ନୂଆଦିଲ୍ଲୀ, ୧୩/୦୯ :ଆଫଗାନିସ୍ତାନ ଓ ଭାରତ ମଧ୍ୟରେ ରବିବାରଠୁ ଖେଳାଯିବ ୩ମ୍ୟାଚ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜର ପ୍ରଥମ ମୁକାବିଲା। ଉଭୟ ଦଳ ଇତି ମଧ୍ୟରେ ପ୍ରସ୍ତୁତି ପର୍ବ ଶେଷ କରି ବିଜୟ ପାଇଁ ରଣନୀତି ପ୍ରସ୍ତୁତ କରିବାରେ ଲାଗିଛନ୍ତି। ଅଧିନାୟକ ଭାବେ ଶ୍ରେୟାସ ଆୟର ଏହି ସିରିଜ ଜିତି ଆଲୋଚକଙ୍କୁ ଚୁପ୍ କରିବା ପାଇଁ ଚେଷ୍ଟା କରିବେ। ଆଫଗାନିସ୍ତାନ ମଧ୍ୟ ବିପର୍ଯ୍ୟୟ ଘଟାଇବାକୁ ପ୍ରୟାସ କରିବ। ଏସବୁ ଭିତରେ ସମସ୍ତଙ୍କ ନଜର ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ ରହିବ। ସେ ରବିବାର ଏକାଦଶରେ ସୁଯୋଗ ପାଇଲେ ସର୍ବକନିଷ୍ଠ ଖେଳାଳି ଭାବେ ଭାରତୀୟ ମାଟିରେ ଖେଳିବାରେ ରେକର୍ଡ କରିବେ।

Also Read :- ଆଜିଠୁ କମିବ ବର୍ଷା, କିନ୍ତୁ ଏହି ସବୁ ଜିଲ୍ଲାରେ ବର୍ଷିବ !

ଯଶପ୍ରୀତ ବୁମରାଙ୍କ ପ୍ରତ୍ୟାବର୍ତ୍ତନ ମଧ୍ୟ ଭାରତୀୟ କ୍ରିକେଟ୍ ପ୍ରେମୀଙ୍କ ଉତ୍ସାହ ବଢ଼ାଇଛି। କୋଟଲା ଗ୍ରାଉଣ୍ଡରେ ବୁମରାଙ୍କ ବୋଲିଂ ଦେଖିବାକୁ ଦର୍ଶକ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି । ଭାରତ ପାଇଁ ଚୂଡ଼ାନ୍ତ ଏକାଦଶ ପ୍ରସ୍ତୁତ କରିବା ବେଶ୍ କଷ୍ଟକର ହେବ । ଅନେକ ଖେଳାଳି ଚମତ୍କାର ଫର୍ମରେ ରହିଛନ୍ତି ଏବଂ ଅନେକ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଦଳରେ ଅଲରାଉଣ୍ଡର ଭାବେ ନୀତିଶ କୁମାର ରେଡ୍ଡି,ୱାସିଂଟନ ସୁନ୍ଦର,ଅକ୍ଷର ପଟେଲ,ଶିବମ ଦୁବେ ରହିଛନ୍ତି। ପ୍ରତ୍ୟାବର୍ତ୍ତନ କରିଥିବା ଯଶପ୍ରୀତ ବୁମରା,ଅର୍ଶଦୀପ ସିଂ ପେସ୍ ବୋଲିଂ ବିଭାଗ ସମ୍ଭାଳିବା ନିଶ୍ଚିତ। ସ୍ପିନର ଭାବେ ବରୁଣ ଚକ୍ରବର୍ତ୍ତୀ ମଧ୍ୟ ସ୍ଥାନ ବଜାୟ ରଖିବେ । ଫଳରେ ୩ଟି ଅଲରାଉଣ୍ଡର ସ୍ନାନ ପାଇଁ ଉପରୋକ୍ତ ୪ଜଣଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ।

ନବୀ-ଉଲ-ହକ ଆଫଗାନିସ୍ତାନ ଦଳକୁ ଫେରିଥିବାରୁ ବୋଲିଂ ବିଭାଗ ପ୍ରସ୍ତୁତ କରିବା ମଧ୍ୟ କଷ୍ଟକର ହେବ। ଅଜମତୁଲ୍ଲା ଓମାରଜାଇ ପେସ୍ ବୋଲିଂ ଅଲରାଉଣ୍ଡର ଭାବେ ଖେଳିବେ। ଫଳରେ ଫଜଲହକ୍ ଫାରୁକି ଓ ନବୀଙ୍କ ମଧ୍ୟରୁ ଜଣେ ପେସ ବୋଲର ଭାବେ ଏକାଦଶରେ ସ୍ଥାନ ପାଇବେ। ଉଭୟ ପେସ୍ ବୋଲର ଖେଳିଲେ ମୁଜିବଉର ରେହମାନ ଓ ନୂର ଅହମ୍ମଦଙ୍କ ମଧ୍ୟରୁ ଜଣେ ଏକାଦଶରୁ ବାଦ ପଡ଼ିଯିବେ।

ଅରୁଣ ଜେଟଲୀ ଷ୍ଟାଡ଼ିୟମ ପିଚ୍ ବ୍ୟାଟିଂ ପାଇଁ ବେଶ୍ ଅନୁକୂଳ। ଗତ ଆଇପିଏଲରେ ଏହି ଗ୍ରାଉଣ୍ଡରେ ଓଭର ପିଛା ୯.୬୩ ହାରରେ ରନ ସଂଗୃହୀତ ହୋଇଥିଲା । ଛୋଟ ଗ୍ରାଉଣ୍ଡ ଓ ଦ୍ରୁତ ଆଉଟ୍ ଫିଲ୍ମ ହୋଇଥିବାରୁ ରବିବାର ବିଶାଳ ସ୍କୋର ଦେଖିବାକୁ ମିଳିବ। ତେବେ ରାତ୍ରିରେ ମ୍ୟାଚ ଖେଳାଯାଉଥିବାରୁ ଟସ୍ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ ।