ନୂଆଦିଲ୍ଲୀ: ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ପୁଣି ଥରେ ଶାନ୍ତି ଆଲୋଚନା ହେବାକୁ ଯାଉଛି । ଏନେଇ ଖୋଦ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି। କିନ୍ତୁ ତାପୂର୍ବରୁ ଆଉ ଥରେ ଇରାନକୁ ଧମକ ଦେଇଛନ୍ତି ଟ୍ରମ୍ପ । ଆସନ୍ତାକାଲି (ସୋମବାର) ଯଦି ଆଲୋଚନା ନହୁଏ, ତେବେ ଆମେ ଇରାନକୁ ଶେଷ କରିଦେବୁ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି । ଏହା ସହ ସେ କହିଛନ୍ତି, ଇରାନ ସବୁ ବିଜୁଳି ପ୍ଲାଣ୍ଟ ଏବଂ ପୋଲ ଧ୍ବଂସ କରିଦେବେ । ଟ୍ରମ୍ପଙ୍କ ଧମକ, ଶାନ୍ତି ଆଲୋଚନା ଉପରେ କଣ ପ୍ରଭାବ ପକାଇବ ତାହା ସ୍ପଷ୍ଟ ଅନୁମେୟ ।

‘ଡିଲ୍ କର, ନଚେତ ମର’

Also Read: Indian Ship Attacked In Hormuz Strait: ଗୁଳି ମାଡ଼ ପରେ ଭୟରେ କଲ୍ କଲେ ଭାରତୀୟ ଜାହାଜ କ୍ୟାପ୍ଟେନ୍: ତୁମେ କହିଲ ବୋଲି...

ଟ୍ରମ୍ପ ଟ୍ରୁଥ ସୋସିଆଲରେ ଲେଖିଛନ୍ତି, ‘ଗତକାଲି ଇରାନ ହର୍ମୁଜ ପ୍ରଣାଳୀରେ ଗୁଳି ଚଳାଇଥିଲା - ଏହା ଆମର ଅସ୍ତ୍ରବିରତି ଚୁକ୍ତିନାମାର ଏକ ଖୋଲା ଉଲ୍ଲଂଘନ । ମୋର ପ୍ରତିନିଧିମାନେ ଆସନ୍ତାକାଲି ସନ୍ଧ୍ୟାରେ ଆଲୋଚନା ପାଇଁ ପାକିସ୍ତାନର ଇସଲାମାବାଦ ଯାତ୍ରା କରୁଛନ୍ତି। ଇରାନ ସମ୍ପ୍ରତି ଘୋଷଣା କରିଛି ଯେ, ସେମାନେ ପ୍ରଣାଳୀକୁ ବନ୍ଦ କରୁଛନ୍ତି । କିନ୍ତୁ ଏହା ପୂର୍ବରୁ ନାକାବନ୍ଦୀ କରି ଆମେ ହର୍ମୁଜକୁ ବନ୍ଦ କରିଦେଇଛୁ । ସେମାନେ ଅଜାଣତରେ ଆମକୁ ସାହାଯ୍ୟ କରୁଛନ୍ତି ଏବଂ ସେମାନେ ଏହି ବନ୍ଦ ଯୋଗୁଁ ପ୍ରତିଦିନ ୫୦ ନିୟୁତ ଡଲାର ହରାଉଛନ୍ତି । ଆମେରିକାର କୌଣସି କ୍ଷତି ହେଉନାହିଁ । ଆମେ ଏକ ଅତ୍ୟନ୍ତ ନିରପେକ୍ଷ ଏବଂ ଯୁକ୍ତିଯୁକ୍ତ ଚୁକ୍ତିନାମା ପ୍ରଦାନ କରୁଛୁ, ଏବଂ ମୁଁ ଆଶା କରୁଛି ଯେ, ସେମାନେ ଏହାକୁ ଗ୍ରହଣ କରିବେ । ଯଦି ସେମାନେ ଏହା ନ କରନ୍ତି, ତେବେ ଆମେରିକା ଇରାନର ପ୍ରତ୍ୟେକ ପାୱାର ପ୍ଲାଣ୍ଟ ଏବଂ ପ୍ରତ୍ୟେକ ସେତୁକୁ ନଷ୍ଟ କରିଦେବ।’

ହୋଟେଲ ଖାଲି କଲା ପାକିସ୍ତାନ

ଆଲୋଚନା ପାଇଁ ଆସୁଥିବା ଅତିଥିମାନଙ୍କୁ ରଖିବା ପାଇଁ ପାକିସ୍ତାନ ଇସଲାମାବାଦର ଅତି କମରେ ଦୁଇଟି ପ୍ରମୁଖ ହୋଟେଲକୁ ଖାଲି କରିଦେଇଛି। ଏଥିରେ ସେରେନା ହୋଟେଲ ମଧ୍ୟ ଅନ୍ତର୍ଭୁକ୍ତ, ଯେଉଁଠାରେ ପ୍ରଥମ ପର୍ଯ୍ୟାୟ ଆଲୋଚନା ହୋଇଥିଲା।  ଖବର ମିଳିଥିଲା ଯେ, ସେରେନା ହୋଟେଲର ବିଲ୍‌ ମଧ୍ୟ ଦେଇପାରିନଥିଲେ ପାକିସ୍ତାନ ସରକାର । ତେବେ ଦ୍ବିତୀୟ ପର୍ଯ୍ୟାୟ ଆଲୋଚନା ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଦୁଇଟି ଆମେରିକୀୟ C17 ଗ୍ଲୋବମାଷ୍ଟର ବିମାନ ଅବତରଣ କରିବା ପରେ, ବିମାନବନ୍ଦରରୁ ରେଡ ଜୋନକୁ ଯାଉଥିବା ରାସ୍ତାକୁ ଅସ୍ଥାୟୀ ଭାବରେ ବନ୍ଦ କରିଦିଆଯାଇଛି। ଜିଲ୍ଲା ପ୍ରଶାସନ ମଧ୍ୟ ଏକ ବିବୃତ୍ତି ଜାରି କରି କହିଛି ଯେ, ରାଜଧାନୀରେ ସମସ୍ତ ଭାରୀ ଯାନ ଏବଂ ସାଧାରଣ ବସ୍ ଚଳାଚଳକୁ ନିଷିଦ୍ଧ କରାଯାଇଛି । ପ୍ରାଦେଶିକ ପୋଲିସ, ଅର୍ଦ୍ଧସାମରିକ ରେଞ୍ଜର୍ସ, ଇସଲାମାବାଦ ପୋଲିସ ଏବଂ ସେନା ସମେତ ପ୍ରାୟ ୨୦୦୦୦ ସୁରକ୍ଷା କର୍ମୀଙ୍କୁ ନିୟୋଜିତ ହୋଇଛନ୍ତି ।