ନୂଆଦିଲ୍ଲୀ: ଫୁକେଟରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ବିମାନ (AI-2379) ଆକାଶମାର୍ଗରେ ପ୍ରବଳ ଟର୍ବୁଲାନ୍ସର ଶିକାର ହୋଇ ଅନେକ ଯାତ୍ରୀ ଆହାତ ହୋଇଥିବା ଘଟଣାରେ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ବିମାନର ମୁଖ୍ୟ ପାଇଲଟ୍ (ପାଇଲଟ୍ ଇନ୍ କମାଣ୍ଡ) ଦ୍ୱିତୀୟ ଡୋପ୍ ଟେଷ୍ଟରେ ମଧ୍ୟ ଫେଲ୍ ହୋଇଥିବା ସୂତ୍ରରୁ ସ୍ପଷ୍ଟ ହୋଇଛି।

ଅଗଷ୍ଟ ୪ ତାରିଖରେ ୧୩୭ ଜଣ ଯାତ୍ରୀ ଏବଂ ୮ ଜଣ କ୍ରୁ ମେମ୍ବରଙ୍କୁ ନେଇ ଏୟାର ଇଣ୍ଡିଆର AI-2379 ବିମାନ ଫୁକେଟରୁ ଦିଲ୍ଲୀ ଅଭିମୁଖେ ଉଡ଼ାଣ ଭରିଥିଲା। ତେବେ ଆକାଶମାର୍ଗରେ ଉଡ଼ୁଥିବା ସମୟରେ ବିମାନଟି ଅଚାନକ ପ୍ରବଳ ଝଟକାର ଶିକାର ହୋଇଥିଲା ଏବଂ ୩୦୦ ଫୁଟ୍ ତଳକୁ ଖସିଆସିଥିଲା। ଫଳରେ ପ୍ରାୟ ୧୩ ଜଣ ଯାତ୍ରୀ ଏବଂ ୪ ଜଣ କ୍ରୁ ମେମ୍ବର ଗୁରୁତର ଆହତ ହୋଇଥିଲେ। ସାଧାରଣ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାୟଡୁଙ୍କ ସୂଚନା ଅନୁଯାୟୀ, ଆହାତଙ୍କ ମଧ୍ୟରୁ ଦୁଇଜଣ କ୍ରୁ ମେମ୍ବରଙ୍କ ମେରୁଦଣ୍ଡ ଏବଂ ବେକରେ ଗୁରୁତର ଆଘାତ ଲାଗିଛି।

ବିମାନଟି ଦିଲ୍ଲୀରେ ଅବତରଣ କରିବା ପରେ ପାଇଲଟଙ୍କର ପ୍ରାଥମିକ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ସେଥିରେ ସେ ନିଷିଦ୍ଧ 'ସାଇକୋଆକ୍ଟିଭ୍ ସବ୍‌ଷ୍ଟାନ୍ସ' (ମାନସିକ ସ୍ଥିତିକୁ ପ୍ରଭାବିତ କରୁଥିବା ନିଶାଦ୍ରବ୍ୟ) ସେବନ କରିଥିବା ଜଣାପଡ଼ିଥିଲା। ସନ୍ଦେହ ଦୂର କରିବା ପାଇଁ ପରବର୍ତ୍ତୀ ସମୟରେ କରାଯାଇଥିବା ଦ୍ୱିତୀୟ ପରୀକ୍ଷାରେ ମଧ୍ୟ ରିପୋର୍ଟ ପଜିଟିଭ୍ ଆସିଥିବା କୁହାଯାଉଛି। ମୁଖ୍ୟତଃ ପାଇଲଟ୍ ଜଣକ 'ମାରିଜୁଆନା' (ଗଞ୍ଜେଇ) ସେବନ କରିଥିବା ଏହି ଟେଷ୍ଟରୁ ସ୍ପଷ୍ଟ ହୋଇଛି । ଏହା ବିମାନ ଚଳାଚଳ ନିୟମର ଖୋଲା ଉଲ୍ଲଂଘନ। ଏହି ଘଟଣା ପରେ ଯାତ୍ରୀମାନଙ୍କ ସୁରକ୍ଷାକୁ ନେଇ ଗମ୍ଭୀର ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।