କୋଲକାତା,|୦୭:ତୃଣମୂଳ କଂଗ୍ରେସ ସାଂସଦ ଅଭିଷେକ ବାନାର୍ଜୀଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି । ଦଳ ବିଧାନସଭା ନିର୍ବାଚନ ହାରିଲା ପରେ ମମତା ବାନାର୍ଜୀ ତଥା ତାଙ୍କ ଅତି ଘନିଷ୍ଠଙ୍କ ବେଳା ଭଲ ନାହିଁ । ନିକଟରେ ପଶ୍ଚିମବଙ୍ଗର ଏକ କୋର୍ଟ ଅଭିଷେକଙ୍କୁ ଜୁଲାଇ ୮ ତାରିଖରେ ନିଜ ସ୍ୱରର ସାମ୍ପଲ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ନିର୍ଦ୍ଦେଶ ବିଧାନସଭା ନିର୍ବାଚନ ସମୟରେ ଦିଆଯାଇଥିବା ଧମକପୂର୍ଣ୍ଣ ଭାଷଣ ମାମଲାରେ ଦିଆଯାଇଥିବା ଜଣାପଡିଛି । ଅଭିଷେକଙ୍କୁ କୋର୍ଟରେ ହାଜର ହୋଇ ନିଜ ଭଏସ ସାମ୍ପଲ ଦେବାକୁ ହେବ ବୋଲି କୋର୍ଟ କହିଛନ୍ତି ।

ରିପୋର୍ଟ ଅନୁସାରେ, ଗତ ଏପ୍ରିଲ ମାସରେ ଅଭିଷେକ ଏକ ଭାଷଣ ଦେଇଥିଲେ । ଯାହା ଧମକପୂର୍ଣ୍ଣ ଥିବା ନେଇ ମାମଲା ରୁଜୁ ହୋଇଥିଲା । ଘଟଣାକୁ ନେଇ ବିଧାନନଗର ଉତ୍ତର ଥାନାରେ ଏଫଆଇଆର ହୋଇଥିଲା । ତଦନ୍ତରେ ପୋଲିସ କୋର୍ଟଙ୍କ ନିକଟରେ ଅଭିଷେକଙ୍କ ଭଏସ ସାମ୍ପଲ ପାଇଁ ଅନୁମତି ମାଗିଥିଲା । ଏହାପରେ ଉତ୍ତର ୨୪ ପ୍ରଗଣା ଜିଲ୍ଲା କୋର୍ଟ ଜୁଲାଇ ୮ ତାରିଖରେ ଭଏସ ସାମ୍ପଲ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁସାରେ, ସରକାରୀ ଅଧିବକ୍ତା ମହମ୍ମଦ ସବୀର ଅଲ୍ଲୀ କହିଛନ୍ତି ଯେ,କୋର୍ଟଙ୍କ ଆଦେଶ ଅନୁସାରେ ଅଭିଷେକ ଜୁଲାଇ ୮ ତାରିଖରେ ବିଚାରପତିଙ୍କ ସମ୍ମୁଖରେ ନିଜର ଭଏସ ସାମ୍ପଲ ପ୍ରଦାନ କରିବେ । ଏହାକୁ ଆଧାର କରି ପୋଲିସ ତଦନ୍ତକୁ ଆଗକୁ ନେବ ।

ପୋଲିସ ଭାରତୀୟ ନାଗରିକ ସୁରକ୍ଷା ସଂହିତାର ଧାରା ୩୪୯ ଆଧାରରେ ଭଏସ ସାମ୍ପଲ ମାଗିଥିଲା । ଏହି ଧାରା ଅନୁସାରେ, ମାଜିଷ୍ଟ୍ରେଟ୍ କୌଣସି ବ୍ୟକ୍ତିଙ୍କୁ ତଦନ୍ତ ତଥା ଅପରାଧିକ ମାମଲାର ଶୁଣାଣି ପାଇଁ ହସ୍ତାକ୍ଷର, ଭଏସ ସାମ୍ପଲ ଦେବା ପାଇଁ ନିର୍ଦ୍ଦେଶ ଦେଇପାରିବେ ।

ତେବେ ଅଭିଷେକ ପୋଲିସକୁ ଭଏସ ସାମ୍ପଲ ନଦେବା ପାଇଁ କୋଲକାତା ହାଇକୋର୍ଟରେ ଆବେଦନ କରିଥିଲେ । ସେ ଏଫଆଇଆର ରବ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ କୋର୍ଟ ପୋଲିସର ନୋଟିସ ଉପରେ ଅନ୍ତରୀଣ ରିହାତି ପ୍ରଦାନ ପାଇଁ ମନା କରିଦେଇଥିଲେ ।