ଭୁବନେଶ୍ୱର: ଦୁଗ୍ଧ ଚାଷୀଙ୍କୁ ଖୁସି କରିବାର ଦିନକ ପରେ ବଢ଼ିଲା ଖାଉଟିଙ୍କ ଉପରେ ବଢ଼ିଲା ବୋଝ। ଏବେ ସିଧା ରୋଷେଇ ହେବ ମହଙ୍ଗା ମାଡ଼।  ଓଡ଼ିଶାରେ କ୍ଷୀର ଦର ବୃଦ୍ଧି କଲା ଓମ୍ଫେଡ୍। ଟୋନ୍ଡ ଦୁଗ୍ଧ ଲିଟର ପ୍ରତି ୪ ଟଙ୍କା ବୃଦ୍ଧି ହୋଇଛି। ୫୦ ଟଙ୍କାରୁ ବୃଦ୍ଧି ପାଇ ୫୪ ଟଙ୍କା ହୋଇଛି। ପ୍ରିମିୟମ ଦୁଗ୍ଧ ଲିଟର ପ୍ରତି ୪ ଟଙ୍କା ବୃଦ୍ଧି ହୋଇଛି। ୫୪ ଟଙ୍କାରୁ ବୃଦ୍ଧି ପାଇ ୫୮ ଟଙ୍କା ହୋଇଛି। ଆଜିଠାରୁ ରାଜ୍ୟରେ OMFEDର ନୂଆ ଦର ଲାଗୁ ହୋଇଛି।

also read- ସମାଜରୁ ବାସନ୍ଦ ହେବା ଭୟ, ପୁଣି ଥରେ ଶୁଦ୍ଧି ହେବେ ଜିତୁ ମୁଣ୍ଡା

ଗୋଲ୍ଡ ପ୍ରିମିୟର ପ୍ଲସ୍ ଦୁଗ୍ଧ ଲିଟର ପ୍ରତି ୪ ଟଙ୍କା ବୃଦ୍ଧି ହୋଇଛି। ୬୦ ଟଙ୍କାରୁ ବୃଦ୍ଧି ପାଇ ହେଲା ୬୪ ଟଙ୍କା। ଗୋଲ୍ଡ ପ୍ରିମିୟର ଦୁଗ୍ଧ ଲିଟର ପ୍ରତି ୪ ଟଙ୍କା ବୃଦ୍ଧି ହୋଇଛି। ୫୬ ଟଙ୍କାରୁ ବୃଦ୍ଧି ପାଇ ୬୦ ଟଙ୍କା ହୋଇଛି। ଅର୍ଥାତ ଗୋଟିଏ ପ୍ୟାକେଟ୍ ୫୦୦ ମି.ଲି ଉପରେ ୨ ଟଙ୍କା ବୃଦ୍ଧି ହୋଇଛି।

ମତ୍ସ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି ବହୁତ ଦିନ ଧରି ଦର ବୃଦ୍ଧି ହୋଇନଥିଲା। ଚାଷୀଙ୍କ ହିତ ପାଇଁ ଅଧିକ ଦାମରେ ଆମେ କ୍ରୟ କରିବୁ। ଯେହେତୁ ବର୍ତ୍ତମାନ ପ୍ରକ୍ରିୟାକରଣ, ପରିବହନ ପାଇଁ ଅଧିକ ଖର୍ଚ୍ଚ ହେଉଛି ସେଥିପାଇଁ ଦର ବୃଦ୍ଧି କରାଯାଇଛି। ଅନ୍ୟ ବ୍ରାଣ୍ଡେଡ୍ ସଂସ୍ଥା ଠାରୁ ଓମଫେଡ୍ ଦର ଯଥେଷ୍ଟ କମ୍। ​​​​​​​ଆଭେରେଜ ଦେଖିଲେ ଅଧା ଲିଟର ପିଛା ପ୍ରାୟ ୨ ଟଙ୍କା ବଢ଼ିଛି। କିନ୍ତୁ କ୍ୱାଲିଟି ରେ କମ୍ପରମାଇଜ କରାଯାଇ ନାହିଁ। ଚାଷୀ ଏହାଦ୍ୱାରା ଲାଭବାନ ହେବେ। ଚାଷୀଙ୍କ ଠାରୁ ଅଧିକ ମାତ୍ରାରେ କ୍ଷୀର ସଂଗ୍ରହ କରାଯିବ ବୋଲି କୁହାଯାଇଛି।

ଦହି-ପନିର ରେଟ୍‌ ବି ବଢ଼ିବ !

