ନୂଆଦିଲ୍ଲୀ, ୧୩/୦୯ :ଚଳିତ ମହିଳା ଟି-ଟ୍ୱେଣ୍ଟି ଏସିଆ କପରେ ରବିବାର ଖେଳାଯିବ ଫାଇନାଲ୍ ମୁକାବିଲା । ଦୁବାଇ ଇଣ୍ଟରନ୍ୟାସନାଲ୍ କ୍ରିକେଟ୍ ଷ୍ଟାଡିୟମରେ ୭ଥର ଚାମ୍ପିଅନ୍ ଭାରତ ଓ ଡିଫେଣ୍ଡିଂ ଚାମ୍ପିଅନ୍ ଶ୍ରୀଲଙ୍କା ସାମ୍ନାସାମ୍ନି ହେବେ।

ଉଭୟ ଦଳ ଅପରାଜେୟ ରହିଛନ୍ତି। ଶ୍ରୀଲଙ୍କା ଟାଇଟଲ୍ ବଜାୟ ରଖିବା ଲକ୍ଷ୍ୟରେ ରହିଛି। ଅନ୍ୟ ପଟରେ ଭାରତ ଗତ ସଂସ୍କରଣର ଫାଇନାଲ ପରାଜୟର ମଧୁର ପ୍ରତିଶୋଧ ନେବାକୁ ସବୁ ଶକ୍ତି ଖଟାଇବାକୁ ପ୍ରସ୍ତୁତ। ଫଳରେ ମ୍ୟାଚଟି କଡ଼ା ସଂଘର୍ଷପୂର୍ଣ୍ଣ ହେବା ଆଶା କରାଯାଉଛି।

ଏସିଆ କପରେ ସବୁଠୁ ସଫଳ ଦଳ ହେଉଛି ଭାରତ । ଦଳ ସର୍ବାଧିକ ଥର ଚାମ୍ପିଅନ୍ ହୋଇଛି। ଶ୍ରୀଲଙ୍କା ଗତ ସଂସ୍କରଣ (୨୦୨୪)ର ଫାଇନାଲରେ ଭାରତକୁ ହରାଇ ପ୍ରଥମ ଥର ଚାମ୍ପିଅନ୍ ହୋଇଥିଲା। ସେମି ଫାଇନାଲରେ ଭାରତ ୪୦ ରନରେ ବାଂଲାଦେଶକୁ ଏବଂ ଶ୍ରୀଲଙ୍କା ୪ ୱିକେଟରେ ପାକିସ୍ତାନକୁ ହରାଇ ଫାଇନାଲରେ ପ୍ରବେଶ କରିଥିଲା। ଶ୍ରୀଲଙ୍କା ତୁଳନାରେ ଭାରତ ଅପେକ୍ଷାକୃତ ଶକ୍ତିଶାଳୀ ରହିଛି। ଦୁଇ ଓପନର ଶେଫାଳି ବର୍ମା ଓ ସ୍ମୃତି ମନ୍ଧନା ଫର୍ମରେ ରହିଛନ୍ତି। ଶେଫାଳି ସର୍ବାଧୂକ ୧୬୮ରନ୍ (୨ ଅର୍ଦ୍ଧଶତକ) ଏବଂ ମନ୍ଧନା ୧୫୪ ରନ୍ (୧ ଶତକ) କରିଛନ୍ତି। ଶ୍ରୀଲଙ୍କାର ବ୍ୟାଟିଂ ହର୍ଷିତା ସମରବିକ୍ରମା ଓ ନୀଳକ୍ଷିକା ସିଲଭାଙ୍କ ଉପରେ ନିର୍ଭର କରୁଛି। ଅଧିନାୟିକା ଚାମରି ଆଗପଟୁ ବ୍ୟାଟିଂରେ ସଂଘର୍ଷ କରୁଥିଲେ ହେଁ ବୋଲିଂରେ ଶୃଙ୍ଖଳିତ ପ୍ରଦର୍ଶନ କରୁଛନ୍ତି ।

Also Read :- ଭାରତ-ଆଫଗାନିସ୍ତାନ ଟି୨୦ ସିରିଜ୍ : ଶ୍ରେୟସଙ୍କ ନେତୃତ୍ୱ, ବୈଭବଙ୍କ ବ୍ୟାଟିଂ ଉପରେ ସମସ୍ତଙ୍କ ନଜର

ଦୁବାଇ ଷ୍ଟାଡିୟମ ସ୍ପିନରଙ୍କୁ ସହାୟତା କରୁଥିବାରୁ ରବିବାର ଉଭୟ ଦଳର ସ୍ପିନରଙ୍କ ମଧ୍ୟରେ କଡ଼ା ଟକ୍ଟର ହେବ। ଭାରତୀୟ ସ୍ପିନରମାନେ ୨୬ଟି ଓ ଶ୍ରୀଲଙ୍କା ସ୍ପିନରମାନେ ୨୫ଟି ୱିକେଟ୍ ନେଇ ସାରିଛନ୍ତି। ଭାରତୀୟ ଅଲରାଉଣ୍ଡର ଦୀପ୍ତି ଶର୍ମା ଓ ଶ୍ରୀଲଙ୍କାର ଆଟାପଟୁ ୧୧ଟି ଲେଖାଏଁ ୱିକେଟ୍ ହାସଲ କରିଛନ୍ତି।