କୋଲକାତା: ତୃଣ ମୂଳ କଂଗ୍ରେସ (ଟିଏମସି) ମୁଖିଆ ମମତା ବାନାର୍ଜୀଙ୍କ କାଲିଘାଟସ୍ଥିତ ବାସଭବନରେ ଶୁକ୍ରବାର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଟିଏମସିର ଦୁଇ ନୂଆ ଜାତୀୟ ଯୁଗ୍ମ ସମ୍ପାଦକ ନିଯୁକ୍ତ ହୋଇଛନ୍ତି। ଅଭିଷେକ ବାନାର୍ଜୀ ପାର୍ଟି ଜାତୀୟ ସାଧାରଣ ସମ୍ପାଦକ ଭାବେ ଅପରିବର୍ତ୍ତିତ ଥିବା ବେଳେ ଡେରେକ ଓ’ ବ୍ରାୟନ ଏବଂ ଡୋଲା ସେନ୍ ତାଙ୍କୁ ସହଯୋଗ କରିବେ। ଏହା ଛଡା ବୈଠକରେ ପ୍ରଦେଶ ତୃଣ ମୂଳ କଂଗ୍ରେସ କମିଟିର ପୁନର୍ଗଠନ ହୋଇଛି।

ନିଷ୍ପତ୍ତି ଅନୁସାରେ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟଙ୍କୁ ନୂଆ ପ୍ରଦେଶ ସଭାପତି ବଛା ଯାଇଥିବା ବେଳେ ସୁବ୍ରତ ବକ୍ସିଙ୍କୁ ଜାତୀୟ କାର୍ଯ୍ୟକାରିଣୀରେ ଉପସଭାପତି ଭାବେ ଅପରିବର୍ତ୍ତିତ ରଖା ଯାଇଛି। ସେହିପରି ପ୍ରଦେଶ ଉପସଭାପତି ଭାବେ ସଜଦ ଅହମଦ, ମମତା ଠାକୁର, ନୟନା ବନ୍ଦୋପଧ୍ୟାୟ ଓ ସ୍ୱାତୀ ଖାଣ୍ଡେକରଙ୍କୁ ନିଯୁକ୍ତ କରାଯାଇଛି। ପ୍ରଦେଶ ସାଧାରଣ ସମ୍ପାଦକ ଭାବେ ବାବର ଅଲୀ, ପୁଲକ ରାୟ, ଅସୀମା ପାତ୍ର, ଅଋଣା ବିଶ୍ୱାସ ଓ ରାଜୀବ ବାନାର୍ଜୀଙ୍କୁ ନିଯୁକ୍ତ କରାଯାଇଛି।

ପାର୍ଟିର କାର୍ଯ୍ୟକାରୀ ସଦସ୍ୟ ଭାବେ ଜ୍ୟୋତିପ୍ରିୟୋ ମଲ୍ଲିକ, ଡ.ରାଣା ଚାଟାର୍ଜୀ, ବିଦେଶ ବୋଷ, ତ୍ରିନଙ୍କୁର ଭଟ୍ଟାଚାର୍ଯ୍ୟ, ଜୟା ଦତ୍ତ, ତାପସ ଚାଟାର୍ଜୀ, ବସୁନ୍ଧରା ଗୋସ୍ୱାମୀ ଓ ଗୌତମ ଦେବଙ୍କୁ ସାମିଲ କରାଯାଇଛି। ଅନ୍ୟ ନିଯୁକ୍ତିରେ ସାୟୋନୀ ଘୋଷଙ୍କୁ ଟିଏମସି ୟୁଥ କଂଗ୍ରେସ (ଟିଏମୱାଇସି) ସଭାପତି ନିଯୁକ୍ତ କରାଯାଇଥିବା ବେଳେ ମଧୁରିମା ଠାକୁରଙ୍କୁ ସାଧାରଣ ସମ୍ପାଦକ, ତୃଣମୂଳ ମହିଳା କଂଗ୍ରେସ୍ (ଟିଏମଡବ୍ଲୁସି) ସଭାପତି ଭାବେ ମାଲା ରାୟ, ତୃଣମୂଳ ଛାତ୍ର ପରିଷଦ (ଟିଏମସିପି) ସଭାପତି ଭାବେ ପ୍ରିୟଙ୍କା ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି।

ମୁଖପାତ୍ର ପ୍ୟାନେଲରେ ଚନ୍ଦ୍ରିମା ଭଟ୍ଟଚାର୍ଯ୍ୟ, କଲ୍ୟାଣ ବାନାର୍ଜୀ, ମଦନ ମିତ୍ର ଓ କୁଣାଳ ଘୋଷଙ୍କୁ ଜାରି ରଖା ଯାଇଛି। ପାର୍ଟି ସୂତ୍ର ଅନୁସାରେ ଏହା ପ୍ରାରମ୍ଭିକ ସୂଚୀ ଓ ଆଗକୁ ଆହୁରି ନାମ ଯୋଡା ଯିବ। ତେବେ ମମତାଙ୍କ ବାସଭବନରେ ଅନୁଷ୍ଠିତ ଏହି ବୈଠକରେ ୨୮ ଲୋକସଭା ସାଂସଦଙ୍କ ମଧ୍ୟରୁ ମାତ୍ର ୪ ଜଣ ଯୋଗ ଦେଇଥିବା ବେଳେ ରାଜ୍ୟସଭାର ୧୩ ସାଂସଦଙ୍କ ମଧ୍ୟରୁ ମାତ୍ର ୨ ଜଣ ଯୋଗ ଦେଇଛନ୍ତି। ତେବେ ମମତାଙ୍କ ପୁତୁରା ତଥା ଜାତୀୟ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ ବୈଠକରେ ଉପସ୍ଥିତ ଥିଲେ।

ନେତାଙ୍କ କମ୍ ଉପସ୍ଥିତିରେ ପାର୍ଟିରେ ହୋଇଥିବା ପରିବର୍ତ୍ତନ ଦଳର ଅନ୍ତର କଳହକୁ ଲୁଚାଇ ପାରିନି। ଏଥିରେ ରାଜନୈତିକ ବିଶ୍ଲେଷକଙ୍କ ଅନୁମାନ ଯଦି ବିଦ୍ରୋହ ନ ଥମିଲା ତେବେ ଟିଏମସିର ଆହୁରି ମଧ୍ୟ କ୍ଷତି ହୋଇପାରେ।