ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା। ଖାଲି ବର୍ଷା ନୁହେଁ ଏହା ପରବର୍ତ୍ତୀ ବନ୍ୟା ପରିସ୍ଥିତି ସ୍ଥିତିକୁ ଆହୁରି ବେହାଲ କରିଛି। ଅନେକ ଜିଲ୍ଲାରେ ଜଳବନ୍ଦୀ ପରସ୍ଥିତି ଉପୁଜିଥିବା ବେଳେ, ଲକ୍ଷାଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ସେପଟେ ରାଜ୍ୟରେ ଦକ୍ଷିଣ- ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ଥିବାରୁ ଆହୁରି ୫ ଦିନ ଯାଏ ପ୍ରବଳ ବର୍ଷା ହେବା ନେଇ ଅନୁମାନ ରହିଛି। ଏମିତିରେ ପ୍ରଶାସନ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ବେଳେ, ସ୍ଥିତି ଉପରେ ନଜର ରଖିଛି।

ତେବେ ଏହାରି ମଧ୍ୟ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ରାଜ୍ୟରେ ବନ୍ୟାସ୍ଥିତି ନେଇ ପ୍ରତିକ୍ରିୟା ରଖିଛନ୍ତି। ମନ୍ତ୍ରୀଙ୍କ ସୂଚନା ଅନୁସାରେ, ବର୍ତ୍ତମାନ ସୁଦ୍ଧା ଲଗାଣ ବର୍ଷା ଓ ବନ୍ୟାରେ ଓଡ଼ିଶାର୨୦ ଜିଲ୍ଲାର ପ୍ରାୟ ୧୧ ବ୍ଲକ୍ ପ୍ରଭାବିତ ହୋଇଛନ୍ତି। ସେହିଭଳି ୫୩୯ ପଞ୍ଚାୟତର ୧୪୫୮ ଗାଁ ପ୍ରଭାବିତ ହୋଇଥିବା ସୂଚନା ଦିଆଯାଇଛି। ବନ୍ୟାସ୍ଥିତିର ମୁକାବିଲା ସଂପର୍କରେ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ୧୪୫୮ ଗାଁ ପ୍ରଭାବିତ ହୋଇଛି। ୭ ଲକ୍ଷ ୫ ହଜାର ଲୋକେ ପ୍ରଭାବିତ ହୋଇଥିବା ବେଳେ, ୧ ଲକ୍ଷ ୮୯ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ତେବେ ପ୍ରଭାବିତଙ୍କ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା ବେଳେ, ୫୨୦ ରିଲିଫ୍ କେନ୍ଦ୍ର କରାଯାଇ ସେମାନଙ୍କୁ ରନ୍ଧା ଖାଦ୍ୟ ଓ ଅନ୍ୟାନ୍ୟା ରିଲିଫ୍ ସାମଗ୍ରୀ ଯୋଗାଇ ଦିଆଯାଉଛି।

ଆହୁରି ମଧ୍ୟ ବନ୍ୟାଞ୍ଚଳରେ ବର୍ତ୍ତମାନ ସୁଦ୍ଧା ୩୭୮.୧ ମେଟ୍ରିକ ଟନ୍ ଚାଉଳ ଏବଂ ୪୪.୫ ମେଟ୍ରିକ ଟନ୍ ଚୁଡ଼ା ଯୋଗାଇ ଦିଆଯାଇଛି। ୨୦ ଜାଗାରେ ପଲିଥିନ୍ ବଣ୍ଟନ ହୋଇଛି । ସାଢ଼େ ୪ କ୍ୱିଣ୍ଟାଲ ମେଟ୍ରିକ୍ ଟନ୍ ଗୋ ଖାଦ୍ୟ ବଣ୍ଟନ କରାଯାଇଛି । ମାଟି ନ ଶୁଖିବା ଯାଏଁ କିମ୍ବା ଲୋକମାନେ ନିଜ ଘରକୁ ସୁରକ୍ଷିତ ଭାବେ ନ ଫେରିବା ପର୍ଯ୍ୟନ୍ତ ଏହି ରିଲିଫ ସେଣ୍ଟରଗୁଡ଼ିକୁ ଚାଲୁ ରଖିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

