ନୂଆଦିଲ୍ଲୀ: ଫୁକେଟ୍-ଦିଲ୍ଲୀ ବିମାନ ଦୁର୍ଘଟଣା ପରେ ଟାଟା ମାଲିକାନାଧୀନ ଏୟାର ଇଣ୍ଡିଆ ଦ୍ୱାରା କରାଯାଇଥିବା ଡ୍ରଗ୍ ସ୍କ୍ରିନିଂରେ ଆଉ ଦୁଇଜଣ ପାଇଲଟ୍ 'ନନ୍-ନେଗେଟିଭ୍' ଚିହ୍ନଟ ହୋଇଛନ୍ତି। ସେମାନଙ୍କର ନମୁନାକୁ ଚୂଡ଼ାନ୍ତ ପରୀକ୍ଷା ପାଇଁ ପଠାଯାଇଛି ଏବଂ ରିପୋର୍ଟକୁ ଅପେକ୍ଷା କରାଯାଇଛି। ଏହି ସମୟ ମଧ୍ୟରେ ଉଭୟ ପାଇଲଟଙ୍କୁ ଉଡ଼ାଣ ଦାୟିତ୍ୱରୁ ବାଦ୍ ଦିଆଯାଇଛି।

ଅଗଷ୍ଟ ୧୩ ତାରିଖରୁ ଏୟାର ଇଣ୍ଡିଆ ଏବଂ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ସେମାନଙ୍କର ସମସ୍ତ ପାଇଲଟଙ୍କ ପାଇଁ ନିୟାମକ ଆବଶ୍ୟକତାଠାରୁ ଅଧିକ ବ୍ୟାପକ ସ୍ତରରେ ନିଶାଦ୍ରବ୍ୟ (Psychoactive substance) ଯାଞ୍ଚ ବାଧ୍ୟତାମୂଳକ କରିଥିଲେ।

ଅଗଷ୍ଟ ୪ ତାରିଖରେ ଏୟାର ଇଣ୍ଡିଆର ଫୁକେଟ୍-ଦିଲ୍ଲୀ ବିମାନ ହଠାତ୍ ନିୟନ୍ତ୍ରଣ ହରାଇ ୩୦୦ ଫୁଟ ଖସିଆସିବା ଘଟଣା ପରେ ଏହି ପରୀକ୍ଷା ବାଧ୍ୟତାମୂଳକ କରାଯାଇଥିଲା। ସେହି ଘଟଣାରେ ବିମାନର କ୍ୟାପ୍ଟେନ୍ ଗଞ୍ଜେଇ ସେବନ କରିଥିବା ଜଣାପଡ଼ିଥିଲା।

ପ୍ରେସ ଟ୍ରଷ୍ଟ ଅଫ୍ ଇଣ୍ଡିଆ (PTI) ର ସୂଚନା ଅନୁସାରେ, ଏପର୍ଯ୍ୟନ୍ତ ଏୟାର ଇଣ୍ଡିଆ ଗ୍ରୁପ୍‌ର ପ୍ରାୟ ୪୦୦ ଜଣ ପାଇଲଟଙ୍କର ଏହି ନିଶାଦ୍ରବ୍ୟ ପରୀକ୍ଷା ଶେଷ ହୋଇଛି। ସେମାନଙ୍କ ମଧ୍ୟରୁ ଦୁଇଜଣ ପାଇଲଟଙ୍କ ରିପୋର୍ଟ 'ନନ୍-ନେଗେଟିଭ୍' ଆସିଛି। ତେବେ ଏହି ବିଷୟରେ ଅଧିକ ତଥ୍ୟ ମିଳିପାରିନାହିଁ । 

ଏୟାର ଇଣ୍ଡିଆ ପକ୍ଷରୁ ମଧ୍ୟ କୌଣସି ଆନୁଷ୍ଠାନିକ ବିବୃତ୍ତି ଦିଆଯାଇନାହିଁ। ଉଲ୍ଲେଖଯୋଗ୍ୟ ଯେ, ଟାଟା ଗ୍ରୁପ୍‌ର ଏହି ଦୁଇଟି ଯାତ୍ରୀବାହୀ ବିମାନ ସଂସ୍ଥାରେ ୫,୦୦୦ରୁ ଅଧିକ ପାଇଲଟ୍ କାର୍ଯ୍ୟ କରୁଛନ୍ତି । ବ୍ୟାପକ ଯାଞ୍ଚ ପ୍ରକ୍ରିୟାରେ ବେସାମରିକ ବିମାନ ଚଳାଚଳ ନିୟମ ଅଧୀନରେ ନିଷିଦ୍ଧ ସମସ୍ତ ନିଶାଦ୍ରବ୍ୟ ଓ ଔଷଧ ସାମିଲ ରହିଛି।

ସୂଚନାଯୋଗ୍ୟ, ଅଗଷ୍ଟ ୪ ତାରିଖରେ ୧୪୫ ଜଣ ଯାତ୍ରୀ ଓ କ୍ରୁ ମେମ୍ବରଙ୍କୁ ନେଇ ଫୁକେଟ୍‌ରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ବିମାନ (AI2379) ଖରାପ ପାଣିପାଗ ଓ ଟର୍ବୁଲାନ୍ସ ଯୋଗୁଁ ହଠାତ୍ ପ୍ରାୟ ୩୦୦ ଫୁଟ୍ ତଳକୁ ଖସି ଆସିଥିଲା। ଏହି ଅଘଟଣରେ ପ୍ରାୟ ୨୪ ଜଣ ଯାତ୍ରୀ ଆହାତ ହୋଇଥିଲେ। ପରବର୍ତ୍ତୀ ସମୟରେ ବିମାନର ମୁଖ୍ୟ ପାଇଲଟଙ୍କର ଡ୍ରଗ୍ସ ପରୀକ୍ଷା 'ନନ୍-ନେଗେଟିଭ୍' ଆସିବାଥିଲା । ପରେ ଆସିଥିବା ଚୂଡ଼ାନ୍ତ ରିପୋର୍ଟରେ ସେ ଗଞ୍ଜେଇ ସେବନ କରିଥିବା ପ୍ରମାଣିତ ହୋଇଥିଲା।