ନୂଆଦିଲ୍ଲୀ: ଇଣ୍ଟରନେଟରେ ଏବେ କକରୋଚ ଜନତା ପାର୍ଟିକୁ ନେଇ ଖୁବ୍ ଚର୍ଚ୍ଚା। ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ଏକ ବିବୃତ୍ତିରୁ ସଷ୍ଟି ହୋଇଥିବା କକରୋଚ ଜନତା ପାର୍ଟିରେ ମାତ୍ର କିଛି ସମୟରେ ଲକ୍ଷାଧିକ ଫଲୋଅର୍ସ ଯୋଡ଼ି ହୋଇଛନ୍ତି। ହେଲେ ଏବେ ଏହି ପାର୍ଟିର ଏକ୍ସ ଆକାଉଣ୍ଟକୁ ବ୍ୟାନ ହୋଇଛି। ତେବେ ବ୍ୟାନର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।

ସୂଚନାଥାଉକି, ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ ଗତ ସପ୍ତାହରେ ସୁପ୍ରିମକୋର୍ଟରେ ଏକ ମାମଲା ଶୁଣାଣି ସମୟରେ ଦେଶର ବେରୋଜଗାର ଯୁବକଙ୍କ ତୁଳନା ଅସରପା (କକରୋଚ) ସହ କରିଥିଲେ। ଯାହାକୁ ନେଇ ବିବାଦ ଦେଖାଦେଇଥିଲା। ଅବଶ୍ୟ ପରେ ପ୍ରଧାନ ବିଚାରପତି ନିଜର ମନ୍ତବ୍ୟ ଉପରେ ସ୍ପଷ୍ଟୀକରଣ ରଖିଥିଲେ ଏବଂ ଦେଶର ଯୁବକଙ୍କ ପାଇଁ ସେ ଗର୍ବିତ ବୋଲି କହିଥିଲେ।

Also Read: "କିଛି ବେକାର ଯୁବକ 'ପରଜୀବୀ' ପରି, ବ୍ୟବସ୍ଥା ଉପରେ ଆକ୍ରମଣ କରନ୍ତି": CJI

ମାତ୍ର ଯୁବବର୍ଗ ଏହି ମନ୍ତବ୍ୟକୁ ତୀବ୍ର ବିରୋଧ କରିଥିଲେ ଏବଂ ଏହିକ୍ରମରେ କକରୋଚ ଜନତା ପାର୍ଟିର ଆରମ୍ଭ ହୋଇଥିଲା। ଆଉ ଦେଖୁ ଦେଖୁ ମାତ୍ର କିଛି ଘଣ୍ଟାରେ ସୋସିଆଲ ମିଡିଆରେ ଲକ୍ଷ ଲକ୍ଷ ଫଲୋଅର୍ସ ହୋଇଯାଇଥିଲେ। କିନ୍ତୁ ଏବେ ପାର୍ଟିର ଏକ୍ସ ଆକାଉଣ୍ଟ ଭାରତରେ ବ୍ୟାନ ହୋଇଛି। ଅବଶ୍ୟ ଇନଷ୍ଟାଗ୍ରାମ ଆକାଉଣ୍ଟ ଏବେବି ଆକ୍ଟିଭ ରହିଛି। ଏହା ପୂର୍ବରୁ କକରୋଚ ଜନତା ପାର୍ଟିର ପେଜ ଗୁରୁବାର ଫଲୋଅର୍ସ ତୁଳନାରେ ବିଜେପିକୁ ବି ପଛରେ ପକାଇଦେଇଇଲା। ଇନଷ୍ଟାଗ୍ରାମରେ ପାର୍ଟି ପେଜର ୧ କୋଟିରୁ ଅଧିକ ଫଲୋଅର୍ସ ଅଛନ୍ତି। ସେହିଭଳି ବିଜେପି ୮୭ ଲକ୍ଷ ଫଲୋଅର୍ସ ଅଛନ୍ତି।

