ନୂଆଦିଲ୍ଲୀ ୧୩।୦୯; ୟୁକ୍ରେନରେ ପୁଣି ରକ୍ତର ଛିଟା... ଆକାଶରୁ ହେଲା ମୃତ୍ୟୁର ବର୍ଷା! ରାତି ସାରା ଗର୍ଜିଲା ରୁଷିଆର ଡ୍ରୋନ୍। ବିଭିନ୍ନ ସହରରେ ଆକ୍ରମଣ, ଚାରିଆଡ଼େ ଆତଙ୍କ। ରୁଷିଆର ଆକ୍ରମଣରେ ୯ ଜଣ ସାଧାରଣ ନାଗରିକଙ୍କ ଜୀବନ ଯାଇଥିବା ବେଳେ ଅନେକ ଆହତ ହୋଇଛନ୍ତି।

ଜାପୋରିଜିଆରୁ ଓଡେସା ଓ କିଭି ରିହ୍ର ଏକାଧିକ ଅଞ୍ଚଳରେ ରୁଷିଆର ଆକ୍ରମଣ ପରେ ଭୟ ଓ ଆତଙ୍କର ମାହୋଲ। ଆଉ ଏହି ସମୟରେ ୟୁରୋପକୁ ପୁଟିନଙ୍କ କଡ଼ା ଚେତାବନୀ। ୟୁକ୍ରେନ୍ରେ ୟୁରୋପୀୟ ସୈନ୍ୟ ମୁତୟନ ହେଲେ ଏହାକୁ ରୁଷିଆ ସହ ପ୍ରତ୍ୟକ୍ଷ ସଂଘର୍ଷ ବୋଲି ବିବେଚନା କରାଯିବ ବୋଲି କହିଛନ୍ତି ପୁଟିନ୍।

କିନ୍ତୁ ଏହାଠାରୁ ବଡ଼ ଚିତ୍ର ଓଡେସାରେ। କଳା ସାଗର ତଟବର୍ତ୍ତୀ ଏହି ସହର ଓ ଆଖପାଖ ଅଞ୍ଚଳରେ ଆକ୍ରମଣ ପରେ ୩୫ ଜଣ ଆହତ ହୋଇଛନ୍ତି। ଏକ ଆବାସିକ କୋଠା ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଧ୍ୱଂସ ହୋଇଛି ଉପର ମହଲା। ସେହି ଅଞ୍ଚଳରେ ଏକ ରାସନ ଦୋକାନ ଉପରେ ଆକ୍ରମଣରେ ମଧ୍ୟ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି।

ଏପଟେ ରୁଷିଆ ଉପରେ ପ୍ରତିଆକ୍ରମଣର ଦାବି କରିଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି। ରୁଷିଆର ସାମାରା ଓ ପର୍ମ ଅଞ୍ଚଳରେ ଥିବା ଦୁଇଟି ରାସାୟନିକ ଶିଳ୍ପ କେନ୍ଦ୍ରକୁ ୟୁକ୍ରେନ୍ ସେନା ଟାର୍ଗେଟ୍ କରିଥିବା ନେଇ ସେ କହିଛନ୍ତି। ଏହି ଦାବି ଉପରେ ସମ୍ପୃକ୍ତ ଅଞ୍ଚଳର ରାଜ୍ୟପାଳଙ୍କ ପକ୍ଷରୁ ତୁରନ୍ତ କୌଣସି ମନ୍ତବ୍ୟ ଆସିନଥିବା ବେଳେ, ରୁଷିଆର ସ୍ୱାଧୀନ ଅନଲାଇନ୍ ମିଡିଆ ଆଉଟଲେଟ୍ ‘ଆଷ୍ଟ୍ରା’ ମଧ୍ୟ ଡ୍ରୋନ୍ ଆକ୍ରମଣର ଖବର ଦେଇଛି।

ପୁଟିନଙ୍କ କଡ଼ା ଚେତାବନୀ

ଯୁଦ୍ଧର ଏହି ତାତି ଭିତରେ ଆହୁରି ବଢ଼ିଛି ଭୂ-ରାଜନୈତିକ ଉତ୍ତେଜନା। ବ୍ରିକ୍ସ ସମ୍ମିଳନୀ ସମୟରେ ସାମ୍ବାଦିକଙ୍କ ସହ କଥା ହୋଇ ପୁଟିନ୍ ୟୁରୋପକୁ ଦେଇଛନ୍ତି ସ୍ପଷ୍ଟ ବାର୍ତ୍ତା। ୟୁକ୍ରେନ୍ରେ ୟୁରୋପୀୟ ସୈନ୍ୟ ମୁତୟନ ହେଲେ ତାହା ରୁଷିଆ ସହ ପ୍ରତ୍ୟକ୍ଷ ସଂଘର୍ଷ ଭାବେ ଦେଖାଯିବ ବୋଲି ସେ ଚେତାଇଛନ୍ତି।