ଭୁବନେଶ୍ୱର: ଗରିବଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ଚାଉଳ ଓ ରାସନ ସାମଗ୍ରୀ ଉପରେ ଆଖି ପକାଉଥିବା ଅସାଧୁ ଡିଲର ଏବଂ ବ୍ୟବସାୟୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ସରକାର। ବିଗତ ୩ ବର୍ଷ ମଧ୍ୟରେ ରାସନ ଚୋରି ଏବଂ ଅନିୟମିତତାକୁ ନେଇ ମୋଟ ୨୨୯ଟି ଅଭିଯୋଗ ଆସିଥିବା ବେଳେ ସେଥିମଧ୍ୟରୁ ୨୦୧ ଜଣ ଡିଲର ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଠୋର ଆଇନଗତ ପଦକ୍ଷେପ ନିଆଯାଇ ଲାଇସେନ୍ସ ବାତିଲ୍ କରାଯାଇଛି। ବିଧାନସଭାରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହି ସୂଚନା ଦେଇଛନ୍ତି।

ଲାଇସେନ୍ସ ବାତିଲ ସହ ଜରିମାନା

ସରକାରୀ ତଥ୍ୟ ଅନୁସାରେ, ରାସନ ହେରଫେର ମାମଲାରେ କଟକ ଜିଲ୍ଲାରୁ ସର୍ବାଧିକ ୪୦ଟି ଅଭିଯୋଗ ଆସିଥିବା ବେଳେ ଯାଜପୁରରୁ ୩୪ଟି ଅଭିଯୋଗ ସହ ଦ୍ୱିତୀୟ ସ୍ଥାନରେ ରହିଛି। ସେହିପରି କେନ୍ଦ୍ରାପଡ଼ାରୁ ୩୨ଟି ଏବଂ ପୁରୀ ଜିଲ୍ଲାରୁ ୨୪ଟି ମାମଲା ସାମ୍ନାକୁ ଆସିଛି। ଅଭିଯୋଗ ପ୍ରମାଣିତ ହେବା ପରେ ଦୋଷୀ ଡିଲରମାନଙ୍କ ଲାଇସେନ୍ସ ବାତିଲ କରାଯିବା ସହ ମୋଟା ଅଙ୍କର ଜରିମାନା ଆଦାୟ ଏବଂ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

Also Read: ବହି ତ୍ରୁଟି ପ୍ରସଙ୍ଗରେ ବିଜେଡିର ବିକ୍ଷୋଭ, ଗାନ୍ଧୀ ମାର୍ଗରେ ପୋଲିସ-କର୍ମୀ ମୁହାଁମୁହିଁ

ଅସାଧୁ ବ୍ୟବସାୟୀଙ୍କ ଉପରେ ଚାବୁକ

ଅନ୍ୟପଟେ ଖାଉଟି ସାମଗ୍ରୀର କଳାବଜାରୀ ଓ ଗ୍ରାହକଙ୍କଠାରୁ ନିର୍ଦ୍ଧାରିତ ଦରଠାରୁ ଅଧିକ ଟଙ୍କା ଆଦାୟ କରୁଥିବା ଅସାଧୁ ବ୍ୟବସାୟୀଙ୍କ ଉପରେ ମଧ୍ୟ ଚାବୁକ ପଡ଼ିଛି। ୨୦୨୪-୨୫ ଆର୍ଥିକ ବର୍ଷରେ ୧୯ ଜଣ ବ୍ୟବସାୟୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିବା ବେଳେ ୧୬୯ ଜଣ ଖିଲାପକାରୀ ବ୍ୟବସାୟୀଙ୍କଠାରୁ ମୋଟ ୧,୯୨,୬୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି। ସେହିପରି ୨୦୨୫-୨୬ ଆର୍ଥିକ ବର୍ଷରେ ୯ ଜଣ ଖିଲାପକାରୀ ବ୍ୟବସାୟୀଙ୍କ ବିରୋଧରେ କାରଣ ଦର୍ଶାଅ ନୋଟିସ ଜାରି ହୋଇଥିବା ବେଳେ ୨୦୨୬-୨୭ ଆର୍ଥିକ ବର୍ଷରେ ବର୍ତ୍ତମାନ ସୁଦ୍ଧା କୌଣସି ନୂତନ ମାମଲା ରୁଜୁ ହୋଇନାହିଁ।

ଶହେ ପ୍ରତିଶତ e-POS ମେସିନ୍

ରାସନ ବଣ୍ଟନରେ ସ୍ୱଚ୍ଛତା ଆଣିବା ଏବଂ କଳାବଜାରୀ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ସରକାର ୧୦୦ ପ୍ରତିଶତ e-POS ମେସିନ୍, ଆଧାର ଭିତ୍ତିକ ବାୟୋମେଟ୍ରିକ ସିଷ୍ଟମ ଏବଂ ଇଲେକ୍ଟ୍ରୋନିକ ଓଜନ ଯନ୍ତ୍ରର ବ୍ୟବହାର ବାଧ୍ୟତାମୂଳକ କରିଛନ୍ତି। ଏହାସହ ରାଜ୍ୟର ଦୁର୍ଗମ ଓ ଆଦିବାସୀ ବହୁଳ ଅଞ୍ଚଳରେ ହିତାଧିକାରୀଙ୍କ ଘରେ ଘରେ ରାସନ ପହଞ୍ଚାଇବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ନେଇ ମନ୍ତ୍ରୀ ତାଙ୍କ ଉତ୍ତରରେ ସ୍ପଷ୍ଟ କରିଛନ୍ତି।