ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଅନୁଷ୍ଠିତ ବ୍ରିକ୍ସ (BRICS) ଶିଖର ସମ୍ମିଳନୀର ଭବ୍ୟ ରାତ୍ରିଭୋଜନ କାର୍ଯ୍ୟକ୍ରମରେ ଏକ ମନୋରଞ୍ଜନ ଓ ହୃଦୟସ୍ପର୍ଶୀ ଦୃଶ୍ୟ ଦେଖିବାକୁ ମିଳିଛି। ମାଲେସିଆ ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମ ଭାରତୀୟ ସଙ୍ଗୀତ ପ୍ରତି ତାଙ୍କର ଦୁର୍ବଳତା ପ୍ରକାଶ କରି କିଶୋର କୁମାରଙ୍କ ପ୍ରସିଦ୍ଧ ବଲିଉଡ୍ ଗୀତ 'ଖ୍ୱାବ୍ ହୋ ତୁମ୍ ୟା କୋଇ ହକିକତ' ଗାଇ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆୟୋଜିତ ଏହି ନୈଶ୍ୟ ଭୋଜନରେ ମାଲେସିଆ ପ୍ରଧାନମନ୍ତ୍ରୀଙ୍କର ଏହି ଭିନ୍ନ ରୂପ ଉପସ୍ଥିତ ସମସ୍ତ ଅତିଥିଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା।

ମାଲେସିଆ ପ୍ରଧାନମନ୍ତ୍ରୀ ଗୀତ ଗାଉଥିବା ସମୟର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି। ସଙ୍ଗୀତ ଗାଉଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କ ସମେତ ଉପସ୍ଥିତ ବିଶ୍ୱନେତାମାନେ ତାଳି ମାରି ତାଙ୍କୁ ଉତ୍ସାହିତ କରୁଥିବା ଦେଖାଯାଇଛି। ଭାରତୀୟ ପୁରୁଣା ସିନେମାର ସଙ୍ଗୀତ ପ୍ରତି ଅନୱର ଇବ୍ରାହିମଙ୍କ ଏହି ଭଲପାଇବା ଭାରତ ଓ ମାଲେସିଆ ମଧ୍ୟରେ ଥିବା ସାଂସ୍କୃତିକ ନିବିଡ଼ତାକୁ ଦର୍ଶାଉଛି ବୋଲି କୁହାଯାଉଛି।

Also Read: BRICS: ପିଏମ ମୋଦୀଙ୍କ ଭବ୍ୟ ରାତ୍ରିଭୋଜନରେ ଯୋଗ ଦେଲେନି ସି ଜିନପିଙ୍ଗ, କାରଣ କ'ଣ ?

ଉଲ୍ଲେଖଯୋଗ୍ୟ ଯେ, ମାଲେସିଆ ପ୍ରଧାନମନ୍ତ୍ରୀ ପୂର୍ବରୁ ମଧ୍ୟ ଅନେକ ଥର ଭାରତୀୟ ସଂସ୍କୃତି ଓ ସଙ୍ଗୀତ ପ୍ରତି ନିଜର ଆଗ୍ରହ ଏବଂ ଦୁର୍ବଳତା ଥିବା ପ୍ରକାଶ କରିସାରିଛନ୍ତି। ବ୍ରିକ୍ସ ସମ୍ମିଳନୀ ଅବସରରେ ଏହି ସାଂସ୍କୃତିକ ଆଦାନପ୍ରଦାନ କୂଟନୈତିକ ସମ୍ପର୍କକୁ ଆହୁରି ନିବିଡ଼ କରିଛି। ଏହି ଗାଲା ଡିନରରେ ବିଶ୍ୱର ଅନେକ ପ୍ରମୁଖ ନେତା ଯୋଗ ଦେଇ ଭାରତୀୟ ପାରମ୍ପରିକ ଆତିଥେୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ନେଇଥିଲେ।