ଭୁବନେଶ୍ବର: ସୈତାନ ସାଜିଲା ସମ୍ପର୍କୀୟ ଦାଦା। ଯେଉଁ ହାତ ସୁରକ୍ଷାର ହାତ ବଢ଼ାଇବା କଥା, ସେହି ହାତ ଲୁଟିନେଇଛି ଇଜ୍ଜତ। ପୋଲିସର ଭୟ ଦେଖାଇ ଜଣେ ଯୁବତୀଙ୍କୁ ହୋଟେଲରେ ଦୁଷ୍କର୍ମ କରାଯାଇଥିବା ଭଳି ସମ୍ବେଦନଶୀଳ ଘଟଣା ପୁଣି ଭୁବନେଶ୍ୱରରେ ଚାଞ୍ଚଲ୍ୟ ଖେଳାଇଛି। ତେବେ ଫେରାର ସମ୍ପର୍କୀୟ ଦାଦାକୁ ଗିରଫ କରିବାରେ ସଫଳ ହୋଇଛି ଧଉଳି ପୋଲିସ।

ସୂଚନା ଅନୁସାରେ, ଭୁବନେଶ୍ୱର ଜୟଦେବ ବିହାର ଅଞ୍ଚଳର ଏକ ହଷ୍ଟେଲରେ ରହି କୋଚିଂ ନେଉଥିଲେ ଜଣେ ୨୩ ବର୍ଷୀୟା ଯୁବତୀ। ଯୁବତୀଙ୍କ ମାଆ ଭରତପୁର ଅଞ୍ଚଳରେ ରୋଷେୟା ଭାବେ କାମ କରନ୍ତି। ତେବେ ହଷ୍ଟେଲରେ ରହୁଥିବା ଯୁବତୀଙ୍କୁ ତାଙ୍କ ସମ୍ପର୍କୀୟ ଦାଦା ଜିତୁ ସାମଲ, କୌଣସି ଜରୁରୀ ପରିସ୍ଥିତିରେ ସାହାଯ୍ୟ ପାଇଁ ନମ୍ବର ଦେଇଥିଲେ।

ଏହାରି ମଧ୍ୟରେ କିଛି ଦିନ ତଳେ ଯୁବତୀଙ୍କ ମାଆ ଝିଅର ଚାକିରି କରିବା ପାଇଁ ଜଣେ ବ୍ୟକ୍ତିଙ୍କୁ ୩୦,୦୦୦ ଟଙ୍କା ଦେଇଥିଲେ। ମାତ୍ର ଚାକିରି ନମିଳି ଓଲଟା ଯୁବତୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପ୍ରାୟ ୧ରୁ ୨ ଲକ୍ଷ ଟଙ୍କା ଜମା ହୋଇଥିଲା, ଯାହାକୁ ନେଇ ପରିବାର ଲୋକେ ଚିନ୍ତିତ ହୋଇପଡ଼ିଥିଲେ। ଆଉ ଏ ସମ୍ପର୍କରେ ଜିତୁ ସାମଲଙ୍କୁ ଜଣାଇଥିଲେ। ଯଦି କୌଣସି ପୋଲିସ ତଦନ୍ତ ହୁଏ ତେବେ ସେ ସବୁ ସମ୍ଭାଳି ନେବେ ବୋଲି ଭରସା ଦେଇଥିଲେ ଜିତୁ।

Also Read: ସୁଇସାଇଡ୍ ପୂର୍ବରୁ ବୟଫ୍ରେଣ୍ଡ ସହ କଥା ହୋଇଥିଲେ ଚନ୍ଦ୍ରିକା, ପୋଲିସ ରାଡାରରେ OAS ପ୍ରେମିକଙ୍କ ନୂଆ ପ୍ରେମିକା !

ଜିତୁ ରଚିଥିଲା ଦୁଷ୍କର୍ମ ପ୍ଲାନିଂ ?

ହେଲେ ଏହା ପରେ ଜିତୁ ମୁଣ୍ଡକୁ କୁବୁଦ୍ଧି ଜୁଟିଥିଲା। ଯୁବତୀଙ୍କୁ ପୋଲିସର ଭୟ ଦେଖାଇ ଦୁଷ୍କର୍ମ କରିବା ପାଇଁ ପ୍ଲାନ କରିଥିଲା। ପ୍ଲାନିଂ ଅନୁସାରେ, ଗତ ଜୁନ ୫ତାରିଖରେ ଯୁବତୀଙ୍କ ମୋବାଇଲକୁ ଏକ ଅଜଣା ନମ୍ବରରୁ କଲ୍ ଆସିଥିଲା। ଯାହାକୁ ଟ୍ରୁ-କଲରରେ ଯାଞ୍ଚ କରିବା ପରେ ଜଣେ ପୋଲିସ ଅଫିସରଙ୍କ ପ୍ରୋଫାଇଲ୍ ଫଟୋ ଦେଖାଯାଇଥିଲା।