Also Read: ଲୋଇସିଂହା ଜଳବନ୍ଦୀ ଅଞ୍ଚଳରେ ଲୋକଙ୍କୁ ଭେଟିଲେ ସ୍ୱାସ୍ଥ୍ୟମନ୍ତ୍ରୀ, ନିଜେ ବଣ୍ଟନ କଲେ ରନ୍ଧା ଖାଦ୍ୟ

କଟକରେ ସୃଷ୍ଟି ହୋଇପାରେ ବନ୍ୟା ପରିସ୍ଥିତି 

ସେହିଭଳି ମନ୍ତ୍ରୀ ଆହୁରି କହିଛନ୍ତି ହୀରାକୁଦରେ ଜଳସ୍ତର ୬୨୦ ପାର୍ କରିଛି। ତେଣୁ ହୀରାକୁଦ ଗେଟ୍ ଖୋଲିଲେ କଟକ ବନ୍ୟା ଦ୍ୱାରା ପ୍ରଭାବିତ ହେବ । ଏବେ କଟକ ମୁଣ୍ଡଳୀରେ ୯ ଲକ୍ଷ କ୍ୟୁସେକ ଜଳ ଆସିବାକୁ ଲାଗିଲାଣି। ମାତ୍ର ୨ ଟି ଗେଟ୍ ଦେଇ ଜଳ ନିଷ୍କାସନ କରାଯାଉଛି । ତେଣୁ ସତର୍କ ରହିବାକୁ କହିଛନ୍ତି ମନ୍ତ୍ରୀ। 

ସେହିଭଳି ନରାଜ ୱାର୍ଣ୍ଣିଂ ଲେବୁଲ ୨୫.୪୧ ଏବଂ ଡେଞ୍ଜର ଲେବେଲ ହେଉଛି ୨୬.୪୧ । ହେଲେ ଅପରାହ୍ନ ୨ ଟା ସୁଦ୍ଧା ୨୬.୩୬ ପର୍ଯ୍ୟନ୍ତ ପାଣି ପହଞ୍ଚିଛି । ଅର୍ଥାତ୍ ୱାର୍ଣ୍ଣିଂ ଲେବୁଲ ଅତିକ୍ରମ କରି ଡେଞ୍ଜର ଲେବେଲ ଆଡ଼କୁ ଅଗ୍ରସର ହେଉଛି । ଆଠଗଡ଼ ଓ ବଡ଼ମ୍ବାର ଅଧିକାରୀମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଉଛି।

ବନ୍ୟା ମୁକାବିଲା ପାଇଁ ସରକାର ପ୍ରସ୍ତୁତ:

ମନ୍ତ୍ରୀ ଆହୁରି କହିଛନ୍ତି, ବ୍ରାହ୍ମଣୀ, ବୈତରଣୀ, ବୁଢ଼ାବଳଙ୍ଗ, କୁଶଭଦ୍ରା ଓ ସୁବର୍ଣ୍ଣରେଖା ଆଦି ପ୍ରମୁଖ ନଦୀଗୁଡ଼ିକରେ ଜଳସ୍ତର ବିପଦ ସଙ୍କେତ ତଳେ ରହିଛି। ତେବେ ମନ୍ତ୍ରୀ କହିଛନ୍ତି ବନ୍ୟା ଯୋଗୁ ହଜାର ହଜାର ହେକ୍ଟର ଚାଷଜମି କ୍ଷତିଗ୍ରସ୍ତ ହୋଇଛି। କିନ୍ତୁ ସରକାର ଏହାର ଭରଣ ପୋଷଣ କରିବେ ବୋଲି କହିଛନ୍ତି ମନ୍ତ୍ରୀ। ଏହା ସହ ବନ୍ୟା ପୂର୍ବରୁ ଲୋକଙ୍କୁ ସୁରକ୍ଷା ଦେବା ଉପରେ ସେମାନେ ଚେଷ୍ଟା କରିବେ ବୋଲି ମଧ୍ୟ କହିଛନ୍ତି ମନ୍ତ୍ରୀ।