ଭଦ୍ରକ ୩୦।୧୨: କିନ୍ନରଙ୍କୁ ଆକ୍ରମଣ ପରେ କାଟିଦେଲେ ଚୁଟି । ଲୁଟି ନେଲେ ଟଙ୍କା ଓ ମୋବାଇଲ । ଏଭଳି ଅଭିଯୋଗ ଆଣିଛନ୍ତି ଭଦ୍ରକ ସହରର ଜଣେ କିନ୍ନର । କିନ୍ନରଙ୍କ ଠାରୁ ଟଙ୍କା ଲୁଟି ନେବା ପରେ ଥାନାରେ ପହଞ୍ଚିଲେ କିନ୍ନର ଗୋଷ୍ଠୀ । ଥାନାକୁ ଉଠାଇଲେ ପକାଇଲେ । ହୋହଲ୍ଲା ହଙ୍ଗାମାରେ କମ୍ପିଲା ଥାନା ପରିସର । ଯିଏ ଦୋଷୀ ତାକୁ ଗିରଫ କରିବାକୁ କଲେ ଦାବି ।

ସୂଚନାଯୋଗ୍ୟ ଯେ, ଭଦ୍ରକ ସହରାଞ୍ଚଳ ଥାନା ଅନ୍ତର୍ଗତ ଚରମ୍ପା ନିକଟରେ କିଛି କିନ୍ନର ପରିବା ନେଇ ଫେରିବା ବେଳେ କିଛି ଯୁବକ ଆକ୍ରମଣ କରିଥିଲେ । କିନ୍ନର ମାନଙ୍କୁ ଯୁବକ ମାନେ ଆକ୍ରମଣ କରିବା ସହ କିନ୍ନରଙ୍କ ଚୁଟି କାଟିଦେଇଥିବା ଭଳି ମଧ୍ୟ ଅଭିଯୋଗ ଆସିଛି । ଏମିତି କି କିନ୍ର ଜଣଙ୍କ ବ୍ୟାଗ୍‌ରେ ରଖିଥିବା ୧୦ ହଜାର ଟଙ୍କା ସହ ମୋବାଇଲ ମଧ୍ୟ ଉକ୍ତ ଯୁବକ ମାନେ ଲୁଟି ନେଇଥିବା ଭଳି ସଙ୍ଗୀନ ଅଭିଯୋଗ ଆସିଛି ।

ଏଭଳି ଘଟଣା ଘଟିବା ପରେ କିନ୍ନର ମାନେ ଭଦ୍ରକ ସହରାଞ୍ଚଳ ଥାନାରେ ପହଞ୍ଚିଥିଲେ । ଯେଉଁ ଯୁବକ ମାନେ ସେମାନଙ୍କୁ ଆକ୍ରମଣ କରିଛନ୍ତି ଏମିତି କି ତାଙ୍କ ଚୁଟି କାଟି ତାଙ୍କ ଠାରୁ ଲୁଟ୍ କରିଛନ୍ତି, ସେମାନଙ୍କୁ ତୁରନ୍ତ  ଗିରଫ କରିବାକୁ ଦାବି କରିଛନ୍ତି । ଥାନା ପରିସରରେ କିନ୍ନର ଗୋଷ୍ଠୀ ମାନେ ପହଞ୍ଚି ହୋହଲ୍ଲା କରୁଥିବା ମଧ୍ୟ ଦେଖିବାକୁ ମିଳିଛି ।

କିଛି ଦିନ ପୂର୍ବରୁ କିନ୍ନରଙ୍କ ବିରୋଧରେ ନିର୍ଯାତନାର ଅଭିଯୋଗ ଆଣିବା ସହ ଥାନାରେ ଏତଲା ଦେଇଥିଲେ ଅନ୍ୟ ଏକ କିନ୍ନର ଗୋଷ୍ଠୀ । ଭଦ୍ରକ ସହରରେ ଦୁଇ କିନ୍ନର ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା । ଏହାସହ ଜୀବନରୁ ମାରିଦେବାକୁ ମଧ୍ୟ ଧମକ ଦେଉଥିବା ନେଇ ଭଦ୍ରକ ସହରାଞ୍ଚଳ ଥାନାରେ ଅଭିଯୋଗ କରିଥିଲେ ଏକ କିନ୍ନର ଗୋଷ୍ଠୀ ।

​​​​​​​

ଭଦ୍ରକ ସହରାଞ୍ଚଳ ଥାନା ଅଧୀନ ଚରମ୍ପା ଡଗରାସାହି ଠାରେ କିନ୍ନର ସଞ୍ଜନା ଶାସମଲ ଓ ତାଙ୍କ ସହଯୋଗୀଙ୍କୁ ଅନ୍ୟ ଏକ କିନ୍ନର ଗୋଷ୍ଠୀର ମୁଖିଆଙ୍କ ପ୍ରରୋଚନାରେ କିଛି କିନ୍ନର ଅତର୍କିତ ଭାବେ ଆକ୍ରମଣ କରିଥିଲେ । ସଞ୍ଜନା ଶାସମଲଙ୍କୁ ସହଯୋଗୀ ମାନେ ଆହତ ହୋଇ କିଛି ଉପାୟ ନପାଇ ଭୟରେ ଲୁଚି ରହିଥିଲେ । ଏହି ଘଟଣାକୁ ନେଇ ଶତାଧିକ କିନ୍ନର ଭଦ୍ରକ ସହରାଞ୍ଚଳ ଥାନାରେ ଆସି ଅଭିଯୋଗ କରିଥିଲେ ।

ତେବେ ଏଭଳି ଘଟଣା ଜନୈକ କିନ୍ନରଙ୍କ ନିର୍ଦ୍ଦେଶରେ ହେଉଛି ବୋଲି ଅଭିଯୋଗ ହୋଇଥିଲା । ପୂର୍ବରୁ ମଧ୍ୟ ଅନେକ ଥର ସମ୍ପୃକ୍ତ କିନ୍ନର କିଛି ଭଡାଟିଆ କିନ୍ନରଙ୍କ ସହାୟତାରେ ମରଣାନ୍ତକ ଆକ୍ରମଣ କରିଥିଲେ । ଆଉ ଏବେ ମଧ୍ୟ ପୁନର୍ବାର ସେ ତାହାକୁ ଦୋହରାଇଛନ୍ତି । ତେଣୁ ଜୀବନ ପ୍ରତି ବିପଦ ଦର୍ଶାଇ ଟାଉନ ଥାନାରେ ଦ୍ୱାରସ୍ଥ ହୋଇ ନ୍ୟାୟ ଭିକ୍ଷା କରିଥିଲେ ସଞ୍ଜନା ଓ ତାଙ୍କ ସହଯୋଗୀ । ​​​​​​