ନୂଆଦିଲ୍ଲୀ, ୧୩।୧୧ : ଘରୋଇ ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ଶୁକ୍ରବାର ଖେଳାଯିବ ଚତୁର୍ଥ ଦିନିକିଆ। ଭାରତ ପ୍ରଥମ ୨ଟି ମ୍ୟାଚ ଜିତି ସାରିଛି। ତୃତୀୟ ମ୍ୟାଚ ବର୍ଷା ଯୋଗୁଁ ବାତିଲ ହେବା ପରେ ସିରିଜ ଆହୁରି ରୋମାଞ୍ଚକର ହେବାର ସୁଯୋଗ ସୃଷ୍ଟି ହୋଇଛି। ଘରୋଇ ଦଳ ଶେଷ ୨ଟି ଦିନିକିଆ ଜିତି ସିରିଜ ବରାବର କରି ପାରିବ। ଭାରତ ବିଜୟଧାରା ଜାରି ରଖିବାକୁ ପ୍ରସ୍ତୁତ ରହିଥିବା ବେଳେ ଏକାଦଶରେ ବଡ଼ ପରିବର୍ତ୍ତନ ରୋମାଞ୍ଚ ଦ୍ଵିଗୁଣା କରିଛି।

ଶୁଭମନ ଗିଲ, କେଏଲ ରାହୁଲ, ଅଂଶୁଲ କାମ୍ବୋଜ ଦିନିକିଆ ଦଳ ଛାଡ଼ି ଟେଷ୍ଟ ସିରିଜ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିବାରୁ ଏମାନଙ୍କ ଅନୁପସ୍ଥିତିରେ ଶ୍ରେୟସ ଆୟର ନେତୃତ୍ବ ନେବେ। ସେ ପ୍ରଥମ କରି ଦିନିକିଆରେ ଅଧିନାୟକ ଦାୟିତ୍ଵ ତୁଲାଇବାକୁ ଯାଉଥିବାରୁ ଚାପରେ ରହିବା ସ୍ବାଭାବିକ। ଇଶାନ କିଷନ ଉପ ଅଧିନାୟକ ଭାବେ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ସେ ଟି-ଟ୍ୱେଣ୍ଟିରେ ୩ନଂ ସ୍ଥାନରେ ଖେଳୁଥିଲେ। ହେଲେ ଆଜି ଓପନ୍ କରିବେ। କେଏଲ ରାହୁଲଙ୍କ ଖାଲି ସ୍ଥାନକୁ ନେଇ ଋତୁରାଜ ଗାଏକୱାଡ୍ ଓ ତିଳକ ବର୍ମାଙ୍କ ମଧ୍ୟରେ ଲଢ଼େଇ ହେବ। ଟି-ଟ୍ୱେଣ୍ଟି ଫର୍ମାଟ୍ରେ ତିଳକ ୫ନଂ ସ୍ଥାନରେ ବ୍ୟାଟିଂ କରୁଛନ୍ତି। ହେଲେ ଗାଏକୱାଡ୍ ଦିନିକିଆ ଫର୍ମାଟରେ ଉନ୍ନତ ପ୍ରଦର୍ଶନ ସତ୍ତ୍ୱେ ଏକାଦଶକୁ ଫେରିବା ପାଇଁ ଅପେକ୍ଷା କରି ରହିଛନ୍ତି।

Also Read :-ଆସୁଛି ବାତ୍ୟା ! ଆଜି ଲଘୁଚାପର ରୂପ ନେବ, ଏହି ଜାଗାରେ କରିପାରେ ଲ୍ୟାଣ୍ଡଫଲ୍

ଅଭିଜ୍ଞ ପେସ୍ ବୋଲର ମହମ୍ମଦ ସିରାଜ ଦିନିକିଆ ଦଳରେ ରହିଥିଲେ ହେଁ ଏପର୍ଯ୍ୟନ୍ତ ଗୋଟିଏ ହେଲେ ମ୍ୟାଚ ଖେଳି ନାହାନ୍ତି। ଟେଷ୍ଟ ଦଳରେ ଯୋଗ ଦେବା ପୂର୍ବରୁ ଏକ ଦିନିକଆ ଖେଳି ସେ ମ୍ୟାଚ ପ୍ରସ୍ତୁତି ପାଇଁ ସୁଯୋଗ ପାଇବା ଆଶା କରାଯାଉଛି । କାମ୍ବୋଜ ଟେଷ୍ଟ ଦଳରେ ଯୋଗ ଦେଇଥିବାରୁ ପେସ୍ ବୋଲିଂ ବିଭାଗରେ ଏକ ସ୍ଥାନ ଖାଲି ପଡ଼ିଛି। ସିରାଜଙ୍କ ପରିବର୍ତ୍ତେ କୁଲଦୀପ ଯାଦବଙ୍କୁ ମଧ୍ୟ ଏକାଦଶରେ ସାମିଲ କରିବାକୁ ଟିମ ମ୍ୟାନେଜମେଣ୍ଟ ଯୋଜନା କରିପାରେ।

ନ୍ୟୁଜିଲାଣ୍ଡ ଦଳରେ ମଧ୍ଯ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ। ଟମ ଲାଥମ, ଡାରିଲ ମିଚେଲ, ଗ୍ଲେନ ଫିଲିପ୍ସ, ନାଥାନ ସ୍ମିଥ୍ ଓ ହେନରୀ ନିକୋଲ୍ସ ଟେଷ୍ଟ ପ୍ରସ୍ତୁତି ଆରମ୍ଭ କରିଥିବାରୁ ଶେଷ ୨ଟି ମ୍ୟାଚରୁ ବାଦ ପଡ଼ିଛନ୍ତି। ଏମାନଙ୍କ ସ୍ଥାନରେ ଫିନ ଆଲେନ, ନିକ କେଲି ଓ ବ୍ରେଟ୍ ରାନଡେଲ ଦିନିକିଆ ଦଳରେ ଯୋଗ ଦେଇଛନ୍ତି। କେଲି ଏକାଦଶରେ ସ୍ଥାନ ପାଇବାର ଯଥେଷ୍ଟ ସମ୍ଭାବନା ରହିଛି।