ଯୁବତୀ ଜଣକ ଏକଥା ମଧ୍ୟ ଜିତୁକୁ କହିଥିଲେ। ଯାହାପରେ ଜିତୁକୁ କହିଥିଲା ଏହି କଲ ‘ଧଉଳି ଥାନାରୁ ଆସିଛି ଏବଂ ସେଠାକୁ ଯିବାକୁ ପଡ଼ିବ। ହେଲେ ଯୁବତୀ ଜାଣିନଥିଲେ ଯେ, କଲଟି ଜିତୁ ହିଁ ଅନ୍ୟ ଏକ ନମ୍ବରରୁ କରିଥିଲା। ସେ ହିଁ ଜଣେ ଜଣାଶୁଣା ପୋଲିସ ଅଫିସରଙ୍କ ଫଟୋକୁ ବ୍ୟବହାର କରି ଅନ୍ୟ ଏକ ନମ୍ବରରୁ ଯୁବତୀଙ୍କୁ କଲ୍ କରିଥିଲା। ତେବେ ଜିତୁଙ୍କ କଥା ଅନୁସାରେ ୬ ତାରିଖରେ ଯୁବତୀ ଜଣକ ଜୟଦେବ ବିହାରରୁ ଧଉଳି ଆସିଥିଲେ। ମାତ୍ର ଜିତୁ ତାଙ୍କୁ ଥାନାକୁ ନନେଇ, ପୁରୀ ଜିଲ୍ଲା ପିପିଲି ଥାନା ଅଧୀନରେ ଥିବା ‘ଓୟୋ ହୋଟେଲ ଧଉଳି ପ୍ୟାଲେସ’କୁ ନେଇଯାଇଥିଲା।

ସେହିଦିନ ସନ୍ଧ୍ୟା ପ୍ରାୟ ୭ଟାରୁ ୭:୩୦ ମଧ୍ୟରେ ହୋଟେଲରେ ଚେକ୍-ଇନ୍ କରିବା ପରେ ଜିତୁ ଧଉଳି ଥାନାକୁ ଯାଉଛି କହି ବାହାରକୁ ଯାଇ, ବିଳମ୍ବିତ ରାତିରେ ଫେରିଥିଲେ। ତାପର ଦିନ ସକାଳେ ଜଣେ ASIଙ୍କୁ ଭେଟିବାକୁ ହେବ କହି ସେ ଯୁବତୀଙ୍କୁ ହଷ୍ଟେଲ ଫେରିବାକୁ ନଦେଇ ସେଠାରେ ରହିବାକୁ ବାଧ୍ୟ କରିଥିଲେ। ପରେ ଯୁବତୀଙ୍କ ଇଚ୍ଛା ବିରୁଦ୍ଧରେ ତାଙ୍କ ସହ ଜବରଦସ୍ତି ଶାରୀରିକ ସମ୍ପର୍କ ରଖିଥିଲେ। ଯୁବତୀ ଜଣକ ସେଠାରୁ ଖସିଯିବାକୁ ଚେଷ୍ଟା କରିବାରୁ ତାଙ୍କୁ ଭୟଭୀତ କରିଥିଲେ। ତେବେ ଯୁବତୀ ଜଣକ ସାହସ କରି ହଷ୍ଟେଲରେ ପହଞ୍ଚିବା ପରେ ନିଜ ମାଆଙ୍କୁ ସବୁ କଥା ଜଣାଇଥିଲେ ଏବଂ ତୁରନ୍ତ ଧଉଳି ଥାନାରେ ଅଭିଯୋଗ କରିଥିଲେ।

Also Read: ଜରି ବ୍ୟାଗରେ କରୁଥିଲେ ଚିତା ବାଘ ଚମଡ଼ା ଚାଲାଣ, ୨ ଅଭିଯୁକ୍ତଙ୍କୁ ଧରିଲା ପୋଲିସ

ଘଟଣାଟି ପିପିଲି ଥାନା ଅଞ୍ଚଳରେ ଘଟିଥିଲେ ମଧ୍ୟ ଘଟଣାକୁ ଗୁରୁତର ସହ ନେଇ ଧଉଳି ଥାନାରେ ତୁରନ୍ତ ମାମଲା ରୁଜୁ କରିଥିଲା ପୋଲିସ। ଏହାପରେ ଧଉଳି ଥାନା ଆଇଆଇସି ତୁରନ୍ତ ପଦକ୍ଷେପ ନେଇ ମୁଖ୍ୟ ଅଭିଯୁକ୍ତ ଜିତୁ ସାମଲକୁ ଗିରଫ କରିଛନ୍ତି। ମାତ୍ର ଏହି ଘଟଣା ପୁଣି ଥରେ ପ୍ରଶ୍ନ ଉଠାଉଛି, ଯଦି ନିଜ ସମ୍ପର୍କୀୟ ହିଁ ସୈତାନ ସାଜିବେ, ତେବେ ଝିଅମାନେ ବିଶ୍ୱାସ କରିବେ କାହାକୁ?