ନୂଆଦିଲ୍ଲୀ: ଭାରତୀୟ ଦଳର ପରବର୍ତ୍ତୀ ମୁଖ୍ୟ ଚୟନକର୍ତ୍ତା କିଏ ହେବ ? ଏହା ସବୁଠୁ ବଡ଼ ପ୍ରଶ୍ନ ହୋଇ ରହିଛି। ଅଜିତ ଅଗରକରଙ୍କ କାର୍ଯ୍ୟକାଳ ସରିବା ପରେ ଏହି ପଦ ଖାଲି ପଡ଼ିଛି। ଏଥିପାଇଁ ଆବେଦନ ପ୍ରକ୍ରିୟା ବି ବୁଧବାର ପୂରା ହୋଇ ସାରିଛି। ଏହା ମଧ୍ୟରେ ଅନୁମାନ କରାଯାଉଥିଲା ଯେ, ପାର୍ଥିବ ପଟେଲ ପରବର୍ତ୍ତୀ ମୁଖ୍ୟ ଚୟନକର୍ତ୍ତା ହୋଇ ପାରନ୍ତି। ମାତ୍ର ପାର୍ଥିବ ଚୟନ କମିଟିରେ ସାମିଲ୍ ହେବା ପାଇଁ ଆବେଦନ ହିଁ କରି ନାହାନ୍ତି। ଏମିତିରେ ବର୍ତ୍ତମାନ ପ୍ରଜ୍ଞାନ ଓଝା ଅନ୍ତରୀଣ ମୁଖ୍ୟ ଚୟନକର୍ତ୍ତା ପଦରେ ରହି ପାରନ୍ତି।

ଚୟନ କମିଟିରେ ଓ୍ଵେଷ୍ଟ ଜୋନରୁ ପଦ ଖାଲି ପଡ଼ିଥିଲା। ଆବେଦନ ପାଇଁ BCCI ଅକ୍ଟୋବର ୧୪ ପର୍ଯ୍ୟନ୍ତ ଡେଡଲାଇନ ଦେଇଥିଲା, ଯାହା ଏବେ ପୂରା ହୋଇ ସାରିଛି। ତେଣୁ ଏବେ ମୁଖ୍ୟ ଚୟନକର୍ତ୍ତା ପାଇଁ ବିସିସିଆଇ କେଉଁ ପଦକ୍ଷେପ ନେଉଛି ତାହା ଉପରେ ସଭିଙ୍କ ନଜର ରହିଛି। କାରଣ ଦିନିକିଆ ବିଶ୍ଵକପକୁ ବର୍ଷେରୁ କମ ସମୟ ବାକି ରହିଛି।

Also Read: ଛକାରେ ବିଶ୍ୱ ରେକର୍ଡ କଲେ ଅଭିଷେକ ଶର୍ମା, ଭାଙ୍ଗିଲେ ସୂର୍ଯ୍ୟ କୁମାରଙ୍କ ମାଇଲ୍ ଷ୍ଟୋନ୍

ଭିଭିଏସ ଲକ୍ଷ୍ମଣଙ୍କୁ ବଡ଼ ଦାୟିତ୍ଵ

ସମସ୍ତେ ଆଶା କରିଥିଲେ ଯେ, ପାର୍ଥିବ ପଟେଲ୍ ଚୟନ କମିଟି ପାଇଁ ଆବେଦନ କରିବେ। ହେଲେ ସେମିତି କିଛି ହୋଇ ନାହିଁ। ଫଳରେ ଏବେ ଚୟନ କମିଟିରେ ଭିଭିଏସ ଲକ୍ଷ୍ମଣଙ୍କ ଭୂମିକା ଅଧିକ ରହିପାରେ। ପୁଣି ଯେ ପର୍ଯ୍ୟନ୍ତ ଚୟନ କମିଟିରେ ପଞ୍ଚମ ପଦ ନିଯୁକ୍ତି ନ ହୋଇଛି, ସେ ପର୍ଯ୍ୟନ୍ତ ପ୍ରଜ୍ଞାନ ଓଝା ଅନ୍ତରୀଣ ମୁଖ୍ୟ ଚୟନକର୍ତ୍ତା ଭାବେ କାମ କରି ପାରନ୍ତି।

ବିସିସିଆଇ ସୂତ୍ର ମୁତାବକ, ଯଦି ଏବେ ଟିମ ଇଣ୍ଡିଆକୁ ନୂଆ ମୁଖ୍ୟ ଚୟନକର୍ତ୍ତା ମିଳେ ତେବେ ତାଙ୍କର ବିଚାର ବର୍ତ୍ତମାନ ଚୟନକର୍ତ୍ତାଙ୍କଠୁ ଭିନ୍ନ ରହିପାରେ। ଅନ୍ୟପଟେ ଭିଭିଏସ ଲକ୍ଷ୍ମଣଙ୍କ ବଢୁଥିବା ପ୍ରଭାବ କାରଣରୁ ବିସିସିଆଇ କାର୍ଯ୍ୟକୁ ସେହି ଢଙ୍ଗରେ ଚଲାଇ ପାରନ୍ତି, ଯେମିତି ଏବେ ଚାଲୁଛି।