ମୁମ୍ଵାଇ ୧୩।୦୯; ବଲିଉଡ୍ ଅଭିନେତ୍ରୀ ଅମିଷା ପଟେଲଙ୍କ ପରିବାରକୁ ନେଇ ଏବେ ଏଭଳି ଏକ ଚର୍ଚ୍ଚିତ ଖବର ସାମ୍ନାକୁ ଆସିଛି। ଅମିଷାଙ୍କ ମାଆ ଆଶା ପଟେଲଙ୍କ ଘରୁ ପ୍ରାୟ ୫ ଲକ୍ଷ ଟଙ୍କା ମୂଲ୍ୟର ହୀରା ଚୁଡ଼ି ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘଟଣାକୁ ନେଇ ତଦନ୍ତ ପରେ ପୋଲିସ ଜଣେ ୪୦ ବର୍ଷୀୟା ଘରୋଇ ସହାୟିକାଙ୍କୁ ଗିରଫ କରିଛି। ଅଭିଯୁକ୍ତାଙ୍କ ନାଁ ସୀମା ବିନୋଦ ଘାଟେ। ସେ ବିରାର ଅଞ୍ଚଳର ବାସିନ୍ଦା ଏବଂ ପ୍ରାୟ ଦେଢ଼ ବର୍ଷ ଧରି ଆଶା ପଟେଲଙ୍କ ଘରେ କାମ କରୁଥିବା ଜଣାପଡ଼ିଛି।

କୁହାଯାଉଛି, ଚଳିତ ବର୍ଷ ଜାନୁଆରୀରେ ଆଶା ପଟେଲଙ୍କ ହୀରା ଚୁଡ଼ି ହଠାତ୍ ନିଖୋଜ ହୋଇଯାଇଥିଲା। ଚୁଡ଼ିର ମୂଲ୍ୟ ପ୍ରାୟ ୫ ଲକ୍ଷ ଟଙ୍କା ବୋଲି ଅଭିଯୋଗରେ ଦର୍ଶାଯାଇଛି। ଚୁଡ଼ି ଗାଏବ୍ ହେବା ପରେ ଘରେ କାମ କରୁଥିବା ସୀମାଙ୍କ ଉପରେ ସନ୍ଦେହ ହୋଇଥିଲା। ଆଶା ପଟେଲ ଏନେଇ ସୀମାଙ୍କୁ ପଚରାଉଚରା କରିଥିଲେ। ହେଲେ ଅଭିଯୋଗ ଅନୁସାରେ, ସୀମା ଚୋରି କରିଥିବା କଥାକୁ ଅସ୍ୱୀକାର କରିଥିଲେ। ଶେଷରେ ଘଟଣାର ତଦନ୍ତ ପାଇଁ ମେରାଇନ୍ ଡ୍ରାଇଭ୍ ପୋଲିସର ଦ୍ୱାରସ୍ଥ ହୋଇଥିଲେ ଆଶା ପଟେଲ। ଏହାପରେ ଭାରତୀୟ ନ୍ୟାୟ ସଂହିତାର ଧାରା ୩୦୬ ଅନୁଯାୟୀ FIR ରୁଜୁ ହୋଇଥିଲା। ବରିଷ୍ଠ ପୋଲିସ ଅଧିକାରୀଙ୍କ ନିର୍ଦ୍ଦେଶରେ ଗଠିତ ଅପରାଧ ଅନୁସନ୍ଧାନକାରୀ ଟିମ୍ ତଦନ୍ତ ଆରମ୍ଭ କରିଥିଲା।

ତଦନ୍ତରେ ସୀମାଙ୍କୁ କାବୁ କରି ପୋଲିସ ହେପାଜତକୁ ନେଇଥିଲା। ପରେ ତାଙ୍କୁ କୋର୍ଟରେ ହାଜର କରାଯିବାରୁ ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ପୋଲିସ ହେପାଜତକୁ ପଠାଯାଇଛି। ତେବେ ଏବେ ସବୁଠାରୁ ବଡ଼ ପ୍ରଶ୍ନ—କେଉଁଠି ଗଲା ସେହି ୫ ଲକ୍ଷ ଟଙ୍କାର ହୀରା ଚୁଡ଼ି? ଚୋରି ହୋଇଥିବା ଗହଣା ଏପର୍ଯ୍ୟନ୍ତ ଜବତ ହୋଇନଥିବା ବେଳେ, ଏହାର ତଦନ୍ତ ଜାରି ରଖିଛି ପୋଲିସ। ଅନ୍ୟପଟେ, ଅଭିଯୁକ୍ତାଙ୍କର ପୂର୍ବରୁ ଏଭଳି କୌଣସି ମାମଲାରେ ସମ୍ପୃକ୍ତି ଥିଲା କି ନାହିଁ, ସେନେଇ ମଧ୍ୟ ତଦନ୍ତ କରୁଛି ପୋଲିସ।