମେରିକା ସେଣ୍ଟ୍ରାଲ ବ୍ୟାଙ୍କ ଫେଡେରାଲ ରିଜର୍ଭ ସିଷ୍ଟମର ସୁଧହାର ବୃଦ୍ଧି ପୂର୍ବରୁ ସୁନା ଦର ଉପରେ ଚାପ ପକାଉଥିବା ବେଳେ ଭାରତୀୟ ଟଙ୍କାର ମୂଲ୍ୟ ବଢ଼ିବା ମଧ୍ୟ ଦର ହ୍ରାସର କାରଣ। ସୁନା ଓ ରୁପା ଅତ୍ୟଧିକ ମହଙ୍ଗା ହେବା ଯୋଗୁ ଏପଟେ ଘରୋଇ ବଜାରରେ ଚାହିଦା କମିଛି। ତେଣୁ ଏହା ବି ଦର ହ୍ରାସର କାରଣ ହୋଇପାରେ।

ଟଙ୍କାର ମୂଲ୍ୟ ବୃଦ୍ଧି

ଗୁରୁବାର ଡଲାର ତୁଳନାରେ ଭାରତୀୟ ଟଙ୍କା କ୍ରମାଗତ ପଞ୍ଚମ ଦିନ ପାଇଁ ମଜବୁତ ହୋଇଛି। ଟଙ୍କାର ମୂଲ୍ୟ ୧୨ ପଇସା ବୃଦ୍ଧି ପାଇ ଡଲାର ପିଛା ୯୫.୦୫ ଟଙ୍କାରେ ବନ୍ଦ ହୋଇଛି। ଭାରତୀୟ ରିଜର୍ଭ ବ୍ୟାଙ୍କର ବୈଦେଶିକ ମୁଦ୍ରା ବଜାରରେ ହସ୍ତକ୍ଷେପର ପ୍ରଭାବ ଟଙ୍କାର ମୂଲ୍ୟକୁ ମଜଭୁତ କରିବାରେ ସହାୟ ହେଉଛି। ଫଳରେ ଘରୋଇ ବଜାରରେ ସୁନା-ରୁପା ଦର ହ୍ରାସ ପାଇଛି।

ବିଦେଶୀ ବଜାରରେ ସୁନା ଓ ରୁପା ଦର ବୃଦ୍ଧି

ଘରୋଇ ବଜାରରେ ସୁନା-ରୁପା ଦର ହ୍ରାସ ପାଇଥିବା ବେଳେ ଅନ୍ତର୍ଜାତୀୟ ବଜାରରେ ଦର ବଢ଼ିଛି। ଆମେରିକାର ଷ୍ଟକ୍ ବଜାରରେ ବଡ଼ ଧରଣର ବିକ୍ରି ପରେ ସୁନା ପ୍ରତି ନିବେଶକଙ୍କ ଚାହିଦା ବଢ଼ିଛି।

ଅନ୍ତର୍ଜାତୀୟ ବଜାରରେ ସ୍ପଟ୍ ସୁନାର ଦର ୪୯.୩୨ ଡଲାର ବା ୧.୨ ପ୍ରତିଶତ ବୃଦ୍ଧି ପାଇଛି। ଫଳରେ ପ୍ରତି ଆଉନ୍ସ ୪,୧୫୪.୬୫ ଡଲାରରେ ପହଞ୍ଚିଛି। ସେହିପରି ସ୍ପଟ୍ ରୁପା ଦର ପ୍ରାୟ ୨ ପ୍ରତିଶତ ବଢ଼ି ଆଉନ୍ସ ପ୍ରତି ୫୬.୬୯ ଡଲାର ହୋଇଛି।