ନୂଆଦିଲ୍ଲୀ, ୧୫/୧୦ : ଓ୍ୱେଷ୍ଟ୍ ଇଣ୍ଡିଜ୍ ବିପକ୍ଷ ଚତୁର୍ଥ ଟି୨୦ ମୁକାବିଲାରେ ପରାସ୍ତ ହୋଇଛି ଭାରତ । ଭ୍ରମଣକାରୀ ଟିମ୍ ଶ୍ରେୟସ ବାହିନୀକୁ ୨୪ ରନରେ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି କାରବ୍ୟାନ୍ ଟିମ୍ ୨୪୭ ରନ୍ କରିଥିଲା । ଜବାବରେ ଭାରତ ୨୨୩ ରନରେ ଅଟକି ଯାଇଥିଲା । ପରାଜୟ ପରେ ପିଚକୁ ନେଇ ଆରମ୍ଭ ହୋଇଯାଇଛି ବିବାଦ । ଏହା ମଧ୍ୟରେ ପୂର୍ବତନ ଖେଳାଳି ସୁନିଲ ଗାଭାସ୍କର ପିଚ୍ ନୁହେଁ ବରଂ ଭାରତୀୟ ଦଳର ପ୍ରଦର୍ଶନକୁ ଦୋଷ ଦେଇଛନ୍ତି ।

ଗାଭାସ୍କର କହିଛନ୍ତି ଯେ, ଖରାପ ବୋଲିଂ ପାଇଁ ପିଚକୁ ଦୋଷ ଦେବା ଠିକ୍ ନୁହେଁ । ହାଇଦ୍ରାବାଦ୍ ପିଚ୍ ଅପେକ୍ଷା ଭାରତୀୟ ବୋଲରଙ୍କ ପ୍ରଦର୍ଶନ ଅଧିକ ଚିନ୍ତାଜନକ । ବୋଲରମାନେ ଭୁଲ ଲାଇନ୍ ଏବଂ ଲେନ୍ଥରେ ବୋଲିଂ କରିଥିଲେ । ଯାହାର ଫାଇଦା ଇଣ୍ଡିଜ୍ ବ୍ୟାଟର ଉଠାଇଥିଲେ । ତିଲକ ବର୍ମା ଏବଂ ନୀତିଶ ରେଡ୍ଡିଙ୍କ ବ୍ୟାଟିଂ ବେଳେ ଇଣ୍ଡିଜ୍ ବୋଲର ଫୁଲଟସ୍ ବୋଲିଂ କରୁଥିଲେ । ପରେ ସେମାନେ ନିଜ ଭୁଲ ସୁଧାରିଥିଲେ । ଭଲ ବୋଲିଂ କରିଥିଲେ ।

ସେ ଆହୁରି କହିଛନ୍ତି ଯେ, ସର୍ବଦା ପିଚ୍ କୁ ନେଇ ଆଲୋଚନା ହୁଏ । ପିଚକୁ ଦୋଷ ଦିଆଯାଏ । କିନ୍ତୁ ଫୁଲଟସ୍ ବଲ୍ ପକାଇଲେ ପିଚର କଣ ଭୁଲ ଥାଏ ବୋଲି ସେ ପଚାରିଛନ୍ତି । ଆହୁରି ମଧ୍ୟ ଇଣ୍ଡିଜ୍ ବୋଲର ସଠିକ ଲାଇନ୍ ଲେନ୍ଥରେ ବୋଲିଂ କରିଥିଲେ । ୟର୍କର ପକାଇଥିଲେ । ଭାରତୀୟ ବୋଲରମାନେ ବାହାନା କରିବା ପରିବର୍ତ୍ତେ ନିଜ ବୋଲିଂରେ ସୁଧାର ଆଣିବା ଦରକାର ବୋଲି ଗାଭାସ୍କର ପରାମର୍ଶ ଦେଇଛନ୍ତି ।

ସୂଚନାଯୋଗ୍ୟ, ମୁକାବିଲାରେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ ଅଧିନାୟକ ଶ୍ରେୟସ ଆୟର । ହେଲେ ରଣନୀତି କାମ ଦେଇ ନଥିଲା । ଭାରତୀୟ ବୋଲରଙ୍କୁ ନିର୍ଘାତ ପିଟିଥିଲେ ଇଣ୍ଡିଜ୍ ବ୍ୟାଟର୍ । ପୁଣି ଥରେ ଗର୍ଜିଥିଲା ସାଇ ହୋପଙ୍କ ବ୍ୟାଟ୍ । ଷ୍ଟାଡିୟମ ସାରା ସେ ଛକା ଏବଂ ଚଉକାର ବର୍ଷା କରିଥିଲେ ।ଭାରତ ଆଗରେ ୨୦ ଓଭରରେ ୨୪୭ ରନର୍ ପାହାଡ ଠିଆ କରିଦେଲେ ।

Also Read :- Rule Change 1st November : ବଦଳିଲା ନିୟମ, ୧ ନଭେମ୍ଵରରୁ ସବୁ ଇନକମିଂ କଲ୍‌ରେ ଦିଶିବ Callerଙ୍କ ନାଁ

ତେବେ ଭାରତ ପାଇଁ ସହଜ ନଥିଲା ଟାର୍ଗେଟ୍ । ଅସମ୍ଭବ ନଥିଲେ ବି କଷ୍ଟକର ରହିଥିଲା । ଚେଜ୍ କରିବାକୁ ଆଗେଇ ଆସିଥିଲେ ସଞ୍ଜୁ ସାମସନ୍ । କିନ୍ତୁ ସେ ୨୩ ବଲରୁ ୫୬ ରନ୍ କରି ଆଉଟ୍ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଭିଷେକ ଶର୍ମା ଏବଂ ଇଶାନ କିଷାନ ଫେଲ୍ ମାରିଥିଲେ । ଶ୍ରେୟସ ଆୟର ଏବଂ ନମନ୍ ଧୀରଙ୍କ ବ୍ୟାଟ୍ ବି ଚାଲିନଥିଲା । ଶେଷରେ ତିଲକ ବର୍ମା କିଛି ସମୟ ପାଇଁ ଲଢିଥିଲେ । ହେଲେ ତାହା କାଫି ନଥିଲା । ଲୋୟର ଏଣ୍ଡ୍ ବ୍ୟାଟିଂ ଲାଇନ୍ ତାସ୍ ଘର ଭଳି ଭୁଶୁଡି ପଡିଥିଲା । ଶେଷରେ ୨୨୩ ରନରେ ଭାରତ ଅଟକି ଯାଇଥିଲା ।