ମୁମ୍ଵାଇ ୨୩।୦୪; ଇରାନ ଓ ଆମେରିକା ମଧ୍ୟରେ ୧୫ ଦିନିଆ ଯୁଦ୍ଧ ବିରତି ଆଜି ଶେଷ ହୋଇଥିବା ବେଳେ ଏହାର ଅବଧିକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି ଆମେରିକାର ରାଷ୍ଟ୍ରପତି ଜୋନାରୁ ଟ୍ରମ୍ପ। ଶାନ୍ତି ଆଲୋଚନା ଫଳପ୍ରଦ ନହେବା ପର୍ଯ୍ୟନ୍ତ ଯୁଦ୍ଧବିରତି ଜାରି ରହିବ। ଏହି ସମୟରେ ଦୁଇ ଦେଶ ମଧ୍ୟରେ ସାମରିକ ସଂଘର୍ଷ ହେବ ନାହିଁ। ତେବେ ହର୍ମୁଜରେ ଆମେରିକାର ନୌସେନା ଅବରୋଧ ରହିବ । ଆମେରିକାର ଏଭଳି ଆଭିମୁଖ୍ୟ ନେଇ ଇରାନ ଭୀଷଣ ପ୍ରତିକ୍ରିୟା କରିବା ସହିତ ହର୍ମୁଜରେ କେତେକ ଜାହାଜ ଉପରେ ଗୁଳିମାଡ଼ କରିଥିବା ଖବର ମିଳିଛି। ହର୍ମୁଜରେ ଇରାନ ଓ ଆମେରିକା ସାମରିକ ରୂପେ ମୁହାଁମୁହିଁ ଅବସ୍ଥାକୁ ଆସିଥିବା ବେଳେ ଆଜି ସନ୍ଧ୍ୟାରେ ରାଷ୍ଟ୍ରପତି ଟ୍ରମ୍ପ ଭଲ ଖବର ଦେଇଛନ୍ତି। ଆସନ୍ତା ୩୬ରୁ ୭୨ ଘଣ୍ଟା ମଧ୍ୟରେ ଇରାନ ଓ ଆମେରିକା ମଧ୍ୟରେ ଦ୍ଵିତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନା ହେବ। ଏହି ବୈଠକ ପାକିସ୍ତାନ ରାଜଧାନୀ ଇସଲାମାବାଦରେ ହେବ। ଏହି ସୂଚନା ଦେଇ ଟ୍ରମ୍ପ କହିଛନ୍ତି ଯେ ଆଲୋଚନାକୁ ଫେରିବା ଲାଗି ଇରାନକୁ ମଧ୍ଯସ୍ଥି ରାଜି କରାଇଛନ୍ତି।

ଯୁଦ୍ଧବିରତି ଶେଷ ହେବାମାତ୍ରେ ଇରାନ ଉପରେ ଆକ୍ରମଣ ପାଇଁ ଧମକ ଦେଇଥିବା ଟ୍ରମ୍ପ ଶେଷ ମୁହୂର୍ତ୍ତରେ ନିଜ ନିଷ୍ପତି ବଦଳାଇ ଶାନ୍ତି ଆଲୋଚନା ପାଇଁ ପଥ ପ୍ରଶସ୍ତ କରିଛନ୍ତି । ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରି ସରିଫ ଏବଂ ସେନା ମୁଖ୍ୟ ଜେନେରାଳ ଆସିମ ମୁନୀରଙ୍କ ଅନୁରୋଧ କ୍ରମେ ଟ୍ରମ୍ପ ଏହି ନିଷ୍ପତ୍ତି ନେଇଥିବା ସୋସିଆଲ ମିଡିଆ ମାଧ୍ୟମରେ ଜଣାଇଛନ୍ତି। ଇରାନ ଶାସନ ବ୍ୟବସ୍ଥାରେ ଦେଖା ଦେଇଥିବା ଅସ୍ଥିରତା ଯୋଗୁଁ ସେମାନଙ୍କୁ ଏକ ସର୍ବସମ୍ମତ ପ୍ରସ୍ତାବ ପ୍ରସ୍ତୁତ କରିବା ପାଇଁ ଅଧିକ ସମୟ ଦେବାକୁ ଟ୍ରମ୍ପ ଉଚିତ ମନେ କରିଛନ୍ତି। ଟ୍ରମ୍ପ କହିଛନ୍ତି, ଇରାନର ନେତୃତ୍ବ ବର୍ତ୍ତମାନ ବିଭାଜିତ, ତେଣୁ ସେମାନେ ଏକ ସ୍ପଷ୍ଟ ପ୍ରସ୍ତାବ ନେଇ ଆସିବା ପର୍ଯ୍ୟନ୍ତ ଆମେରିକା ସେନା ସତର୍କ ରହିବ, କିନ୍ତୁ ଆକ୍ରମଣ କରିବ ନାହିଁ ।

ଅନ୍ୟପକ୍ଷରେ ଯୁଦ୍ଧବିରତି ଘୋଷଣା ହୋଇଥିଲେ ମଧ୍ୟ ସ୍ଥିତି ସମ୍ପୂର୍ଣ୍ଣ ଶାନ୍ତ ପଡିନାହିଁ। ଆମେରିକା ପକ୍ଷରୁ ଇରାନର ବନ୍ଦରଗୁଡ଼ିକୁ ଘେରାବନ୍ଦୀ କର ରଖାଯାଇଥିବା ବେଳେ ଇରାନ ମଧ୍ୟ ହର୍ମୂଜ ପ୍ରଣାଳୀକୁ ବନ୍ଦ କରିଦେଇଛି। ଇତିମଧ୍ୟରେ ଆମେରିକା ନୌସେନା ଏକ ସନ୍ଦେହଜନକ ଜାହାଜକୁ ଜବତ କରିଥିବା ସୂଚନା ମିଳିଛି। ଅନ୍ୟପଟେ ଇରାନ ଚେତାବନୀ ଦେଇଛି ଯେ, ଯଦି ପଡୋଶୀ ଆରବ ଦେଶଗୁଡ଼ିକ ନିଜ ଭୂଖଣ୍ଡକୁ ଆମେରିକାର ଆକ୍ରମଣ ପାଇଁ ବ୍ୟବହାର କରିବାକୁ ଅନୁମତି ଦିଅନ୍ତି ତେବେ ସମଗ୍ର ମଧ୍ୟପ୍ରାଚ୍ୟରେ ତୈଳ ଉତ୍ପାଦନ ବନ୍ଦ କରିଦିଆଯିବ।

Also Read-ଆମେରିକା ନୌସେନା ସଚିବ ଜନ୍ ଏଫ୍ ଫେଲାନ ଦେଲେ ଇସ୍ତଫା, ଯୁଦ୍ଧ ପରିସ୍ଥିତିରେ ଛାଡିଲେ ପଦ