ନୂଆଦିଲ୍ଲୀ: ପୁରୁଷ ଅଣ୍ଡର-୧୯ ଏସିଆ କପ୍ ୨୦୨୬ର ଫାଇନାଲରେ ପ୍ରବେଶ କରିଛି । ଗୁରୁବାର ଖେଳାଯାଇଥିବା ଦ୍ୱିତୀୟ ସେମିଫାଇନାଲରେ ଆଫଗାନିସ୍ତାନକୁ ୮ ୱିକେଟରେ ହରାଇଛି ଭାରତ । ଏହି ବିଜୟ ସହ ଭାରତ ଫାଇନାଲ୍ ଟିକଟ ପକ୍କା କରିଛି । ଟାଇଟଲ୍ ମ୍ୟାଚରେ ଚିର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ସହ ଭାରତର ମୁକାବିଲା ହେବ । ଓମାନର ଅଲ୍ ଏମିରେଟ୍ସ କ୍ରିକେଟ୍ ଗ୍ରାଉଣ୍ଡରେ ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ ୮ ୱିକେଟରେ ୨୨୭ ରନ କରିଥିଲା । ଜବାବରେ, ଲକ୍ଷ୍ୟ ରାଜେଶ ରାଇଚନ୍ଦାନିଙ୍କ ୯୩ ଏବଂ ଆର୍ଯ୍ୟବୀର ସେହୱାଗଙ୍କ ଅର୍ଦ୍ଧଶତକ ବଳରେ ଭାରତ ଟାଇଟଲ ମ୍ୟାଚରେ ସ୍ଥାନ ପାଇଛି ।

୨୨୮ ରନର ଟାର୍ଗେଟକୁ ପିଛା କରି ଆର୍ଯ୍ୟବୀର ସେହୱାଗ ଏବଂ ଲକ୍ଷ୍ୟ ଭାରତୀୟ ଦଳକୁ ଏକ ଦୃଢ଼ ଆରମ୍ଭ ଦେଇଥିଲେ । ଉଭୟଙ୍କ ମଧ୍ୟରେ ପ୍ରଥମ ୱିକେଟ ପାଇଁ ୧୧୭ ରନର ଭାଗୀଦାରି ହୋଇଥିଲା । ଆର୍ଯ୍ୟବୀର ସେହୱାଗ ୫୭ ବଲରେ ୫୧ ରନ କରିଥିଲେ । ସେ ତାଙ୍କ ଇନିଂସରେ ୪ ଚୌକା ଏବଂ ଛାରି ଛକା ମାରିଥିଲେ । ଅଧିନାୟକ ଲକ୍ଷ୍ୟ ରାଜେଶ ରାଇଚନ୍ଦାନି ୯୦ ବଲରେ ୯୩ ରନର ଏକ ଦୃଢ଼ ଇନିଂସ ଖେଳିଥିଲେ । ରାଜେଶ ତାଙ୍କ ଇନିଂସରେ ୧୩ ଚୌକା ଏବଂ ଗୋଟିଏ ଛକା ମାରିଥିଲେ । ଭିକେ ବିନିତ୍ ୬୨ ବଲରେ ୫୭ ରନର ଇନିଂସ ଖେଳିଥିଲେ । ସେ ମଧ୍ୟ ୪ ଚୌକା ଏବଂ ସମାନ ସଂଖ୍ୟକ ଛକା ମାରିଥିଲେ ।

Also Read: ରୌପ୍ୟ ପଦକ ବିଜେତା ପାୟଲ ନାଗଙ୍କୁ ସମ୍ମାନ, କ୍ରୀଡ଼ା ବିଭାଗ ପକ୍ଷରୁ ୧୦ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ

ଦ୍ୱିତୀୟ ସେମିଫାଇନାଲରେ ଭାରତ ବିପକ୍ଷରେ ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ ୫୦ ଓଭରରେ ୮ ୱିକେଟ ହରାଇ ୨୨୭ ରନ କରିଥିଲା । ଆବିଦୁଲ୍ଲାହ ନାଦରଜାନ ୧୪ ରନ, ଫରିଦୁଲ୍ଲାହ ଏହସାସ କେବଳ ୧୩ ରନ କରିପାରିଥିଲେ । ସୁଭାନ ଜାଖାଇଲ ୪୪ ବଲରୁ ୩୧ ରନ କରିଥିଲେ । ନୋମାନ ସାଲାରଜାଇ ୭୮ ବଲରୁ ୫୧ ରନ କରିଥିଲେ, ଯେଉଁଥିରେ ଦୁଇଟି ଚୌକା ଏବଂ ଦୁଇଟି ଛକା ଥିଲା । ଭାରତ ପାଇଁ ଇଶାନ ସୁଦ ତିନୋଟି, ଆର୍ଯ୍ୟାନ ସାଭସାନି ଦୁଇଟି, କାଭ୍ୟା ପରେଶ ପଟେଲ ଏବଂ ଅର୍ଜୁନ ରାଜପୁତ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।