ଯାଜପୁର ୦୩।୦୫ : ବିଷାକ୍ତ ଦହିବରା ଖାଇ ଅସୁସ୍ଥ ଘଟଣା । ୯୦ ପାର ହେଲା ଅସୁସ୍ଥ ସଂଖ୍ୟା। ସେଥିମଧ୍ୟରୁ ୪୨ ଶିଶୁ ଥିବା ବେଳେ ବଡ ଲୋକ ୫୦ ଜଣ ଅସୁସ୍ଥ ହୋଇ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ସେପଟେ ବିକ୍ରି କରିଥିବା ଦହିବରା ବେପାରୀକୁ ଦଶରଥପୁର ପୋଲିସ ଅଟକ ରଖି ପଚରାଉଚରା ଆରମ୍ଭ କରିଛି । ଚିକିତ୍ସିତ ହେଉଥିବା ସମସ୍ତ ରୋଗୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ଥିବା କହିଛନ୍ତି ଡାକ୍ତର । ସେପଟେ ଚିକିତ୍ସିତ ହେଉଥିବା ଶିଶୁଙ୍କ ମଧ୍ୟରୁ କିଛିଙ୍କୁ ଡିସ୍ଚାର୍ଜ କରାଯିବ ବୋଲି ଶିଶୁ ବିଶେଷଜ୍ଞ କହିଛନ୍ତି ।

ଯାଜପୁର ଦଶରଥପୁର ଅଞ୍ଚଳରେ ଦହିବରା ଖାଇ ଅସୁସ୍ଥ ହେବା ଘଟଣା। ଦହିବରା ବିକ୍ରି କରିଥିବା ବେପାରୀକୁ ଅଟକ ରଖିଛି ଦଶରଥପୁର ପୋଲିସ । ବେପାରୀ ଜଣକ ପାଖ ଗାଁ ତୁଳାଟିଆ ସାହିର ଗୁରୁଡ଼ା ସାହୁ ବୋଲି ଜଣାପଡିଛି । ଏପଟେ ଶନିବାର ଯାଜପୁର ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ। ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। କି ପଦକ୍ଷେପ ନିଆଯାଇଛି ପ୍ରକୃତ କାରଣ କଣ ଏନେଇ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସହ ଆଲୋଚନା କରିଛନ୍ତି।

Also Read:-ଦୁଗ୍ଧ ଚାଷୀଙ୍କ ପାଇଁ ଖୁସି ଖବର, ଓଡ଼ିଶାରେ କ୍ଷୀର ଦର ବୃଦ୍ଧି କଲା OMFED

ସୂଚନାଯୋଗ୍ୟ ଯେ, ଦହିବରା ଖାଇବା ପରେ ଦଶରଥପୁର ପାଟପୁର ଅଞ୍ଚଳରେ ୩୦ରୁ ଅଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ପ୍ରଥମେ ଦଶରଥପୁର ମେଡିକାଲ ଓ ପରେ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ୨୦ ଜଣ ଶିଶୁଙ୍କ ସମେତ ପାଖାପାଖି ୬ଟି ଗାଁର ୪୫ ଜଣ ଆକ୍ରାନ୍ତ ହୋଇଛନ୍ତି। ଜଣେ ବୟସ୍କ ମହିଳାଙ୍କ ମୃତ୍ୟୁ ହୋଇଥିବା ସିଡିଏମଓ ସୂଚନା ଦେଇଛନ୍ତି। ଅନ୍ୟପଟେ  ଦହିବରା ଖାଇବା ପରେ ଏପରି ଅବସ୍ଥା କାହିଁକି, ଫୁଡ୍ ପଏଜନିଂ ନା ଆଉ କିଛି । ତାହା ତ ତଦନ୍ତ ପରେ ତହିଁ ସାମ୍ନାକୁ ଆସିବ। ତେବେ  ଇଏ ଖାଲି ଗୋଟିଏ ଘଟଣା ନୁହେଁ, ପୂର୍ବରୁ  ମୁମ୍ବାଇର ପାଇଧୋନି ଅଞ୍ଚଳରେ ବିରିଆନୀ ଓ ତରଭୁଜ ଖାଇବାପରେ  ଗୋଟିଏ ପରିବାରର 4 ଜଣଙ୍କର ମୃତ୍ୟ ହୋଇଥିଲା। ଖାଦ୍ୟରେ ବିଷକ୍ରିୟା ବା ଫୁଡ୍ ପଏଜନିଂ ଯୋଗୁଁ ଏପରି ହୋଇ ଥାଇପାରେ  ବୋଲି ଅନୁମାନ କରାଯାଇଥିଲା।

ଝାରଖଣ୍ଡରେ ଗିରିଡିହ ଅଞ୍ଚଳରେ ବି ଘଟିଥିଲା ସମାନ୍ ଘଟଣା। ଗୁପଚୁପ୍ ଖାଇ ଛଅ ବର୍ଷର ଶିଶୁର ମୃତ୍ୟୁ ହୋଇଥିଲା । 60ରୁ ଅଧିକ ଅସୁସ୍ଥ ହୋଇ ପଡ଼ିଥିଲେ। ଖାଦ୍ୟରେ ବିଷକ୍ରିୟା ଯୋଗୁ ଏମିତି ହୋଇଥାଇପାରେ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଅନୁମାନ କରିଥିଲେ। ସେଥିପାଇଁ  ଖରାଦିନେ ତାଜା ଏବଂ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବାକୁ ଡାକ୍ତର କହିଛନ୍ତି। ବାହାର ଖାଦ୍ୟକୁ ଆଭଏଡ୍ କରନ୍ତୁ, ଅଧିକ ପାଣି ପିଇ ଶରୀରରକୁ ଥଣ୍ଡା ରଖନ୍ତୁ।  ବିଳମ୍ବିତ ରାତିରେ  ମସଲାଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ। ତାଛଡ଼ା ତରଭୁଜ ଖାଇବା ସମୟରେ ବି ଟିକେ ସତର୍କ ରୁହନ୍ତୁ।  ଏହା ସହ ଷ୍ଟ୍ରିଟ୍ ଫୁଡ୍ ଓ ଦହିବରା ଆଳୁଦମ୍ ଭଳି ଖାଦ୍ୟକୁ ଖରାରେ ନଖାଇବାକୁ ବାରଣ କରିଛନ୍ତି। ଏହା ସ୍ୱାସ୍ଥ୍ୟ ପାଇଁ ହାନୀକାରକ ହୋଇପାରେ।  

​​​​​​​