ଭୁବନେଶ୍ୱର: ବଲାଙ୍ଗୀର ଲୋଇସିଂହାର ବିଭିନ୍ନ ଅଞ୍ଚଳରେ ଅତ୍ୟଧିକ ବର୍ଷା ଯୋଗୁଁ ଜଳବନ୍ଦୀରେ ପ୍ରଭାବିତ ଗ୍ରାମଗୁଡ଼ିକୁ ପରିଦର୍ଶନ କରି ସ୍ଥିତିର ସମୀକ୍ଷା କରିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର ଏବଂ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ତଥା ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ।

ଗସ୍ତ ସମୟରେ ମାନ୍ୟବର ମନ୍ତ୍ରୀ ପ୍ରଭାବିତ ଲୋକଙ୍କ ପାଖରେ ପହଞ୍ଚି ସେମାନଙ୍କ ଦୈନନ୍ଦିନ ସମସ୍ୟା, ଖାଦ୍ୟ, ପାନୀୟ ଜଳ, ସ୍ୱାସ୍ଥ୍ୟସେବା ଓ ଅନ୍ୟାନ୍ୟ ଆବଶ୍ୟକତା ସମ୍ପର୍କରେ ପଚାରି ବୁଝିଥିଲେ ଯେପରି ସହାୟତାରୁ ବଞ୍ଚିତ ନ ହୁଅନ୍ତି, ସେଥିପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ସେ କହିଥିଲେ ଯେ, ରାଜ୍ୟ ସରକାର ପ୍ରଭାବିତ ଲୋକଙ୍କ ସହ ସର୍ବଦା ଛିଡ଼ା ହୋଇ ରହିଛନ୍ତି ଏବଂ ସେମାନଙ୍କ ସୁରକ୍ଷା ଓ ସୁବିଧାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯିବ।

ଗସ୍ତ ସମୟରେ ଉପସ୍ଥିତ ସମସ୍ତ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସହ ମାନ୍ୟବର ମନ୍ତ୍ରୀ ସ୍ଥିତିର ସମୀକ୍ଷା କରିଥିଲେ। ପ୍ରଭାବିତ ଅଞ୍ଚଳରେ ପର୍ଯ୍ୟାପ୍ତ ପରିମାଣର ରନ୍ଧା ଖାଦ୍ୟ, ବିଶୁଦ୍ଧ ପାନୀୟ ଜଳ, ଔଷଧ, ଆବଶ୍ୟକୀୟ ସ୍ୱାସ୍ଥ୍ୟସେବା ଏବଂ ରୋଗ ନିରାକରଣ ବ୍ୟବସ୍ଥାକୁ ସୁନିଶ୍ଚିତ କରିବାକୁ ସେ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଗ୍ରାମବାସୀମାନେ ମାନ୍ୟବର ମନ୍ତ୍ରୀଙ୍କୁ ପାଖରେ ପାଇ ସେମାନଙ୍କ ବିଭିନ୍ନ ସମସ୍ୟା ଜଣାଇଥିଲେ। ମନ୍ତ୍ରୀ ସେମାନଙ୍କ ଅଭିଯୋଗ ଓ ଆବଶ୍ୟକତା ଧୈର୍ଯ୍ୟର ସହ ଶୁଣି ସମ୍ଭବ ଶୀଘ୍ର ସମାଧାନ ପାଇଁ ପ୍ରଶାସନକୁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।

Also Read: ଚିତ୍ରୋତ୍ପଳା ନଦୀ ମୁହାଁଣରେ ଖସି ଚାଲିଛି ଅତଡା, ଭୟରେ ୨୫ଟି ପଞ୍ଚାୟତର ଲୋକେ

ମାନ୍ୟବର ମନ୍ତ୍ରୀ ପୁଇଁତଲା ବ୍ଲକର କୁଳେରବାହାଳୀ ,ଲସ୍ତଲା, ଲୋଇସିଂହା ବ୍ଲକର ସେମେଲମୁଣ୍ଡା ,ଲୋଇସିଂହା NAC,ଆଗଲପୁର ବ୍ଲକର ଡୁଙ୍ଗୁରିପାଲି, ରଫାଖାଳ, ବିନ୍ଧାପାଲି, କଣ୍ଠିପାଲି, ବାଇଗଣଖାରି ଛକ,ବାବୁ୍ଫାସଡ଼, ଲାଟସର ଗାଁ ବୁଲି ଦେଖିଛନ୍ତି । ତାଙ୍କର ଏହି ଗସ୍ତ ବେଳେ ଜିଲ୍ଲାପ୍ରଶାସନ ଏବଂ ବ୍ଲକ ପ୍ରଶାସନ ଅଧିକାରୀ ଉପସ୍ଥିତ ଥିଲେ ।