ନୂଆଦିଲ୍ଲୀ ୧୩।୦୯; ଜାଭା ସାଗରରେ ବଡ଼ ଅଘଟଣ! ୨୪୩ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଜାହାଜ ହଠାତ୍ ନିଖୋଜ ହୋଇଯାଇଥିଲା। ତୁରନ୍ତ ବଡ଼ଧରଣର ସନ୍ଧାନ ଓ ଉଦ୍ଧାର ଅଭିଯାନ ହୋଇଥିଲା। ଜାହାଜ ସହ ଯୋଗାଯୋଗ ବିଚ୍ଛିନ୍ନ ହେବା ପରେ ବଢ଼ିଛି ଚିନ୍ତା। ତେବେ ଆଶ୍ୱସ୍ତିର ଖବର ହେଉଛି ଏପର୍ଯ୍ୟନ୍ତ ୧୦୩ ଜଣଙ୍କୁ ଉଦ୍ଧାର କରାଯାଇଛି। ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଥିବା ବେଳେ, ଏବେ ବି ୧୪୦ ଜଣଙ୍କ କୌଣସି ପତ୍ତା ମିଳୁନି।

ଇଣ୍ଡୋନେସିଆର ସୁରାବାୟାରୁ ବଞ୍ଜାରମାସିନ୍ ଅଭିମୁଖେ ଯାତ୍ରା କରୁଥିଲା ‘ୱାର୍ଜୋ ଟ୍ରାନ୍ସପୋର୍ଟ ୮’। ଶନିବାର ଯାତ୍ରା ସମୟରେ ଜାହାଜର ଯୋଗାଯୋଗ ତ୍ରୁଟି ଦେଖାଦେବା ପରେ ହଠାତ୍ ବିଚ୍ଛିନ୍ନ ହୋଇଥିଲା ସମ୍ପର୍କ। ଶେଷ ଥର ପାଇଁ ଜାହାଜର ଅବସ୍ଥିତି ଜାଭା ସାଗରରେ ଚିହ୍ନଟ ହୋଇଥିଲା। ବଞ୍ଜାରମାସିନ୍ ବନ୍ଦରଠାରୁ ପ୍ରାୟ ୧୪୮ କିଲୋମିଟର ଦୂରରେ ଥିଲା ଏହାର ଶେଷ ଲୋକେସନ୍। ଜାହାଜରେ ଥିଲେ ମୋଟ ୨୪୩ ଜଣ। ଖବର ପାଇବା ପରେ ତୁରନ୍ତ ଇଣ୍ଡୋନେସିଆର ଉଦ୍ଧାରକାରୀ ଦଳ ତଲାସୀରେ ଲାଗିପଡିଥିଲେ।

ଉଦ୍ଧାର ଅଭିଯାନ ଜୋରଦାର

ଅନେକ ଜାହାଜ ସହ ଏକ ହେଲିକପ୍ଟରକୁ ମଧ୍ୟ ସନ୍ଧାନ ଅଭିଯାନରେ ନିୟୋଜିତ କରାଯାଇଛି। ସମୁଦ୍ରରେ ଥିବା ଅନ୍ୟ ଜାହାଜଗୁଡ଼ିକୁ ମଧ୍ୟ ସତର୍କ କରାଯାଇଛି। ନିଖୋଜ ଜାହାଜ କିମ୍ବା ଏହାର ଯାତ୍ରୀଙ୍କୁ ଦେଖିଲେ ତୁରନ୍ତ ଉଦ୍ଧାରକାରୀ ଦଳକୁ ସୂଚନା ଦେବାକୁ କୁହାଯାଇଛି। ଏପର୍ଯ୍ୟନ୍ତ ୧୦୩ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ବେଳେ, ବାକି ଯାତ୍ରୀଙ୍କୁ ଖୋଜିବା ପାଇଁ ତଲାସୀ ଅଭିଯାନକୁ ଆହୁରି ତୀବ୍ର କରାଯାଇଛି।