ଭୁବନେଶ୍ୱର: ଯଦି ଆପଣ ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ ‘ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ’ (SBI)ରୁ କୌଣସି ଋଣ ନେଇଛନ୍ତି, ତେବେ ଆପଣଙ୍କ ପକେଟ୍ ଉପରେ ଏବେ ଅଧିକ ବୋଝ ପଡ଼ିବାକୁ ଯାଉଛି । କାରଣ ବ୍ୟାଙ୍କ ସମସ୍ତ ପ୍ରକାରର ପ୍ରମୁଖ ସୁଧ ହାରକୁ ବଢ଼ାଇଛି । ଯାହାଫଳରେ ଆଗାମୀ ଦିନରେ ଗୃହ ଋଣ (Home Loan), କାର୍ ଋଣ (Car Loan) ଏବଂ ବ୍ୟକ୍ତିଗତ ଋଣ (Personal Loan) ମହଙ୍ଗା ହେବାକୁ ଯାଉଛି ।

ବ୍ୟାଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ବ୍ୟାଙ୍କ ପକ୍ଷରୁ ଏକ୍ସଟର୍ନାଲ ବେଞ୍ଚମାର୍କ ଲିଙ୍କ୍ଡ ଲେଣ୍ଡିଂ ରେଟ୍ (EBLR) ଏବଂ ରେପୋ ଲିଙ୍କ୍ଡ ଲେଣ୍ଡିଂ ରେଟ୍ (RLLR)ରେ ୨୫ ବେସିସ୍ ପଏଣ୍ଟ ବା ୦.୨୫ ପ୍ରତିଶତ ବୃଦ୍ଧି କରାଯାଇଛି । ଏହି ବର୍ଦ୍ଧିତ ସୁଧ ହାର ଅକ୍ଟୋବର ୧୫ ଅର୍ଥାତ ଗୁରୁତବାର ଠାରୁ ଲାଗୁ ହୋଇଛି । ସୂଚନାଥାଉକି, ନିକଟରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI) ମୁଦ୍ରାନୀତି ସମୀକ୍ଷାରେ ରେପୋ ରେଟ୍‌କୁ ୨୫ ବେସିସ୍ ପଏଣ୍ଟ ବୃଦ୍ଧି କରି ୫.୫ ପ୍ରତିଶତ କରିଥିଲା । ଯାହା ପରେ ଏସବିଆଇ ଏହି ପଦକ୍ଷେପ ନେଇଛି ।

MCLR ହାର ମଧ୍ୟ ବଢ଼ିଲା

ଏହା ବ୍ୟତୀତ ବ୍ୟାଙ୍କ ନିଜର ମାର୍ଜିନାଲ କଷ୍ଟ ଅଫ୍ ଫଣ୍ଡସ ଲିଙ୍କ୍ଡ ଲେଣ୍ଡିଂ ରେଟ୍ (MCLR)କୁ ମଧ୍ୟ ୧୫ ବେସିସ୍ ପଏଣ୍ଟ (୦.୧୫%) ପର୍ଯ୍ୟନ୍ତ ବଢ଼ାଇଛି । ତେବେ ଓଭରନାଇଟ୍ ଏବଂ ଏକ ମାସର ଅବଧି ପାଇଁ MCLR ସୁଧ ହାରରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । ୩ ମାସଠାରୁ ଆରମ୍ଭ କରି ୩ ବର୍ଷ ଅବଧିର ଋଣ ଉପରେ ଏହି ନୂଆ ଦର ଲାଗୁ ହେବ।

Also Read: ସାରା ବିଶ୍ୱରେ ଆର୍ଥିକ ଅନିଶ୍ଚିତତା, ୨୦୨୭ରେ ଭାରତରେ କର୍ମଚାରୀଙ୍କ ଦରମା ୯.୧ ପ୍ରତିଶତ ବଢିବା ଅନୁମାନ

ବଦଳିଥିବା MCLRର ସମ୍ପୂର୍ଣ୍ଣ ତାଲିକା:

ଋଣ ଅବଧି ପୁରୁଣା ସୁଧ ହାର ନୂଆ ସୁଧ ହାର କେତେ ବଢ଼ିଲା ?
ଓଭରନାଇଟ୍ ୭.୮୫% ୭.୮୫% କୌଣସି ପରିବର୍ତ୍ତନ ହୋଇ ନାହିଁ
୧ ମାସ ୭.୮୫% ୭.୮୫% କୌଣସି ପରିବର୍ତ୍ତନ ହୋଇ ନାହିଁ

୩ ମାସ

୮.୨୫% ୮.୪୦% ୧୫ ବେସିସ୍ ପଏଣ୍ଟ
୬ ମାସ ୮.୬୦% ୮.୭୫% ୧୫ ବେସିସ୍ ପଏଣ୍ଟ
୧ ବର୍ଷ ୮.୭୦% ୮.୮୫% ୧୫ ବେସିସ୍ ପଏଣ୍ଟ
୨ ବର୍ଷ ୮.୭୫% ୮.୯୦% ୧୫ ବେସିସ୍ ପଏଣ୍ଟ
୩ ବର୍ଷ ୮.୮୦% ୮.୯୫% ୧୫ ବେସିସ୍ ପଏଣ୍ଟ

ଗ୍ରାହକଙ୍କ ଉପରେ କ’ଣ ପ୍ରଭାବ ପଡ଼ିବ ?

ଏହି ସୁଧ ହାର ବୃଦ୍ଧି ପରେ ଏସବିଆଇରୁ ଋଣ ନେଇଥିବା ପୁରୁଣା ଗ୍ରାହକ ଏବଂ ନୂଆ କରି ଋଣ ନେବାକୁ ଚାହୁଁଥିବା ଲୋକଙ୍କ ପାଇଁ ବ୍ୟାଙ୍କିଙ୍ଗ୍ ମହଙ୍ଗା ହେବ। ତେବେ ବ୍ୟାଙ୍କ ସ୍ପଷ୍ଟ କରିଛି ଯେ ସମସ୍ତ ଗ୍ରାହକଙ୍କ ଇଏମଆଇ (EMI) ଆଜିଠାରୁ ହିଁ ବଢ଼ିଯିବ ତାହା ନୁହେଁ । ଆପଣଙ୍କ ଋଣର ରିସେଟ୍ ଡେଟ୍ (Reset Date) ବା ସୁଧ ହାର ପୁନଃ ନିର୍ଦ୍ଧାରଣ ତାରିଖ ଏବଂ ଚୁକ୍ତି ଅନୁସାରେ ହିଁ ମାସିକ କିସ୍ତି କିମ୍ବା ଋଣ ଶୁଝିବା ଅବଧି ବୃଦ୍ଧି ପାଇବ ।

ସୂଚନାଯୋଗ୍ୟ, ଋଣ ଉପରେ ସୁଧ ହାର ବଢ଼ାଇଥିଲେ ସୁଦ୍ଧା ଷ୍ଟେଟ୍ ବ୍ୟାଙ୍କ ତରଫରୁ ଏଫଡି (Fixed Deposit) ବା ସ୍ଥାୟୀ ଜମା ଉପରେ ମିଳୁଥିବା ସୁଧ ହାରରେ କୌଣସି ପରିବର୍ତ୍ତନ କରାଯାଇନାହିଁ ।