କ୍ଷୋଭ ପ୍ରକାଶ କଲେ ଅଭିଜିତ ଦିପକେ

ଏକ୍ସ ଆକାଉଣ୍ଟ ବନ୍ଦ ହେବାକୁ ନେଇ ଏହାର ଫାଉଣ୍ଡର ଅଭିଜିତ ଦିପକେ କ୍ଷୋଭ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯାହାର ଡର ଥିଲା ସେୟା ହିଁ ହେଲା। ପ୍ରଥମେ ସେମାନେ ଆମ ଆକାଉଣ୍ଟ ହ୍ୟାକ କରିବାକୁ ଚେଷ୍ଟା କରିଥିଲେ ହେଲେ ଏଭଳି ନହେବାରୁ, ସେମାନେ ଏହାକୁ ବ୍ୟାନ କରିଦେଲେ।

ସେ ଆହୁରି କହିଛନ୍ତି ‘‘ଏଥିରେ ଏଭଳି କ’ଣ ଲେଖାଯାଇଥିଲା ଯେ, ଏହାକୁ ବ୍ୟାନ କରାଗଲା। ଆମେ କେବଳ ସରକାରଙ୍କୁ ଉତ୍ତରଦାୟିତ୍ବ ମାଗୁଥିଲୁ। ଆମେ କିଛି ଭୁଲ ଲେଖିନଥିଲୁ। ଆଉ ଏହା ପ୍ରତିବଦଳରେ ଆମର ଆକାଉଣ୍ଟ ଡିଆକ୍ଟିଭେଟ କରିଦିଆଗଲା। ଏହା କେମିତିକା ଗଣତନ୍ତ୍ର ?’’ ଅଭିଜିତ, ଆକାଉଣ୍ଟ ବ୍ୟାନ କରାଯିବାର ବିରୋଧରେ ସ୍ବର ଉଠାଇବାକୁ ଅପିଲ କରିଛନ୍ତି।

Also Read: ଗଣମାଧ୍ୟମରେ ଭୁଲ ଭାବରେ ଦର୍ଶାଯାଇଛି ଟିପ୍ପଣୀ: ବେରୋଜଗାର ଯୁବକଙ୍କୁ ଅସରପା କହିବା ପ୍ରସଙ୍ଗରେ ପ୍ରଧାନ ବିଚାରପତିଙ୍କ ସ୍ପଷ୍ଟୀକରଣ

କ’ଣ କହିଥିଲେ ପ୍ରଧାନ ବିଚାରପତି ?

ଉଲ୍ଲେଖଯୋଗ୍ୟ, ଏକ ମାମଲାର ଶୁଣାଣି ସମୟରେ ପ୍ରଧାନ ବିଚାରପତି କହିଥିଲେ, ‘କିଛି ବେକାର ଯୁବକଙ୍କ ଅସରପା ପରି ଅଟନ୍ତି, ଯେଉଁମାନେ ମିଡିଆ, ସୋସିଆଲ୍ ମିଡିଆ ଓ ଆରଟିଆଇ କର୍ମୀ ପାଲଟି ଯାଆନ୍ତି । ଏହାପରେ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇବାକୁ ଲାଗନ୍ତି । ଏହି ବୟାନ ସଙ୍ଗେ ସଙ୍ଗେ ଚର୍ଚ୍ଚାକୁ ଆସିଥିଲା। ଆଉ ଲୋକେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ଅବଶ୍ୟ ପ୍ରଧାନ ବିଚାରପତି ପରଦିନ ଏହା ଉପରେ ସଫେଇ ରଖିଥିଲେ। ସେ କହିଥିଲେ ଏଭଳି ସେ ମିଥ୍ୟା ଡିଗ୍ରିଧାରୀଙ୍କ ପାଇଁ କହୁଥିଲେ, ତାଙ୍କ ଉଦ୍ଦେଶ୍ୟ ଦେଶର ଯୁବକଙ୍କୁ କଷ୍ଟ ଦେବାର ନଥିଲା।’