ନୂଆଦିଲ୍ଲୀ: ଇସଲାମାବାଦରେ ଆମେରିକା-ଇରାନ ମଧ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନା ହେବାକୁ ଯାଉଛି । ଇରାନ୍ର ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚି ନିଜର ପ୍ରତିନିଧି ମଣ୍ଡଳୀ ସହ ଶୁକ୍ରବାର ରାତିରେ ପାକିସ୍ତାନରେ ପହଞ୍ଚିବେ । ପାକିସ୍ତାନର ବୈଦେଶିକ ମନ୍ତ୍ରୀଙ୍କ ସହ ଗୁରୁତ୍ବପୂର୍ଣ୍ଣ ଆଲୋଚନା ପରେ ଆରାଘଚି ଏହି ପଦକ୍ଷେପ ନେଇଛନ୍ତି ବୋଲି ରିପୋର୍ଟ ପ୍ରକାଶ ପାଇଛି । ସେପଟେ ଆଲୋଚନା ପାଇଁ ଆମେରିକା ଲଜିଷ୍ଟିକ୍ସ ଏବଂ ସୁରକ୍ଷା ଟିମ୍ ଇସଲାମାବଦାରେ ପହଞ୍ଚିସାରିଛନ୍ତି ।

ପାକିସ୍ତାନ-ଇରାନ ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା

ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ Xରେ ପୋଷ୍ଟ କରିଛି, ‘ଉପପ୍ରଧାନମନ୍ତ୍ରୀ ଏବଂ ବୈଦେଶିକ ମନ୍ତ୍ରୀ ମହମ୍ମଦ ଇସାକ ଦାରଙ୍କୁ ଆଜି ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚି ଫୋନ କରିଥିଲେ । ଉଭୟ ପକ୍ଷ ଆଞ୍ଚଳିକ ବିକାଶ, ଯୁଦ୍ଧବିରତି ଏବଂ ଇସଲାମାବାଦର କୂଟନୈତିକ ପ୍ରୟାସ ବିଷୟରେ ଆଲୋଚନା କରିଛନ୍ତି। ଉପପ୍ରଧାନମନ୍ତ୍ରୀ/ବୈଦେଶିକ ମନ୍ତ୍ରୀ ଯଥାଶୀଘ୍ର କ୍ଷେତ୍ରୀୟ ଶାନ୍ତି ଏବଂ ସ୍ଥିରତାକୁ ଆଗକୁ ବଢ଼ାଇବା ପାଇଁ ପ୍ରସଙ୍ଗଗୁଡ଼ିକର ସମାଧାନ ପାଇଁ ନିରନ୍ତର ଆଲୋଚନା ଏବଂ ସହଯୋଗ ଉପରେ ଗୁରୁତ୍ୱାରୋପ କରିଛନ୍ତି। ବୈଦେଶିକ ମନ୍ତ୍ରୀ ଆରାଘଚି ଏହି ସମ୍ପର୍କରେ ପାକିସ୍ତାନର ଗଠନମୂଳକ ମଧ୍ୟସ୍ଥତାକୁ ପ୍ରଶଂସା କରିଛନ୍ତି ଏବଂ ଦୁଇ ନେତା ଘନିଷ୍ଠ ଯୋଗାଯୋଗ ବଜାୟ ରଖିବାକୁ ରାଜି ହୋଇଛନ୍ତି।’

Also Read: Iran-america war: ଶାନ୍ତି ପ୍ରସ୍ତାବ ଆସିବା ଯାଏଁ ଯୁଦ୍ଧବିରତି ବୃଦ୍ଧି କଲେ ଟ୍ରମ୍ପ, ୭୨ ଘଣ୍ଟା ମଧ୍ୟରେ ହୋଇପାରେ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା

କାହିଁକି ହୋଇପାରୁନି ଆଲୋଚନା ?

ଗତ କିଛି ଦିନ ମଧ୍ୟରେ, ଆମେରିକା ଏବଂ ଇରାନକୁ ଆଲୋଚନା ଟେବୁଲକୁ ଫେରାଇ ଆଣିବା ପାଇଁ ପାକିସ୍ତାନ ନିଜର କୂଟନୈତିକ ପ୍ରୟାସକୁ ତୀବ୍ର କରିଛି। ତଥାପି, ଇସଲାମାବାଦରେ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ହୋଇପାରୁନି । ଆମେରିକା ଏବଂ ଇରାନ ମଧ୍ୟରେ ଜାରି ଉତ୍ତେଜନା, ହର୍ମୁଜ ପ୍ରଣାଳୀ ବନ୍ଦ ଏବଂ ଇରାନ ବନ୍ଦର ଉପରେ ଆମେରିକାର ଅବରୋଧକୁ ନେଇ ଆଲୋଚନା ବିଳମ୍ବ ହେଉଛି । ସେପଟେ ଆଲୋଚନା ହେବାକୁ ଥିବା ବେଳେ, ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଇରାନକୁ ଧମକ ଦେଉଛନ୍ତି । ଟ୍ରମ୍ପଙ୍କ ଆଭିମୁଖ୍ୟକୁ ନେଇ ଅସ୍ପଷ୍ଟ ଇରାନ ଆଲୋଚନାରେ ସାମିଲ ହେବାକୁ ମନା କରିଆସିଛି। କିନ୍ତୁ ଏବେ ଦ୍ବିତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନା ହେବ ବୋଲି ଆଶା କରାଯାଉଛି ।

ସଂକେତ ଦେଇଥିଲେ ଟ୍ରମ୍ପ

ଦ୍ବିତୀୟ ପର୍ଯ୍ୟାୟ ଆଲୋଚନା ୩୬ରୁ ୭୨ ଘଣ୍ଟା ମଧ୍ୟରେ ହେବ କି ବୋଲି ‘ନ୍ୟୁୟର୍କ ପୋଷ୍ଟ’ର ପ୍ରଶ୍ନରେ ଟ୍ରମ୍ପ କହିଥିଲେ, ଏହା ସମ୍ଭବ ହୋଇପାରେ । କିନ୍ତୁ ଇରାନର ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ଇସମାଇଲ୍ ବାଘାଇ କୌଣସି ଜବାବ ଦେଇନଥିଲେ । ସେପଟେ ଇସଲାମାବାଦରେ ପୁଣି ଥରେ ଆଲୋଚନା ହେବ ବୋଲି ବେଶ ଆଶାବାଦୀ ପାକିସ୍ତାନ । ଏଥିପାଇଁ ଶାହବାଜ ସରକାରଙ୍କ ମନ୍ତ୍ରୀମାନେ ଘନଘନ ବୈଠକ କରୁଥିବା ଜଣାପଡ଼ିଛି ।