ନୂଆଦିଲ୍ଲୀ ୨୩।୧୧; ବଲିଉଡ୍ ପାର୍ଟିରେ ଓରିଙ୍କ ଅଜବ ଅନ୍ଦାଜ୍। ଆଉ ଏହି ଅନ୍ଦାଜ୍ ଏବେ ସୋସିଆଲ ମିଡିଆରେ ନିଆଁ ଲଗାଇଛି! କେତେବେଳେ ଷ୍ଟାରକିଡଙ୍କ ସହ ପାର୍ଟି, ତ ଆଉ କେତେବେଳେ ସେଲିବ୍ରିଟିଙ୍କ ସହ ଅଜବ ପୋଜ୍। ନିଜର ଷ୍ଟାଇଲ୍ ଓ ଅନ୍ଦାଜ୍ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ଓରି ଏବେ ପୁଣି ଥରେ ଆସିଛନ୍ତି ହେଡଲାଇନକୁ। ହେଲେ ଏଥର ତାଙ୍କ ଷ୍ଟାଇଲ୍କୁ ନେଇ ନୁହେଁ, ବରଂ ଏକ ଫଟୋକୁ ନେଇ ଆରମ୍ଭ ହୋଇଛି ବଡ଼ ବିବାଦ।

ନିକଟରେ ଓରି ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ କିଛି ପାର୍ଟି ଫଟୋ ସେୟାର କରିଥିଲେ। ଯେଉଁଥିରେ ବଲିଉଡ୍ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଏବଂ ଶାନାୟା କପୁରଙ୍କ ସହ ମସ୍ତି ମୁଡ୍ରେ ନଜର ଆସିଥିଲେ । କିନ୍ତୁ ଏହି ଫଟୋ ମଧ୍ୟରୁ ଅନନ୍ୟାଙ୍କ ସହ ଗୋଟିଏ ପୋଜ୍ ଏବେ ସବୁଠୁ ଅଧିକ ଚର୍ଚ୍ଚା ସାଉଁଟୁଛି। ଫଟୋରେ ଓରି ଅନନ୍ୟାଙ୍କ ଛାତି ଉପରେ ହାତ ରଖି ପୋଜ୍ ଦେଉଥିବା ନଜର ଆସିଛନ୍ତି। ବାସ୍, ଏହି ଫଟୋ ସାମ୍ନାକୁ ଆସିବା ପରେ ଆରମ୍ଭ ହୋଇଯାଇଛି ସୋସିଆଲ ମିଡିଆରେ ହଙ୍ଗାମା।

କିଏ ଓରିଙ୍କ ଏହି ଅନ୍ଦାଜକୁ ନେଇ ପ୍ରଶ୍ନ ଉଠାଉଛି ତ ଆଉ କିଏ ତାଙ୍କୁ ସମାଲୋଚନା କରୁଛି। ଏପରିକି କିଛି ୟୁଜର୍ସ ମଜାଳିଆ ଢଙ୍ଗରେ ଅନନ୍ୟାଙ୍କ ପାଇଁ ନ୍ୟାୟ ମାଗିବା ଆରମ୍ଭ କରିଦେଇଛନ୍ତି। ଜଣେ ୟୁଜର ଲେଖିଛନ୍ତି, "ଅନନ୍ୟା ତାଙ୍କୁ ଏମିତି ଛୁଇଁବାକୁ କେମିତି ଦେଲେ?" ଆଉ ଜଣେ ଲେଖିଛନ୍ତି, "ଓରି ଭୁଲ୍ ଜାଗାରେ ହାତ ରଖିଛନ୍ତି।

ଅନ୍ୟପଟେ ଶାନାୟା କପୁରଙ୍କ ସହ ମଧ୍ୟ ଓରିଙ୍କ ମସ୍ତିଭରା ମୁହୂର୍ତ୍ତ ଫଟୋରେ ଦେଖିବାକୁ ମିଳିଛି। ଶାନାୟାଙ୍କ କାଜୁଆଲ୍ ଲୁକ୍ ହେଉ କି ଅନନ୍ୟାଙ୍କ ଜିନ୍ସ ଓ ହ୍ୱାଇଟ୍ କ୍ରପ୍ ଟପ୍, ପାର୍ଟିରେ ଦୁହିଁଙ୍କ ଷ୍ଟାଇଲ୍ ମଧ୍ୟ ଚର୍ଚ୍ଚାରେ ରହିଛି। ତେବେ ପ୍ରଶ୍ନ ହେଉଛି, ଓରିଙ୍କ ଏହି ପୋଜ୍ କେବଳ ମଜାକିଆ ଫଟୋ ଥିଲା ନା ସତରେ ଏହା ସୀମା ଟପିଛି ? ଫଟୋକୁ ନେଇ ଏବେ ସୋସିଆଲ ମିଡିଆରେ ତର୍କବିତର୍କ ଜୋର୍ ଧରିଥିବା ବେଳେ ଓରି କିମ୍ବା ଅନନ୍ୟାଙ୍କ ପକ୍ଷରୁ ଏନେଇ କୌଣସି ସ୍ପଷ୍ଟ ପ୍ରତିକ୍ରିୟା ସାମ୍ନାକୁ ଆସିନାହିଁ।