ଓମ୍ପଫେଡ୍‌ କ୍ଷୀର ଦର ବୃଦ୍ଧି ହେବାପରେ ଏବେ OMFED ଅନ୍ୟ ଉତ୍ପାଦ ବୃଦ୍ଧି ହେବାର ସମ୍ଭାବନା ରହିଛି। ଯେପରିକି OMFED ପନିର, ଦହି, ଘିଅର ମୂଲ୍ୟ ପରେ ବୃଦ୍ଧି ହେବା ନେଇ ବ୍ୟବସାୟୀ ଓ ଦୋକାନୀ ଆଶଙ୍କା କରିଛନ୍ତି। ଅନେକ ମନ୍ଦିରରେ ଓମଫେଡ୍‌ ଘିଅକୁ ଅନୁମତି ଦିଆଯାଇଛି। ତେଣୁ ଏହି ଆଧାରରେ ଖାଦ୍ୟଠୁ ଆରମ୍ଭ କରି ମନ୍ଦିର ଯାଏ ମହଙ୍ଗା ମାଡ଼ ହେବ।

ଚା' କପ୍‌ ହେବ ଆହୁରି ମହଙ୍ଗା:

ଗ୍ୟାସ୍‌ ସଙ୍କଟ ଯୋଗୁଁ ବର୍ତ୍ତମାନ ଚା ଦୋକାନରେ ବି ଚଡ଼କ। କପେ ଚା'ର ମୂଲ୍ୟ ୫ରୁ ୧୦ଟଙ୍କା ହେଲାଣି। ଏପରି ସ୍ଥିତିରେ କ୍ଷୀର ମୂଲ୍ୟ ବଢ଼ିଲେ ଚା ମୂଲ୍ୟ ବି ବଢ଼ିବା ଆଶଙ୍କା କରାଯାଉଛି। 

​​​​​​​ଦୁଗ୍ଧ ଚାଷୀଙ୍କ ପାଇଁ ନିଆଯାଇଥିଲା ନିଷ୍ପତ୍ତି-

ପୂର୍ବରୁ ରାଜ୍ୟର ଦୁଗ୍ଧ ଚାଷୀଙ୍କ ପାଇଁ ଲିଟର ପିଛା ୧ ଟଙ୍କା ଅଧିକ ଦେବାକୁ ନିଷ୍ପତ୍ତି ନେଇଥିଲା ଓମ୍‌ଫେଡ୍‌। ଖାଦ୍ୟ, ଚାରା, ଔଷଧ ଏବଂ ରକ୍ଷଣାବେକ୍ଷଣର ବୃଦ୍ଧି ପାଉଥିବା ଖର୍ଚ୍ଚ ମଧ୍ୟରେ ଚାଷୀଙ୍କ ଚାହିଦା ବୃଦ୍ଧି ପାଉଥିବାରୁ ଏହି ବୃଦ୍ଧି କରାଯାଇଛି। ବର୍ଦ୍ଧିତ ଇନପୁଟ୍ ଖର୍ଚ୍ଚ ମଧ୍ୟରେ ଚାଷୀଙ୍କ ଆୟ ବୃଦ୍ଧି ଏବଂ ସେମାନଙ୍କୁ ସମର୍ଥନ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଥିଲା। ପୂର୍ବରୁ ଲିଟର ପିଛା ଦୁଗ୍ଧ ଚାଷୀ ୩୮ ଟଙ୍କା ୫ ପଇସା ପାଉଥିଲେ ଏଣିକି ୩୯ ଟଙ୍କା ୫ ପଇସା ପାଇବେ।

ସେହିପରି ମଇଁଷି ଦୁଗ୍ଧର ମୂଲ୍ୟରେ ଲିଟର ପ୍ରତି ୧ ଟଙ୍କା ୬୦ ପଇସା ବୃଦ୍ଧି କରାଯାଇଛି। ଏହା ସହିତ ଦେଶୀ 'ବିଞ୍ଝାରପୁରୀ' ଗାଈର କ୍ଷୀର ସଂଗ୍ରହ ମୂଲ୍ୟରେ ମଧ୍ୟ ଲିଟର ପିଛା ସିଧାସଳଖ ୧୦ ଟଙ୍କା ବୃଦ୍ଧି କରାଯାଇଛି।