ମହିଳା ଏସିଆ କପ୍; ଡାମ୍ବୁଲାରେ ଭାରତ-ଶ୍ରୀଲଙ୍କା ଫାଇନାଲ୍ ଫାଇଟ୍

Published By : Prameya-News7 Bureau | July 28, 2024 IST

ଡାମ୍ବୁଲା,୨୮/୦୭: ମହିଳା ଏସିଆ କପ୍‌ରେ ଭାରତ ଓ ଶ୍ରୀଲଙ୍କା ଟାଇଟଲ ଟକ୍କର । ଡାମ୍ବୁଲାରେ ଅପରାହ୍ଣ ୩ଟାରେ ଏହି ମ୍ୟାଚ୍ ଖେଳାଯିବ । ଟିମ୍ ଇଣ୍ଡିଆକୁ ଅଟକାଇବାକୁ ପ୍ରସ୍ତୁତ ହୋଇ ରହିଛି ସିଂହଳୀ ବାହିନୀ । ପୂର୍ବର ରେକର୍ଡକୁ ଦେଖିଲେ ଭରାତ ୭ଥର ଚାମ୍ପିଅନ୍‌ ହୋଇଛି । ଏଥର ମଧ୍ୟ ହର୍ମନପ୍ରୀତ କୌରଙ୍କ ଦଳ ଟାଇଟଲ ଦାବିଦାର ରହିଛି । ଶ୍ରୀଲଙ୍କା ମଧ୍ୟ ୫ଥର ଫାଇନାଲ୍‌ ଖେଳି ସାରିଛି ।  ପ୍ରତ୍ୟେକ ଥର ଭାରତ ଠାରୁ ପରାଜିତ ହୋଇ ଟାଇଟଲରୁ ବଞ୍ଚିତ ହୋଇଛି ।   ଏଥର ଶ୍ରୀଲଙ୍କା ନିକଟରେ ବିଜୟ ସୁଯୋଗ ଯଥେଷ୍ଟ ରହିଛି । ପ୍ରଥମତଃ ଦଳ ଘରୋଇ ସମର୍ଥକଙ୍କ ଗହଣରେ ଖେଳୁଛି ଓ ଚାମରି ଆଟାପଟୁଙ୍କ ଦଳ ଚମତ୍କାର ପ୍ରଦର୍ଶନ ଜାରି ରଖିଛି ।  

ଉଭୟ ଦଳ ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ଗୋଟିଏ ହେଲେ ମ୍ୟାଚ୍‌ ହାରି ନାହାନ୍ତି ।  ମାତ୍ର ଭାରତ ତୁଳନାରେ ଶ୍ରୀଲଙ୍କା ଅଧିକାଂଶ ମ୍ୟାଚ୍‌ରେ ଏକତରଫା ବିଜୟ   ହାସଲ କରିଛି । ଭାରତ ବିପକ୍ଷରେ ଆଧିପତ୍ୟ ସମ୍ଭବ ନୁହେଁ । କାରଣ ଭାରତ ବ୍ୟାଟିଂରୁ ଆରମ୍ଭ କରି ବୋଲିଂ ଓ ଫିଲ୍ଡିଂ ପର୍ଯ୍ୟନ୍ତ ସବୁ ବିଭାଗରେ ଶୃଙ୍ଖଳିତ ଟିମ୍ ଇଣ୍ଡିଆ । ସ୍ମୃତି ମନ୍ଧନା ଓ ଶେଫାଳି ବର୍ମା ନିୟମିତ ଭାବେ ବିସ୍ଫୋରକ ବ୍ୟାଟିଂ କରୁଛନ୍ତି । ଫଳରେ ବାକି ବ୍ୟାଟରଙ୍କୁ କ୍ରିଜ୍‌କୁ ଓହ୍ଲାଇବାକୁ ପଡ଼ୁନାହିଁ । 

ସେହିପରି ବୋଲିଂ ବିଭାଗରେ ମଧ୍ୟ ଯଥେଷ୍ଟ ବିକଳ୍ପ ରହିଛି । ପ୍ରତିପକ୍ଷ ବ୍ୟାଟରଙ୍କୁ   ଅଟକାଇବା କଷ୍ଟକର ହେଉନାହିଁ । ଶ୍ରୀଲଙ୍କାର ଭାଗ୍ୟ ଆଟାପଟୁଙ୍କ ବ୍ୟାଟିଂ ଉପରେ ନିର୍ଭର କରିବ । ସେ ଚମତ୍କାର ଫର୍ମରେ ରହିଛନ୍ତି । ସେ ୪ଟି ମ୍ୟାଚ୍‌ରୁ ମୋଟ୍‌ ୨୪୩ ରନ୍‌ ସଂଗ୍ରହ  କରିସାରିଛନ୍ତି । ଏଥିରେ ଗୋଟିଏ ଶତକ  ଓ ଗୋଟିଏ ଅର୍ଦ୍ଧଶତକ ରହିଛି । ଅନ୍ୟ କେହି ସେଭଳି ଚମକ ଦେଖାଇ ନାହାନ୍ତି । ସେହିପରି ବୋଲିଂ ବିଭାଗରେ କବିଶା ଦିଲହାରୀ ୭ଟି ୱିକେଟ୍‌ ନେଇଛନ୍ତି । ଭାରତ ମୁଖ୍ୟତଃ ବୋଲରଙ୍କ ପ୍ରଦର୍ଶନ ଉପରେ ନିର୍ଭର କରୁଛି ।   ବିଶେଷ କରି ରେଣୁକା ସିଂହ ଓ ପୂଜା   ବସ୍ତ୍ରାକର ଘାତକ ପେସ ବୋଲିଂ କରୁଛନ୍ତି । ରେଣୁକା ୭ଟି ୱିକେଟ୍‌ ନେଇ ସାରିଛନ୍ତି । ଡାମ୍ବୁଲା ପିଚ ବ୍ୟାଟିଂ ପାଇଁ ବେଶ୍‌ ଅନୁକୂଳ । ଦିନ ବେଳା ମ୍ୟାଚ୍‌  ରହୁଥିବାରୁ ଟସ୍‌ ବିଜୟୀ ଦଳ ବ୍ୟାଟିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.