ବୁଲନ୍ଦସହର: ବହୁଜନ ସମାଜ ପାର୍ଟିର ନେତା ଆକାଶ ଆନନ୍ଦ ଉତ୍ତରପ୍ରଦେଶର ବୁଲନ୍ଦ ସହରରେ ଏକ ରାଲିକୁ ସମ୍ବୋଧିତ କରିବା ସମୟରେ ମାୟାବତୀଙ୍କ ସହ ହୋଇଥିବା ଏକ ବ୍ୟକ୍ତିଗତ କଥାବାର୍ତ୍ତାର ଅନୁଭୂତି ବାଣ୍ଟିଛନ୍ତି। ତାଙ୍କ କହିବା ଅନୁସାରେ, ସେ ମାୟାବତୀଙ୍କୁ ପଚାରିଥିଲେ, ସେ କାହିଁକି ବାରମ୍ବାର ତାଙ୍କର ପରୀକ୍ଷା ନେଉଛନ୍ତି? ଏହାର ଉତ୍ତରରେ ମାୟାବତୀ ଡକ୍ଟର ବାବାସାହେବ ଆମ୍ବେଦକର ଏବଂ ବହୁଜନ ସମାଜ ପାର୍ଟିର ପ୍ରତିଷ୍ଠାତା କାଂଶୀରାମଙ୍କ ସଂଘର୍ଷର ଉଦାହରଣ ଦେଇଥିବା ଆକାଶ କହିଛନ୍ତି।

ବିଗତ କିଛି ଦିନ ଧରି ମାୟାବତୀ ଆକାଶଙ୍କୁ ଘରେ ବସିବାକୁ ଆଦେଶ ଦେଇଥିଲେ l ପରବର୍ତ୍ତୀ ସମୟରେ ଯେତେବେଳେ ଆକାଶ ମାୟାବତୀଙ୍କୁ ଏ ପରୀକ୍ଷା ପଛର କାରଣ ଜାଣିବାକୁ ଚେଷ୍ଟା କରିଥିଲେ l ଏହାର ଉତ୍ତରରେ ମାୟାବତୀ ତାଙ୍କୁ ଓଲଟି ପ୍ରଶ୍ନ ପଚାରିଥିଲେ ଆଉ କହିଥିଲେ କଣ ବାବା ସାହେବ ଡକ୍ଟର ଆମ୍ବେଦକର ଜୀବନ ବ୍ୟାପି ଏପରିକି ଶେଷ ନିଶ୍ୱାସ ଥିବା ପର୍ଯ୍ୟନ୍ତ ସେମାଜ ପାଇଁ ପରୀକ୍ଷା ଦେଇନଥିଲେ ? ଏହି ପ୍ରଶ୍ନର ଉତ୍ତରରେ ଆକାଶ କହିଥିଲେ ବାବା ସାହେବ ଜୀବନର ଶେଷ ପର୍ଯ୍ୟନ୍ତ ସମାଜ ପାଇଁ ସଂଘର୍ଷ କରିଛନ୍ତି ଆଉ କଠିନ ପରୀକ୍ଷା କୁ ସାମ୍ନା କରିଛନ୍ତି l ଏହାପରେ ମାୟାବତୀ ଆକାଶଙ୍କୁ ପୁଣି ଆଉ ଏକ ପ୍ରଶ୍ନ ପଚାରିଲେ ? ବହୁଜନ ସମାଜ ପାର୍ଟିର ପ୍ରତିଷ୍ଠାତା କାଂଶୀ ରାମ ଜୀବନର ଅନ୍ତିମ ସମୟ ପର୍ଯ୍ୟନ୍ତ ପରୀକ୍ଷା ଦେଇନାହାନ୍ତି ? ଏହାର ଉତ୍ତରରେ ଆକାଶ କହିଲେ ସେ ବି ନିଜ ଜୀବନର ଶେଷ ପର୍ଯ୍ୟନ୍ତ ସମାଜ ପାଇଁ କାମ କରିଛନ୍ତି ଆଉ କଠିନ ସଂଘର୍ଷ କରିଛନ୍ତି l

ଏହା ସହ ମାୟାବତୀ ନିଜ ଜୀବନର ଉଦାହରଣ ଦେଇ ଆକାଶଙ୍କୁ କହିଥିଲେ , ସେ ନିଜ ପରିବାରକୁ ପଛରେ ଛାଡ଼ି ବହୁଜନ ସମାଜକୁ ନିଜ ପରିବାର ଭାବେ ଗ୍ରହଣ କରିଛନ୍ତି ଏବଂ ସମାଜ ପାଇଁ ସାରା ଜୀବନ ସମର୍ପିତ କରିଛନ୍ତି। ତେଣୁ ଏତେ ବଡ଼ ଆନ୍ଦୋଳନ, ଏତେ ବଡ଼ ସମାଜ ଏବଂ ଏତେ ବଡ଼ ଦାୟିତ୍ୱ ତାଙ୍କୁ ପରୀକ୍ଷା ନକରି କିପରି ଦିଆଯାଇପାରିବ? ମାୟାବତୀଙ୍କ ଏହି କଥା ଶୁଣି ଆକାଶ ଭାବପ୍ରବଣ ହୋଇପଡ଼ିଥିଲେ।

ଆକାଶ ଆନନ୍ଦ କହିଛନ୍ତି ସେ ବହୁଜନ ସମାଜକୁ ନିଜ ପରିବାର ଭାବେ ଗ୍ରହଣ କରନ୍ତି ଏବଂ ସମାଜ ପାଇଁ ନିଷ୍ଠାର ସହ କାମ କରିବାକୁ ପ୍ରସ୍ତୁତ। ଜୀବନର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ମାୟାବତୀ ତାଙ୍କର ପରୀକ୍ଷା ନେଲେ ମଧ୍ୟ ସେ ପଛକୁ ହଟିବେ ନାହିଁ ବୋଲି ଆକାଶ କହିଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ସେ ମାୟାବତୀଙ୍କୁ ପୁଣିଥରେ ସୁଯୋଗ ଦେଇଥିବାରୁ ଧନ୍ୟବାଦ ଜଣାଇବା ସହ ଦଳ ଓ ବହୁଜନ ସମାଜର ହିତ ପାଇଁ କାମ କରିବାର ପ୍ରତିଶ୍ରୁତି ଦେଇଛନ୍ତି।

also read- ‘ସବୁ ସ୍ଥାନରେ ଭୂତ ଦେଖିବା ବନ୍ଦ କରନ୍ତୁ’, ଟାଟା ଉପରେ ରାହୁଲ ଗାନ୍ଧୀଙ୍କ ବୟାନର ଜବାବ ରଖିଲେ ସୀତାରମଣ

ଦଳରେ ପୁନଃ ସାମିଲ ହେବା ପରେ ଆକାଶ ଆନନ୍ଦଙ୍କ ଏହା ପ୍ରଥମ ସାଧାରଣ ସଭା ବୋଲି ରିପୋର୍ଟରେ କୁହାଯାଇଛି। ଉତ୍ତରପ୍ରଦେଶରେ ୨୦୨୭ ବିଧାନସଭା ନିର୍ବାଚନକୁ ଆଖି ଆଗରେ ରଖି ବହୁଜନ ସମାଜ ପାର୍ଟି ନିଜର ସାଂଗଠନିକ ପ୍ରସ୍ତୁତି ଜୋରଦାର କରୁଥିବା ବେଳେ ଆକାଶଙ୍କ ଏହି ବୟାନ ଚର୍ଚ୍ଚାକୁ ଆସିଛି।